ସାଂସଦମାନଙ୍କର ଚିକିତ୍ସା ପାଇଁ ଏମ୍‌ସ ପ୍ରସ୍ତୁତ କଲା ଏସ୍‌ଓପି, ଜରୁରୀ ସ୍ଥିତିରେ ପହଞ୍ଚିଲେ ବିନା ବିଳମ୍ବରେ ଚିକିତ୍ସା ହେବ

ନୂଆଦିଲ୍ଲୀ : ଏଣିକି ଲୋକସଭା ଏବଂ ରାଜ୍ୟସଭା ସାଂସଦମ‌ାନଙ୍କ ପାଇ ଦିଲ୍ଲୀ ଏମ୍‌ସରେ ବ୍ୟବସ୍ଥିତ ଚିକିତ୍ସା ଉପଲବ୍ଧ ହେବ। ଏଥି ପାଇଁ ଦିଲ୍ଲୀ ଏମ୍‌ସ ପକ୍ଷରୁ ୧୧ଟି କାର୍ଯ୍ୟସୂଚୀକୁ ନେଇ ଏସ୍‌ଓପି ଜାରି କରାଯାଇଛି। ଏସ୍‌ଓପି ଅନୁସାରେ ଦିଲ୍ଲୀ ଏମ୍‌ସ ନିୟନ୍ତ୍ରଣ ପ୍ରକୋଷ୍ଠରେ ଡିଉଟି ଅଫିସର ଚବିଶ ଘଣ୍ଟା ଉପଲବ୍ଧ ରହିବେ। ସାଂସଦମାନଙ୍କୁ ଚିକିତ୍ସା ସମ୍ବନ୍ଧୀୟ ସୁବିଧା ଉପଲବ୍ଧ କରିବ‌ା ପାଇଁ ଡିଉଟି ଅଧିକାରୀ ନୋଡାଲ ଅଧିକାରୀ ଭାବେ ସମନ୍ବୟ ରଖିବେ।

ନିୟନ୍ତ୍ରଣ ପ୍ରକୋଷ୍ଠର ତିନିଟି ଲ୍ୟାଣ୍ଡଲାଇନ ଓ ଗୋଟିଏ ମୋବାଇଲ ନମ୍ବରରେ ଫୋନ କରି ସାଂସଦଙ୍କ ପିଏ ଅଥବା ଲୋକସଭା ସଚିବାଳୟର କର୍ମଚାରୀ ସାଂସଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ସେମାନେ କେଉଁ ଡାକ୍ତରଙ୍କ ସହିତ ପରାମର୍ଶ କରିବେ ସେ ନେଇ ଆଗୁଆ ଅବଗତ ହେବେ। ଏହା ପରେ ଡିଉଟି ଅଫିସର ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରି ସାକ୍ଷାତ ପାଇଁ ବନ୍ଦୋବସ୍ତ କରିବେ। ଧାର୍ଯ୍ୟ ତାରିଖରେ ସାଂସଦ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚିବା ପରେ ସେଠାରେ ତାଙ୍କର ଚିକିତ୍ସାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯିବ। ଯଦି ସାଂସଦଙ୍କୁ ଜରୁରୀକାଳୀନ ସ୍ଥିତିରେ ଏମ୍‌ସକୁ ଅଣାଯାଏ ସେହି ସମୟରେ ପେସେଣ୍ଟ କେୟାର ମ୍ୟାନେଜର ତାଙ୍କୁ ସ୍ବାଗତ କରିବା ସହିତ ସୁନିଶ୍ଚିତ କରିବାକୁ ପଡ଼ିବ କି ସାଂସଦଙ୍କ ଚିକିତ୍ସାରେ ଯେ ଭଳି ବିଳମ୍ବ ନ ହୁଏ ଏବଂ ସାଂସଦଙ୍କୁ ଅପେକ୍ଷା କରିବାକୁ ନ ପଡ଼େ।

ସାଂସଦଙ୍କ ସୁପାରିସ ଅନୁସାରେ ଯେଉଁ ‌ରୋଗୀ ଏମ୍‌ସକୁ ଚିକିତ୍ସା ପାଇଁ ଆସିବେ ଏମ୍‌ସର ମିଡିଆ ଓ ପ୍ରୋଟୋକଲ ବିଭାଗ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବ। ଅପରପକ୍ଷେ, ଏମ୍ସର ଏଭଳି ନିଷ୍ପତ୍ତିକୁ ‌ସୋସିଆଲ ମିଡିଆରେ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଭିଆଇପି କଲଚର ଦର୍ଶାଇ ବିରୋଧ କରିଛି। ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ସଂସଦ ଅଧିବେଶନ କାଳରେ ଏବଂ ଦିଲ୍ଲୀରେ ଅବସ୍ଥାନ କରିବା ସମୟରେ ଆବଶ୍ୟକ ଚିକିତ୍ସା ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଏମ୍‌ସ, ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ପାର୍ଲାମେଣ୍ଟ ହାଉସ ଆନେକ୍ସରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରିଥାନ୍ତି। ହେଲେ ସର୍ବାଧିକ ସାଂସଦ ଏମ୍‌ସରେ ଚିକିତ୍ସାକୁ ଗୁରୁତ୍ବ ‌ଦେଇଥାନ୍ତି।

ସମ୍ବନ୍ଧିତ ଖବର