ଚୁକ୍ତିଭିତ୍ତିକ ବ୍ୟବସ୍ଥା ହଟାଇବାକୁ ଆୟୁଷ ଡାକ୍ତରଙ୍କ ଦାବି

ଭୁବନେଶ୍ବର: ବିଭିନ୍ନ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ‌‌‌କେନ୍ଦ୍ର (ପିଏଚ୍‌ସି) ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଦୀର୍ଘ ୧୦-୧୫ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରି ଆସୁଥିବା ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ କରିବାକୁ ଦାବି ହୋଇଛି। ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୁଷ ଡାକ୍ତର ଡେଭଲପମେଣ୍ଟ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରାଯାଇଛି। ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ କିଛି ଦିନ ତଳେ ରାଜ୍ୟ ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ଥିବା ଚୁକ୍ତିଭିତ୍ତିକ ତଥା ଠିକା ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି। କିନ୍ତୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ କୋ-ଲୋକେଟେଡ୍‌ ଓ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତଥା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ମୋବାଇଲ ହେଲ୍ଥ୍‌ ୟୁନିଟ୍‌ରେ ଚୁକ୍ତିଭିତ୍ତିକ ଭାବେ କାମ କରି ଆସୁଥିବା ୨୨୦୦ ଆୟୁଷ ଡାକ୍ତରମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି।

ଏହି ଆୟୁଷ ଡାକ୍ତରମାନେ ଦିନରାତି ଏକ କରି ରୋଗୀସେବା କରିବା ସହ ଜାତୀୟ ସ୍ୱାସ୍ଥ୍ୟ ପ୍ରୋଗ୍ରାମ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି। ଏକ ସୁସ୍ଥ ସମାଜ ଗଠନ ଦିଗରେ ଶିଶୁ ସ୍ୱାସ୍ଥ୍ୟର ଭୂମିକାକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସେମାନଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ଦୁର୍ଗମରୁ ଅତିଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଏମ୍ଏଚ୍‌ୟୁ ଆୟୁଷ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଏପରିକି, ଆୟୁଷ ଡାକ୍ତରମାନଙ୍କ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସେମାନଙ୍କୁ ଦୀର୍ଘ ବର୍ଷ ହେଲା ସରକାର ଅବହେଳା କରି ଆସୁଛନ୍ତି। ତେଣୁ ସେମାନଙ୍କୁ ସ୍ଥାୟୀ କରିବାକୁ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ନେଚତ୍‌ ଆସୋସିଏସନ୍‌ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟକାରୀ ସଭାପତି ଡାକ୍ତର ଚନ୍ଦ୍ରଶେଖର, ସାଧାରଣ ସମ୍ପାଦକ ଡାକ୍ତର ପ୍ରଦୀପ କୁମାର ଚମ୍ପତି, ଆର୍‌ବିଏସ୍‌କେ ସଭାପତି ସୁଶୀଲ ମହାପାତ୍ର, ଏମ୍‌ଏଚ୍‌ୟୁ ସଦସ୍ୟ ଡାକ୍ତର ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର