ମଧ୍ୟପ୍ରଦେଶରେ ହେବ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା

ଜାନୁଆରି-ଫେବ୍ରୁଆରିରେ ୮ ସହରରେ ଖେଳାଯିବ, ପ୍ରଥମ ଥର ଜଳ କ୍ରୀଡ଼ା ସାମିଲ

ନୂଆଦିଲ୍ଲୀ : ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ। ଗୁରୁବାର ରାଜଧାନୀ ଦିଲ୍ଲୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ପ୍ରଦାନ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ୮ ସହର ଭୋପାଳ, ଇନ୍ଦୋର, ଉଜ୍ଜୟିନୀ, ଗ୍ୱାଲିଅର, ଜବଲପୁର, ମାଣ୍ଡଲା, ଖାର୍ଗୋନ (ମହେଶ୍ୱର) ଏବଂ ବାଲାଘାଟରେ ଆୟୋଜିତ ହେବ। ଏହି ସଂସ୍କରଣରେ ସମୁଦାୟ ୨୭ଟି ଶୃଙ୍ଖଳା (କ୍ରୀଡ଼ା) ସ୍ଥାନ ପାଇବ। ଏହି ଖେଳର ଇତିହାସରେ ପ୍ରଥମ ଥର ପାଇଁ ଜଳ କ୍ରୀଡ଼ା ଅନ୍ତର୍ଭୁକ୍ତ ହେବ। ଚିରାଚରିତ ଭାବେ ଆୟୋଜିତ ହେଉଥିବା କ୍ରୀଡ଼ା ଏବଂ ସ୍ୱଦେଶୀ ଖେଳ ସହିତ କାନୋ ସ୍ଲାଲୋମ୍, କାୟାକିଂ, କାନୋଇଂ ଏବଂ ରୋଇଂ ଭଳି ନୂତନ ଶୃଙ୍ଖଳା ମଧ୍ୟ ସାମିଲ ହେବ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ମଧ୍ୟପ୍ରଦେଶ କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ, କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତଥା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମଧ୍ୟପ୍ରଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହାନ କହିଥିଲେ ଯେ “ମଧ୍ୟପ୍ରଦେଶକୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆୟୋଜନ କରିବାର ସୁଯୋଗ ପ୍ରଦାନ କରି ଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ଆମେ ଏହାକୁ ସବୁଠାରୁ ସ୍ୱତନ୍ତ୍ର ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପରିଣତ କରିବାକୁ ପ୍ରତିଜ୍ଞା କରୁଛୁ ଏବଂ ଆମର ‘ଅତିଥି ଦେବୋ ଭବ’ର ଦର୍ଶନକୁ ଆଖି ଆଗରେ ରଖି ଆମେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବୁ। “ଆମର ମଧ୍ୟପ୍ରଦେଶରେ ବନ୍ଧୁକଚାଳନା ଏବଂ ଜଳ କ୍ରୀଡ଼ା ଏକାଡେମୀଗୁଡ଼ିକ ପରି ବିଶ୍ୱସ୍ତରୀୟ କ୍ରୀଡ଼ା ଷ୍ଟାଡିୟମ ଅଛି। ଅନେକ ପ୍ରକାରର ଅନ୍ୟାନ୍ୟ ସୁବିଧା ମଧ୍ୟ ଆଗକୁ ପ୍ରଦାନ କରାଯିବାର ଯୋଜନା ରହିଛି। ଭିତ୍ତିଭୂମି କ୍ଷେତ୍ରରେ ବୃଦ୍ଧି ପାଉଥିବା ବିକାଶ ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆୟୋଜନ କରିବାର ସୌଭାଗ୍ୟ ସହିତ ମୁଁ ନିଶ୍ଚିତ ଯେ ମଧ୍ୟପ୍ରଦେଶରେ ଆଗକୁ ଏକ କ୍ରୀଡ଼ା ବିପ୍ଳବ ଘଟିବ” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱଦେଶୀ ଖେଳ ପୁଣି ଥରେ ଆଗାମୀ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା (କେଆଇୱାଇଜି)ର ଏକ ଅଂଶ ବିଶେଷ ହେବ ବୋଲି ଉଲ୍ଲେଖ କରି ଶ୍ରୀ ଠାକୁର କହିଥିଲେ ଯେ “ଅଲିମ୍ପିକ୍ କ୍ରୀଡ଼ା ଏବଂ ସ୍ୱଦେଶୀ କ୍ରୀଡ଼ାକୁ ସମାନ ଢଙ୍ଗରେ ସମର୍ଥନ କରିବା ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଥିଲା। ମୁଁ ମଧ୍ୟପ୍ରଦେଶକୁ ଧନ୍ୟବାଦ ଦେଉଛି, ଯେଉଁଠାରେ ମଲ୍ଲଖମ୍ବ ଖେଳକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ପ୍ରଦାନ କରାଯାଇଛି।”

“କ୍ରୀଡା ଏକ ରାଷ୍ଟ୍ର ବିଷୟ। ମୁଁ ଖୁସି ଯେ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡ଼ିକ ଆମର କ୍ରୀଡ଼ା ପାରିବେଶିକ ବ୍ୟବସ୍ଥା ଗଠନରେ ନିଜେ ଅଂଶ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ସମସ୍ତ ରାଜ୍ୟ ଏଥିରୁ ଶିକ୍ଷାଲାଭ କରିବା ଉଚିତ ଏବଂ ଏହା ବୁଝିବା ଉଚିତ ଯେ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ପାଇଁ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପଡ଼ିବ’’ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ତୃଣମୂଳସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଖେଳ ମହାକୁମ୍ବ ଏବଂ ମୁଖ୍ୟମନ୍ତ୍ରୀଙ୍କ କପ୍ (ମଧ୍ୟପ୍ରଦେଶ) ଭଳି କ୍ରୀଡ଼ା କାର୍ଯ୍ୟକ୍ରମ ଗୁଡ଼ିକର ଭୂମିକାକୁ ସେ ବହୁତ ପ୍ରଶଂସା କରିଥିଲେ। ଶ୍ରୀ ଠାକୁର ଏହା ମଧ୍ୟ ଦୋହରାଇ ଥିଲେ ଯେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଦେଶରେ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିଛି। ଏହି କାରଣରୁ ଗତଥର ହରିୟାଣାଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୧୨ ଜାତୀୟ କୀର୍ତ୍ତିମାନ ଭାଙ୍ଗିଛି ବୋଲି ସେ ସୂଚନା ଦେଇଥିଲେ।

ତାଙ୍କର ଶୁଭେଚ୍ଛା ଜଣାଇ ଶ୍ରୀ ନିଶିଥ ପ୍ରମାଣିକ ଆହୁରି ମଧ୍ୟ କହିଥିଲେ ଯେ “ମଧ୍ୟପ୍ରଦେଶ ସରକାର ବର୍ଷ ବର୍ଷ ଧରି ଖେଳାଳିମାନଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଆସିଛନ୍ତି। ପ୍ରତ୍ୟେକ ରାଜ୍ୟ ଏଥିରୁ ଏକ ଉଦାହରଣ ନେବା ଉଚିତ ଯେ ଖେଳାଳିମାନଙ୍କୁ ସେମାନଙ୍କର ସଫଳତାର ଶିଖରରେ ପହଂଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ କିପରି ରୂପ ନେଉଛି। ମୁଁ ନିଶ୍ଚିତ ଯେ ‘ମହାକାଳଙ୍କ ଭୂମି’ରେ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ସବୁଠାରୁ ସ୍ୱତନ୍ତ୍ର ହେବ।”

ଯଶୋଧାରା ରାଜେ କହିଥିଲେ ଯେ ଭାରତରେ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ସରକାର କାର୍ଯ୍ୟ କରିଛନ୍ତି। ଭାରତର ଖେଳାଳିମାନେ ସାରା ବିଶ୍ୱରେ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ବିଶେଷ କରି ଆମର ଝିଅମାନେ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ଭାରତର ଗର୍ବ ଗୌରବକୁ କ୍ରମାଗତ ଭାବରେ ବୃଦ୍ଧି କରୁଛନ୍ତି।

ସମ୍ବନ୍ଧିତ ଖବର