କାବୁଲ ଡାକ୍ତରଖାନାରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୯ ମୃତ

କାବୁଲ : ପୁଣି ବିସ୍ଫୋରଣରେ ଥରି ଉଠିଛି ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲର ଏକ ଡାକ୍ତରଖାନାରେ ବୋମା ବିସ୍ଫୋରଣ ହେବାରୁ ୧୯ ଜଣ ମୃତ୍ୟୁ ବରଣ କରିବା ସହ ପ୍ରାୟ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ କାବୁଲରେ ଥିବା ମିଲିଟାରୀ ହସପିଟାଲରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଗୁଳିଚାଳନା ମଧ୍ୟ ହୋଇଥିଲା ।

ତାଲିବାନ ନେତୃତ୍ବାଧୀନ ଇସ୍ଲାମିକ ଏମିରେଟ୍ସର ଉପ-ମୁଖପାତ୍ର ବିଲାଲ କାରିମି କହିଛନ୍ତି ଯେ ଏହି ୪୦୦ ଶଯ୍ୟା ବିଶିଷ୍ଟ ମିଲିଟାରୀ ହସପିଟାଲର ଗେଟ୍ ପାଖରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏହି ବିସ୍ଫୋରଣରେ ୧୯ ଜଣ ପ୍ରାଣ ହରାଇଛନ୍ତି ଓ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିସ୍ଫୋରଣରେ ହସପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ହସପିଟାଲର ସୁରକ୍ଷାକୁ ବଢାଇଦିଆଯାଇଛି ।

ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହା ପଛରେ ଆଇଏସକେପି (ଆଇଏସ ଖୋରାସାନ ପ୍ରୋଭିନ୍ସ)ର ହାତ ଥିବା କୁହାଯାଉଛି ।

 

 

ସମ୍ବନ୍ଧିତ ଖବର