ସୁଖୋଇ, ମିରେଜ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ମୃତ

ଭୋପାଳ : ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିଅର ନିକଟରେ ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଇଟି ବିମାନ ହେଉଛି ସୁଖୋଇ ସୁ-୩୦ ଓ ମିରେଜ ୨୦୦୦। ଗୋଟିଏ ବିମାନ ମୋରେନାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁରଠାରୁ ପ୍ରାୟ ୧୦୦ କିମି ଦୂରରେ ଗଳିପଡ଼ିଥିଲା। ତାଲିମ ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଛି।

ସୁଖୋଇ ବିମାନରେ ଦୁଇଜଣ ପାଇଲଟ୍ ଥିଲେ ଏବଂ ମିରେଜରେ ଜଣେ ପାଇଲଟ ଥିଲେ ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଉଭୟ ବିମାନ ଭାରତୀୟ ବାୟୁସେନା ଦ୍ବାରା ସମ୍ମୁଖ ଯୁଦ୍ଧରେ ଭାଗ ନେଇଥାନ୍ତି। ସୁଖୋଇ ବିମାନର ଦୁଇଜଣ ପାଇଲଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଉଭୟ ବିମାନ ଗ୍ବାଲିଅରରୁ ଉଡ଼ାଣ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ବିମାନ ଦୁଇଟିର ଧ୍ବଂସାବଶେଷର ଭିଡିଓ ସ୍ଥାନୀୟ ଲୋକମାନେ ରେକର୍ଡ କରିଛନ୍ତି। ସେଥିରୁ ବିମାନର ଅଂଶଗୁଡ଼ିକ ତରଳିଯାଇଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି। ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା କି ନାହିଁ ତାହା ଜଣାପଡ଼ି ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏବିଷୟରେ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର