ଦେଶଦ୍ରୋହ ଆଇନର ସମୀକ୍ଷା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ: ଗିରଫ ବ୍ୟକ୍ତିଙ୍କ ଅଧିକାରର ସୁରକ୍ଷା ପ୍ରଶ୍ନ ଉଠାଇଲେ

ବିଚାରାଧୀନ ମାମଲା ସଂକ୍ରାନ୍ତରେ ଜବାବ ଦାଖଲ ପାଇଁ ୨୪ ଘଣ୍ଟା ସମୟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ପୁନଃ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। କିନ୍ତୁ ଦେଶଦ୍ରୋହ ଆଇନ ଅଧୀନରେ ଥିବା ବିଚାରାଧୀନ ମାମଲାଗୁଡ଼ିକ ସଂକ୍ରାନ୍ତରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଆଇନର ପୁନଃସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଧାରା ୧୨୪-ଏ ଅଧୀନରେ ଗିରଫ ହୋଇସାରିଥିବା ଲୋକମାନଙ୍କର ଅଧିକାର ସୁରକ୍ଷା ପାଇଁ କେନ୍ଦ୍ର ସରକାର କ’ଣ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଇଁ ନିର୍ଦ୍ଦେଶାବଳି ଆଣିପାରିବେ? ଦେଶଦ୍ରୋହ ଆଇନର ପୁନଃସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦେ‌ଶଦ୍ରୋହ ମାମଲାକୁ ସ୍ଥଗିତ ରଖିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳି ଜାରି କରିବେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏନେଇ କେନ୍ଦ୍ରଠାରୁ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି। ବୁଧବାର କେନ୍ଦ୍ର ସରକାର ଏହି ମାମଲାରେ ସୁପ୍ରିମ୍‌ କୋର୍ଟରେ ଜବାବ ରଖିବେ।

ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଆମେ ୨ଟି ପ୍ରଶ୍ନର ଉତ୍ତର ଚାହୁ। ପ୍ରଥମଟି ହେଉଛି ଦେଶଦ୍ରୋହ ଆଇନ ଅଧୀନରେ ଥିବା ବିଚାରାଧୀନ ମାମଲା ଏବଂ ଦ୍ବିତୀୟଟି ହେଉଛି ଭବିଷ୍ୟତରେ ଆସିବାକୁ ଥିବା ମାମଲାଗୁଡ଼ିକୁ ସରକାର କିଭଳି ସମ୍ମୁଖୀନ ହେବେ। କୋର୍ଟ କହିଛନ୍ତି, ପୁନଃସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କ’ଣ ନୂଆ ମାମଲାକୁ ସ୍ଥଗିତ ରଖିହେବ କି ? ଏହାର ଉତ୍ତରରେ ସଲିସିଟର୍‌ ଜେନେରାଲ ତୁଷାର ମେହଟା କହିଛନ୍ତି, ଆସନ୍ତାକାଲି ଏ ସଂକ୍ରାନ୍ତରେ କୋର୍ଟଙ୍କୁ ବିସ୍ତୃତ ଭାବେ ଜଣାଇବୁ। ଉଲ୍ଲେଖଯୋଗ୍ୟ, ଗତକାଲି କେନ୍ଦ୍ର ସରକାର ସୁପ୍ରିକୋର୍ଟଙ୍କୁ କହିଥିଲେ ଯେ ଦେଶଦ୍ରୋହ ଆଇନର ପୁନଃସମୀକ୍ଷା କରାଯିବ।

ସମ୍ବନ୍ଧିତ ଖବର