ଚିନ୍ମୟାନନ୍ଦଙ୍କ ସଙ୍କଟ ବଢ଼ିଲା : ମସାଜ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଲକ୍ଷ୍ନୌ : ବିଜେପି ନେତା ତଥା ପୂର୍ବ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟନନ୍ଦଙ୍କ ସଙ୍କଟ ଏବେ ବଢ଼ିଯାଇଛି । ଶାହଜାହାନପୁରର ଏକ ଲ’କଲେଜର ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ଏକ ମସାଜ ଭିଡିଓ ଭାଇରାଲ ହେବାପରେ ତାଙ୍କ ପାଇଁ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ଦ୍ବାରା ମସାଜ କରାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ବ୍ୟକ୍ତି ସ୍ବାମୀ ଚିନ୍ମୟାନନ୍ଦ ବୋଲି ଏଥିରେ ଦାବି କରାଯାଇଛି । ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ। ମସାଜ କରୁଥିବା ମହିଳାଙ୍କ ଚଷମାରେ ଲାଗିଥିବା କ୍ୟାମେରାରେ ଏହି ରେକର୍ଡିଂ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଏସ୍‌ଆଇଟିକୁ କହିଛନ୍ତି ଯେ ତାଙ୍କୁ ବର୍ଷକରୁ ଅଧିକ ସମୟ ହେଲା ସ୍ବାମୀ ଚିନ୍ମୟାନନ୍ଦ ଦୁଷ୍କର୍ମ କରି ଆସୁଥିଲେ। ପୁଲିସ ଏବେ ଭାଇରାଲ ହୋଇଥିବା ଭିଡିଓର ଯାଞ୍ଚ ଆରମ୍ଭ କରିଛି। ତେବେ ଚିନ୍ମୟାନନ୍ଦଙ୍କ ଓକିଲ ଏହି ଭିଡିଓ ସଂପର୍କରେ କହିଛନ୍ତି ଯେ ଏହା ଏକ ନକଲି ଭିଡିଓ ଏବଂ କମ୍ପ୍ୟୁଟର ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର