ସୁଷମାଙ୍କ କିଡନି ପ୍ରତ୍ୟାରୋପଣ ସର୍ଜରି ପାଇଁ ପ୍ରସ୍ତୁତ ନଥିଲେ ଏମ୍ସ ଡାକ୍ତର; ତଥାପି ସେ ଗଲେ ନାହିଁ ବିଦେଶ; ଜାଣନ୍ତୁ ପ୍ରତ୍ୟୁତ୍ତରରେ କ’ଣ କହିଥିଲେ ସୁଷମା…

ନୂଆଦିଲ୍ଲୀ: ଭାଜପାର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି। ସୁଷମାଙ୍କ ପ୍ରଶଂସକ ତାଙ୍କ ସ୍ୱାମୀ ସ୍ୱରାଜ କୌଶଳଙ୍କ ସହିତ ଟୁଇଟରରେ କଥା ହୋଇଥାଆନ୍ତି। ଲୋକମାନଙ୍କୁ ସୁଷମାଙ୍କ ରାଜନୈତିକ ଜୀବନ, ବିବାହ, ଅଧ୍ୟାତ୍ମିକ ବିଚାର ସହିତ ଅନେକ ବିଷୟ ଜାଣିବାକୁ ସବୁବେଳେ ଉତ୍ସୁକତା ରହିଥାଏ। ସେହିପରି କୌଶଳ ବି ସୁଷମାଙ୍କ ପ୍ରଶଂସକଙ୍କୁ ନିରାଶ କରି ନଥାଆନ୍ତି।

ଏହି କ୍ରମରେ କୌଶଳ ଟୁଇଟରରେ ସୁଷମାଙ୍କ ସର୍ଜରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କୌଶଳ କହିଛନ୍ତି, ଏମ୍ସ ଡାକ୍ତର ସୁଷମାଙ୍କ କିଡନି ପ୍ରତ୍ୟାରୋପଣ ସର୍ଜରିକୁ ଭାରତରେ କରିବା ପାଇଁ ପ୍ରସ୍ତୁତ ନଥିଲେ। କିନ୍ତୁ ସୁଷମା ଏହାକୁ ମାନି ନଥିଲେ ଓ ବିଦେଶ ଯିବାକୁ ମନା କରି ଦେଇଥିଲେ।

ସ୍ୱରାଜ ପ୍ରଥମ ଟୁଇଟରେ ଲେଖିଥିଲେ, ‘ଏମ୍ସ ଡାକ୍ତର ସୁଷମାଙ୍କ କିଡନି ପ୍ରତ୍ୟାରୋପଣ ସର୍ଜରି ଭାରତରେ କରିବାକୁ ପ୍ରସ୍ତୁତ ନଥିଲେ। ଏହା ଦେଶର ଗୌରବର କଥା ଥିଲା। ତେଣୁ ସେ ବିଦେଶ ଯିବାକୁ ମନା କରି ଦେଇଥିଲେ। ସେ ନିଜର ସର୍ଜରି ପାଇଁ ଏକ ତାରିଖ ସ୍ଥିର କରିଥିଲେ ଏବଂ ଡାକ୍ତର ମୁକଟ ମିଞ୍ଜଙ୍କୁ କହିଥିଲେ, ଡାକ୍ତର ସାହେବ ଆପଣ କେବଳ ଇନ୍‌ଷ୍ଟୁମେଣ୍ଟ ଧରନ୍ତୁ, କୃଷ୍ଣ ମୋର ସର୍ଜରି ନିଜେ କରିବେ।’

ଦ୍ୱିତୀୟ ଟୁଇଟରେ ସେ ଲେଖିଥିଲେ, ଗୋଟିଏ ଦିନ ପରେ ସେ ଚୌକିରେ ଆରମରେ ବସି ହସୁଥିଲେ। ସେ କହିଥିଲେ ଯଦି ମୁଁ ବିଦେଶ ଯାଇଥାଆନ୍ତି ତେବେ ଆମର ଡାକ୍ତର ଓ ହସପିଟାଲ ଉପରୁ ଲୋକଙ୍କ ବିଶ୍ୱାସ ଉଠି ଯାଇଥାଆନ୍ତା। ନିଜ ସର୍ଜରିକୁ ସେ ଏକ ଛୋଟ ଅସ୍ତ୍ରୋପଚାର ଭାବେ ନେଇଥିଲେ। ସେ ପୂରା ଶ୍ରେୟ ଏମ୍ସ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫ୍‌ଙ୍କୁ ବି ଦେଇଥିଲେ।

କୌଶଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁଷମାଙ୍କ ଧ୍ୟାନ ରଖିଥିବା ନେଇ ଧନ୍ୟବାଦ ବି ଜଣାଇଛନ୍ତି। ସେ ଲେଖିଛନ୍ତି, ଏକ ପରିବାର ଭଳି ଆମ ପାଖରେ ପହଞ୍ଚି ସୁଷମା ସ୍ୱରାଜଙ୍କ ସାହାଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ପାଇଁ ଆମ ପାଖେ ଶବ୍ଦ ବି କମ୍‌ ପଡ଼ିଯିବ। ସେ ଡାକ୍ତରଙ୍କ ସହିତ ସୁଷମାଙ୍କ ସ୍ୱାସ୍ଥ୍ୟକୁ ନେଇ ଟିକନିଖି ଭାବେ ଜଡ଼ିତ ଥିଲେ। ସେ ସବୁବେଳେ ପରାମର୍ଶ ଦେଉଥିଲେ କି ଚିନ୍ତା ନେବାର କୌଣସି କାରଣ ନାହିଁ। ବାଂସୁରି ଓ ମୁଁ ତାଙ୍କ ପାଖରେ ସଦା ଋଣୀ ରହିବୁ।

ସମ୍ବନ୍ଧିତ ଖବର