ଆମକୁ ତୁରନ୍ତ ବିସ୍ଥାପିତ କରାଯାଉ: ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ଆନ୍ଦୋଳନ ଚେତାବନୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ସମଲ ବ୍ୟାରେଜ ଓ ରେଙ୍ଗାଳି ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ବ୍ଲକ୍‌ର ୬ଟି ଗାଁର ଲୋକଙ୍କ ସମସ୍ୟା ସରକାର ଏ ପର୍ଯ୍ୟନ୍ତ ଶୁଣିଲେନି। ଏହି ଗାଁର ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉନାହିଁ। ଏଥିଯୋଗୁଁ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ୬ଟି ଗାଁର ଲୋକଙ୍କୁ ଯଥାଶୀଘ୍ର ସମ୍ଭବ ବିସ୍ଥାପିତ କରାନଗଲେ ସମଲ ବ୍ୟାରେଜ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି।

ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଓ ସମଲ ବ୍ୟାରେଜ ଦ୍ବାରା ରାଜ୍ୟ ଉପକୃତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ବ୍ରାହ୍ମଣୀ ନଦୀକୂଳର ୬ଟି ଗାଁର ଅଧିବାସୀ ଦୁର୍ଦ୍ଦଶା ଭିତରେ କାଳକାଟୁଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ ନଦୀକୂଳଠାରୁ ୧୦୦ ଫୁଟ ଦୂରତା ମଧ୍ୟରେ ବାସକରୁଥିବା କଣିହାଁ ବ୍ଲକ୍‌ର ନାଲମ, ତାଳପଦା, ଦୁର୍ଗାପୁର, ଗହମ, କୁସୁମପାଳ ଓ ଶିପୁର ଗ୍ରାମର ଲୋକଙ୍କୁ ବିସ୍ଥାପିତ କରିବା ପାଇଁ ସରକାରଙ୍କର ନିର୍ଦ୍ଦେଶ ଥିଲା। ୨୦୧୬ରେ ରାଜ୍ୟ ଜଳସମ୍ପଦ ବିଭାଗ ଏହି ୬ଟି ଗାଁର କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଓ ଜମିର ମୂଲ୍ୟ ଆକଳନକରି କ୍ଷତିପୂରଣ ଅର୍ଥ ପ୍ରଦାନ କରିଥିଲେ। କ୍ଷତିପୂରଣ ରାଶି ଦେବା ପରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନକୁ ବିସ୍ଥାପିତ କରିବା ପାଇଁ ସରକାରଙ୍କର ନିୟମ ରହିଛି। କିନ୍ତୁ ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବିସ୍ଥାପିତ କରାଗଲା ନାହିଁ। ଫଳରେ ନଦୀ କୂଳରେ ବାସକରୁଥିବା ଏହି ଗାଁର ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି। ପ୍ରତିବର୍ଷ ବର୍ଷାଋତୁରେ ବନ୍ୟା ଆସିବା ଦ୍ବାରା ନଦୀ କୂଳ ଖାଇ ଲୋକଙ୍କ ଘର ପାଖରେ ପହଞ୍ଚିଲାଣି। କିଛି ଲୋକଙ୍କ ଘର ବ୍ରାହ୍ମଣୀ ନଦୀରେ ଲୀନ ହୋଇଗଲାଣି। କେତେକ ଲୋକ ବାଧ୍ୟହୋଇ ଭିଟାମାଟି ଛାଡ଼ି ଅନ୍ୟସ୍ଥାନରେ ରହୁଛନ୍ତି। ଏହି ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ୨୦୨୦  ଡିସେମ୍ବର ମାସରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାଂସଦ ମହେଶ ସାହୁ, ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ, ସମଲ ବ୍ୟାରେଜ ଅଧୀକ୍ଷଣ ଯନ୍ତ୍ରୀ,  ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ, ଜୋନ୍‌ ଅଫିସର୍‌, ସମଲ ବ୍ୟାରେଜ ବାସଚ୍ୟୁତ ସଂଘର

କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆର୍‌ଆର୍‌ସି ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତ ଲୋକଙ୍କୁ ବିସ୍ଥାପିତ କରିବା ପାଇଁ ଜିଲ୍ଲାପାଳ ଏଥିରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକର ନିଷ୍ପତ୍ତିକୁ ଜଳସମ୍ପଦ ବିଭାଗ କାର୍ଯ୍ୟକାରୀ କଲାନାହିଁ। ପୁନର୍ବାର ୨୦୨୩ ମସିହା ଏପ୍ରିଲ ମାସ ୧୯ ତାରିଖରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଏକ ବୈଠକ ବସିଥିଲା। ଦୁଇମାସ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷକରି କ୍ଷତିଗ୍ରସ୍ତ ଲୋକଙ୍କୁ ବିସ୍ଥାପିତ କରିବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ଦାୟିତ୍ୱହୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ସର୍ଭେ କାମ ଶେଷ ହୋଇପାରିଲା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ସମଲ ବ୍ୟାରେଜ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ସଭାପତି ବିରଞ୍ଚି ନାରାୟଣ ସାହୁଙ୍କ ସମେତ ସଂଘର ସଦସ୍ୟମାନେ ଚେତାବନୀ ଦେଇଛନ୍ତି।

 

ସମ୍ବନ୍ଧିତ ଖବର