ପ୍ରଫେସର ଅଶୋକ ସ୍ବାଇଁଙ୍କ ଓସିଆଇ କାର୍ଡ ବାତିଲ ମାମଲା: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ସୁଇଡେନ୍‌ର ଉପ୍‌ସାଲା ବିଶ୍ବବିଦ୍ୟାଳୟର ‘ପିସ୍ ଆଣ୍ଡ୍‌ କନ୍‌ଫ୍ଲିକ୍ଟ’ ବିଭାଗର ପ୍ରଫେସର ଅଶୋକ ସ୍ବାଇଁଙ୍କ ଭାରତୀୟ ବିଦେଶୀ ନାଗରିକତା (ଓସିଆଇ) କାର୍ଡ ବାତିଲ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ପ୍ରତିଭା ଏମ୍‌ ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଫେବ୍ରୁଆରିରେ ହେବ।

ପ୍ରଫେସର ସ୍ବାଇଁ ତାଙ୍କ ଓସିଆଇ କାର୍ଡ ବାତିଲକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଚଳିତ ବର୍ଷ ଫେବ୍ରୁଆରିରେ ସେ ଭାରତ ସରକାରଙ୍କୁ ସମାଲୋଚନା କରିଥିବାରୁ ତାଙ୍କ ଓସିଆଇ କାର୍ଡକୁ ବାତିଲ କରିଦିଆଯାଇଛି ବୋଲି ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା ହେଲା ସେ କୌଣସି ବିସ୍ଫୋରକ ଭାଷଣ ଦେଇନାହାନ୍ତି କି ଭାରତ ବିରୋଧୀ କାର୍ଯ୍ୟକଳାପରେ ସାମିଲ ନାହାନ୍ତି। ପ୍ରଫେସର ସ୍ବାଇଁଙ୍କ ପକ୍ଷରୁ ଆଇନଜୀବୀ ଆଦିଲ ସିଂହ ବୋପାରାଏ ମାମଲା ପରିଚାଳନା କରୁଛନ୍ତି। ଭାରତରେ ଜନ୍ମିତ ବିଦେଶୀ ନାଗରିକଙ୍କୁ ଓସିଆଇ କାର୍ଡ ଜାରି କରାଯାଇଥାଏ। ଓସିଆଇ କାର୍ଡଧାରୀ ଭାରତରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବସ୍ଥାନ କରି କାର୍ଯ୍ୟକରିବା ପାଇଁ ଆଇନଗତ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର