ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଲୋକାର୍ପିତ: ‘ଏୟାର ସୋ’ରେ ସାମିଲ ହେଲା ସୁଖୋଇ, ମିରାଜ, ରାଫେଲ

ରେକର୍ଡ ୩୬ ମାସରେ ୩୪୧ କିମି ଲମ୍ବ ଏକ୍ସପ୍ରେସ୍‌ ୱେ ନିର୍ମାଣ, ୨୨,୪୯୭ କୋଟି ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ସୁଲତାନପୁରରେ ପୂର୍ବାଞ୍ଚଳ ‘ଏକ୍ସପ୍ରେସ ୱେ’କୁ ଲୋକର୍ପିତ କରିଛନ୍ତି। ୩୬ ମାସ ସମୟସୀମା ମଧ୍ୟରେ ନିର୍ମାଣ ହୋଇଥିବା ଏହି ୩୪୧ କିମି ଲମ୍ବ ଏକ୍ସପ୍ରେସ୍‌ ୱେ ପୂର୍ବାଞ୍ଚଳର ଭାଗ୍ୟ ବଦଳାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଏକ୍ସପ୍ରେସ୍‌ ୱେ ଲକ୍ଷ୍ନୌର ଚାନ୍ଦ ସରାୟରୁ ଆରମ୍ଭ ହୋଇ ଗାଜିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର ନିର୍ମାଣ ବାବଦରେ ୨୨ ହଜାର ୪୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅବସରରେ ଏକ୍ସପ୍ରେସ୍‌ ‌ୱେରେ ହୋଇଥିବା ଏୟାର ସୋରେ ମିରାଜ, ରାଫେଲ ଏବଂ ସୁଖୋଇ ବିମାନ ସାମିଲ ହୋଇଥିଲା। ବିସ୍ମୟକାରୀ ଉଡ଼ାଣ କୌଶଳ ପ୍ରଦର୍ଶନ କରି ଏହି ଯୁଦ୍ଧବିମାନଗୁଡ଼ିକ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ଉତ୍ତରପ୍ରଦେଶରେ ଏବେ ବିକାଶବାଦର ଯୁଗ ଚାଲିଛି। ପୂର୍ବ ସରକାରମାନଙ୍କ ସମୟରେ ବିକାଶ କେବଳ କିଛି ପରିବାର ଓ ସେମାନଙ୍କ ଅଂଚଳରେ ସୀମିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ବର୍ଷ ଧରି ଲକ୍ଷ୍ନୌ ଏବଂ ଦିଲ୍ଲୀରେ କ୍ଷମତାରେ ଥିବା ପରିବାରବାଦୀ ଦଳଗୁଡ଼ିକ କେବଳ ମିଥ୍ୟା ସ୍ବପ୍ନ ଦେଖାଇ ଲୋକଙ୍କୁ ପ୍ରତାରିତ କରୁଥିଲେ। ଯୋଗାଯୋଗ ବ୍ୟବସ୍ଥାରେ ବିକାଶ ନକରି ସେମାନେ ଶିଳ୍ପାୟନର ସ୍ବପ୍ନ ଦେଖାଉଥିଲେ ଏବଂ ଏହାର ପରିଣାମ ସ୍ବରୂପ ଲୋକଙ୍କୁ କେବଳ ପ୍ରତାରଣା ହିଁ ମିଳୁଥିଲା। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ବିକାଶର ସ୍ବପ୍ନ ସକାର ହେଉଛି ଏବଂ ଏହା ଦ୍ବାରା ଗରିବ ଓ ମଧ୍ୟମ ବର୍ଗର ଆର୍ଥିକ ବିକାଶକୁ ‌ଯଥେଷ୍ଟ ପ୍ରୋତ୍ସାହନ ମିଳୁଛି।

୩୪୧ କିମି ଦୀର୍ଘ ରାଜପଥ ନିର୍ମାଣ ହେବା ଯୋଗୁ ଲକ୍ଷ୍ନୌରୁ ବିହାରର ବକ୍ସାରକୁ ୭ ଘଣ୍ଟା ବଦଳରେ ୪ ଘଣ୍ଟା ସମୟ ଲାଗିବ। ଲକ୍ଷ୍ନୌରୁ ଗାଜିପୁରକୁ ୬ ଘଣ୍ଟା ବଦଳରେ ୩.୫ ଘଣ୍ଟା ସମୟ ଲାଗିବ। ଏହି ରାଜପଥକୁ ଏପରି ନିର୍ମାଣ କରାଯାଇଛି, ଯାହାଦ୍ବାରା ଜରୁରୀ ପରିସ୍ଥିତିରେ ଯୁଦ୍ଧ ବିମାନ ବି ଅବତରଣ କରିପାରିବ। ଏହି ରାଜପଥ ରାଜଧାନୀ ଲକ୍ଷ୍ନୌକୁ ମଉ, ଆଜମଗଡ଼, ବାରବାଙ୍କି ପ୍ରଭୃତି ପୂର୍ବାଞ୍ଚଳ ଜିଲ୍ଲା ତଥା ପ୍ରମୁଖ ସହର ପ୍ରୟାଗରାଜ ଓ ବାରାଣସୀ ସହ ସଂଯୁକ୍ତ କରିବ। ଏହି ଛଅ ଲେନ୍ ବିଶିଷ୍ଟ ରାଜପଥକୁ ଆଠ ଲେନ୍ ବିଶିଷ୍ଟ କରାଯାଇପାରିବ। ଏହି ରାଜପଥ କଡ଼ରେ ଏପର୍ଯ୍ୟନ୍ତ କୌଣସି ପେଟ୍ରୋଲ ପମ୍ପ କି ହୋଟେଲ ନିର୍ମାଣ ହୋଇନାହିଁ। ଏହି ରାଜପଥରେ ୧୮ଟି ଫ୍ଲାଇଓଭର, ୭ଟି ରେଳ ଓଭରବ୍ରିଜ୍, ୭ଟି ଦୀର୍ଘ ପୋଲ, ୧୦୪ଟି ଛୋଟ ପୋଲ ଓ ୨୭୧ଟି ଅଣ୍ଡରପାସ୍ ଅଛି। ଯାତ୍ରା ସମୟ ହ୍ରାସ କରିବା ସହ ଏହା ପୂର୍ବାଞ୍ଚଳର ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବାରୁ ଏହି ଏକ୍ସପ୍ରେସ ୱେ ଉଦ୍‌ଘାଟନକୁ ନେଇ ବିରୋଧୀ ଦଳ ନାନା ଆପତ୍ତି ଉଠାଇଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ରାଜପଥର ମାନରେ ସାଲିସ କରିଛନ୍ତି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର