ୟୁକ୍ରେନରେ ଯେଉଁଠି ଅଛ ସେଇଠି ରୁହ ବୋଲି ଭାରତୀୟଙ୍କୁ କହିଲା ଦୂତାବାସ, ତୁରନ୍ତ ସୈନ୍ୟ ଅପସାରଣ ପାଇଁ ଋଷକୁ ନାଟୋର ଚେତାବନୀ

୧୦୦ଟି ଯୁଦ୍ଧ ବିମାନ ନିୟୋଜିତ କଲା ନାଟୋ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁକ୍ରେନର ପ୍ରାୟ ପ୍ରତ୍ୟେକ ସହର ଯୁଦ୍ଧର ଶିକାର ହେଉଥିବା ନେଇ ଖବର ମିଳୁଛି। ଏହି ଆକ୍ରମଣରେ କିଛି ଲୋକ ପ୍ରାଣ ହରାଇଥିବା ନେଇ ଖବର ମିଳୁଥିବା ବେଳେ ୟୁକ୍ରେନରେ ଯେଉଁଠି ଅଛ ସେଇଠି ରୁହ ବୋଲି କହିଛି ଭାରତୀୟ ଦୂତାବାସ। ଯୁଦ୍ଧ ପରିସ୍ଥିତି ହେତୁ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି, ଯାହାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏକ ବିବୃତି ଜାରି କରିଛନ୍ତି।

ବିବୃତିରେ ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀ କହିଛନ୍ତି ଯେ, ଏବେ ବି କିଭରେ ଥିବା ଦୂତାବାସ ଖୋଲା ରହିଛି ଏବଂ କାର୍ଯ୍ୟ କରୁଛି। ଏହି କଠିନ ପରିସ୍ଥିତିର ସମାଧାନ ଖୋଜିବା ପାଇଁ ଆମେ ତତ୍ପରତାର ସହ କାର୍ଯ୍ୟ କରୁଛୁ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ସେଥିପାଇଁ ଏବେ ଯେଉଁଠି ଅଛ, ସେଠାରେ ରୁହ। କଠିନ ପରିସ୍ଥିତିର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଯେଉଁମାନେ ବାଟରେ ଅଟକିଛନ୍ତି, ସେମାନେ ନିଜ ନିଜର ପରିଚିତ ବ୍ୟକ୍ତି ରହୁଥିବା ସ୍ଥାନକୁ ଫେରିଯାଆନ୍ତୁ। ଅଟକିଥିବା ଛାତ୍ରଛାତ୍ରୀ ନିଜ ନିଜର ଶିକ୍ଷାନୁଷ୍ଠାନକୁ ଫେରିଯାଆନ୍ତୁ।

ଅନ୍ୟପକ୍ଷରେ ୟୁକ୍ରେନକୁ ସମର୍ଥନ କରି ନାଟୋ ତୁରନ୍ତ ଋଷକୁ ସୈନ୍ୟ ଫେରାଇନେବାକୁ କହିଛି । ନାଟୋର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ, ଆନ୍ତର୍ଜାତୀୟ ନିୟମକୁ ଋଷ ନିଶ୍ଚିତ ଭାବରେ ସମ୍ମାନ ଦେବା ଉଚିତ୍। ରୁଷର ଉଦ୍ଦେଶ୍ୟ ଉପରେ ବିଶ୍ୱ ନଜର ରଖିଛି। ଋଷ ଏବେ ୟୁକ୍ରେନ ଉପରେ ଏହାର ଶକ୍ତି ବ୍ୟବହାର କରୁଛି। ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏକ ଅପ୍ରାକୃତିକ ତଥା ଅବାଞ୍ଛିତ ଆକ୍ରମଣ ବୋଲି ସେ କହିଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଆମର ୧୦୦ରୁ ଅଧିକ ଯୁଦ୍ଧ ବିମାନ ବାୟୁସେନାକୁ ଜଗି ରହିଛି ଏବଂ ଉତ୍ତରରୁ ଭୂମଧ୍ୟସାଗର ପର୍ଯ୍ୟନ୍ତ ସମୁଦ୍ରରେ ୧୨୦ରୁ ଅଧିକ ଯୁଦ୍ଧ ଜାହାଜକୁ ନିୟୋଜିତ କରାଯାଇଛି। ଆମର ସହଯୋଗୀ ଦେଶକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ।

ସମ୍ବନ୍ଧିତ ଖବର