ରସାୟନିକ ଆକ୍ରମଣ ବିପଦ ବଢ଼ୁଛି: ମାରିୟୁପୋଲ୍‌ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିବ, ୧୦ ହଜାରରୁ ଅଧିକ ଲୋକ ମଲେଣି

କିବ୍‌ : ୟୁକ୍ରେନ୍‌ ଯୁଦ୍ଧକୁ ୪୮ ଦିନ ପୂରିଥିବା ବେଳେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଇତି ମଧ୍ୟରେ ରୁଷ୍‌ ମାରିୟୁପୋଲ୍‌ରେ ଜୋରଦାର ଲଢ଼େଇ କରିଛି। ମାରିୟୁପୋଲ୍‌ରେ ରୁଷ୍‌ ରସାୟନିକ ଅସ୍ତ୍ର ବ୍ୟବହାର କରିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ୟୁକ୍ରେନ୍‌ର ଏଜୋବ୍‌ ରେଜିମେଣ୍ଟ୍‌ ରିପୋର୍ଟ ଆଧାରରେ ଜେଲେନ୍‌ସ୍କି ଏଭଳି ଅଭିଯୋଗ ଆଣିଛନ୍ତି। ୩ ଜଣ ସୈନିକ ଗତକାଲି କୌଣସି ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସି ସଙ୍କଟାପନ୍ନ ହୋଇଛନ୍ତି। ମାରିୟୁପୋଲ୍‌ ଲଢ଼େଇ ପାଇଁ ନି‌ୟୋଜିତ ହୋଇଥିବାଏଜୋବ୍‌ ବାଟାଲିଅନ ମୁଖ୍ୟ କହିଛନ୍ତି, ରୁଷ୍‌ ସେନା ମାରିୟୁପୋଲ୍‌ର ଏକ ବିଶାଳ ପ୍ଲାଣ୍ଟ୍‌ରେ ଡ୍ରୋନ୍‌ ଆକ୍ରମଣ ସମୟରେ ବିଷାକ୍ତ ପଦାର୍ଥ ପକାଇଛି। ଏଥିଯୋଗୁଁ କିଛି ସୈନିକ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି।

ୟୁକ୍ରେନ୍‌ର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲିଲାର କହିଛନ୍ତି, ସରକାର ଏ ଦିଗରେ ଅଧିକ ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ରୁଷ୍‌ ସେନା ଫସଫରସ ବାରୁଦ ବ୍ୟବହାର କରିଛି। ମାରିୟୁପୋଲ୍‌ରେ ରୁଷ୍‌ ଆକ୍ରମଣ ଯୋଗୁଁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମାରିୟୁପୋଲ୍‌ ମେୟର କହିଛନ୍ତି। ଆଗକୁ ଏହି ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବ ବୋଲି ସେ କହିଛନ୍ତି। ୪୮ ଦିନର ଯୁଦ୍ଧ ମଧ୍ୟରେ ୧୯ ହଜାରରୁ ଅଧିକ ରୁଷ୍‌ ସୈନିକ ନିପାତ ହୋଇଛନ୍ତି। ରୁଷ୍‌ ସେନା ମଙ୍ଗଳବାର ସୁଦ୍ଧା ମାରିୟୁପୋଲ୍‌ ସହରକୁ ନିୟନ୍ତ୍ରଣ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ହାସଲ ହୋଇନାହିଁ। ବ୍ରି‌ଟେନ୍‌ ବିଦେଶ ସଚିବ ଲିଜ୍‌ ଟ୍ରସ୍‌ କହିଛନ୍ତି ରସାୟନିକ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯଦି ରୁଷ୍‌ ରସାୟନିକ ଅସ୍ତ୍ର ବ୍ୟବହାର କରିଥାଏ ତେବେ ପଶ୍ଚିମ ରାଷ୍ଟ୍ରମାନେ ଏହାର କଡ଼ା ଜବାବ ଦେବେ ବୋଲି ଟ୍ରସ୍‌ କହିଚନ୍ତି। ଆମେରିକା ମଧ୍ୟ ଉକ୍ତ ଘଟଣାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛି। ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ ପରେ ରୁଷ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରିଟେନ୍‌ କହିଛି।

ସମ୍ବନ୍ଧିତ ଖବର