୫୦ ହଜାର ଟଙ୍କାର କ୍ଷତିପୂରଣକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ: ଦରକାର ହେଲେ ମୃତ୍ୟୁ ପ୍ରମାଣପତ୍ରରେ ସଂଶୋଧନ ହେବ

ଆବେଦନର ୩୦ ଦିନରେ କ୍ଷତିପୂରଣ ଦେବାକୁ ତାଗିଦ

ନୂଆଦିଲ୍ଲୀ: କୋଭିଡ୍‌-୧୯ରେ ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କାର ଅନୁଗ୍ରହ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ସୁପ୍ରିମ୍‌କୋର୍ଟ ଏହାକୁ ଅନୁ ମୋଦନ କରିଛନ୍ତି। କ୍ଷତିପୂରଣ ପ୍ରଦାନ ନିମନ୍ତେ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆସିଥିବା ଆବେଦନ ଉପରେ ବିଚାର କରି କୋର୍ଟ ଏକ ଆଦେଶନାମା ଜାରି କରିଛନ୍ତି।

ସୋମବାର ଶୁଣାଣି ଅବସରରେ ଜଷ୍ଟିସ୍ ଏମ୍‌ଆର୍ ଶାହ କହିଲେ ଯେ, କୋଭିଡ୍‌-ମୃତକଙ୍କ ଅତି ନିକଟ ସମ୍ପର୍କୀୟଙ୍କୁ ୫୦,୦୦୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଦେଉଥିବା ଅନ୍ୟାନ୍ୟ ସାହାଯ୍ୟଠାରୁ ଏହା ଅଲଗା ହେବ। ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍‌-୧୯ ଜନିତ ବୋଲି ଲେଖା ନଥିବା ଆଳରେ ସରକାର ଅନୁଗ୍ରହ କ୍ଷତିପୂରଣ ରାଶି ପ୍ରାପ୍ତିରୁ ହିତାଧିକାରୀଙ୍କୁ ବଞ୍ଚିତ କରିପାରିବେ ନାହିଁ। ମୃତ୍ୟୁ ପ୍ରମାଣପତ୍ରକୁ ସଂଶୋଧନ କରିବାର ଦାୟିତ୍ବ ଜିଲ୍ଲା କର୍ତ୍ତୃପକ୍ଷଙ୍କର। ଜିଲ୍ଲାସ୍ତରୀୟ କମିଟିର ବିବରଣୀ ଛାପା ଗଣମାଧ୍ୟମରେ ପ୍ରକାଶ ପାଇବା ଦରକାର ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି।

କୋର୍ଟ ଆହୁରି କହିଛନ୍ତି ଯେ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ଅର୍ଥ ପଇଠ କରାଯିବ। ଦରଖାସ୍ତ କରିବାର ୩୦ ଦିନ ଭିତରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ଏବଂ ମୃତ୍ୟୁର କାରଣ କୋଭିଡ୍-୧୯ ବୋଲି ଉଲ୍ଲେଖ ଥିବା ଦରକାର। ଯାହାର ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ଲେଖା ନାହିଁ, ତାକୁ ସଂଶୋଧନ କରାଯିବ ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏଥିରେ ସହଯୋଗ କରିବେ। କୋର୍ଟଙ୍କ ରାୟ ପ୍ରକାଶ ପରେ ବି ଯେଉଁମାନଙ୍କର କୋଭିଡ୍‌-୧୯ ଯୋଗୁ ମୃତ୍ୟୁ ହେବ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ବିଚାରପତି ଏମ୍‌ଆର୍‌ ଶାହ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଅଭିଯୋଗ ଶୁଣାଣି କମିଟି ମୃତକର ମେଡିକାଲ ରେକର୍ଡ ଯାଞ୍ଚ କରିପାରିବେ ଏବଂ ୩୦ ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇପାରିବେ। ହସ୍ପିଟାଲଗୁଡ଼ିକରୁ ରେକର୍ଡ ମଗାଇବାର କ୍ଷମତା କମିଟିର ରହିବ।

ସୂଚନାଯୋଗ୍ୟ ଯେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) କୋଭିଡ୍‌-ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କା ଅନୁଗ୍ରହ କ୍ଷତିପୂରଣ ଦେବାକୁ ସୁପାରିସ କରିଥିଲେ ଏବଂ ଏ ସମ୍ପର୍କରେ କେନ୍ଦ୍ର ସରକାର ଗତମାସରେ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର