ରେଳଧାରଣାରୁ ଖଣ୍ଡବିଖଣ୍ଡିତ ଶବ ଜବତ

ବାରଙ୍ଗ/ତ୍ରିଶୁଳିଆ : ମଞ୍ଚେଶ୍ବର ରେଳବାଇ ଥାନା ପୁଲିସ ସୋମବାର ପଦାସାହି ରେଳ ଫାଟକ ନିକଟ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିଛି। ମୃତକ କେନ୍ଦୁଝରର ରୁଦ୍ରାକ୍ଷ ଜେନା(୨୧) ବୋଲି ଜଣାପଡ଼ିଛି। ସେ କେରଳର ତ୍ରିଭେନ୍ଦ୍ରମରୁ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନରେ ଘରକୁ ଫେରୁଥିଲେ। କୌଣସି କାରଣରୁ ଚଳନ୍ତା ଟ୍ରେନରୁ ଖସିପଡ଼ିଥିଲେ। ଟ୍ରେନରେ ରହିଯାଇଥିବା ତାଙ୍କ ବ୍ୟାଗ ହାଓଡା ଷ୍ଟେସନରୁ ଜିଆରପି ପୁଲିସ ଉଦ୍ଧାର କରିଥିଲା। ଉଭୟ ମଞ୍ଚେଶ୍ବର ଓ ହାଓଡା ରେଳବାଇ ପୁଲିସ ପରସ୍ପର ସୂଚନା ଆଦାନ ପ୍ରଦାନରୁ ମୃତକଙ୍କ ପରିଚୟ ମିଳିଥିଲା। ଶବ ପାଖରେ ପଡ଼ିଥିବା ଏକ ମୋବାଇଲ ଫୋନ ଓ ପ୍ୟାଣ୍ଟ ପାକେଟରୁ ୫ ଶହ ଟଙ୍କା ଥିବା ଏକ ମନିପର୍ସ ମିଳିଛି। ମଞ୍ଚେଶ୍ବର ରେଳବାଇ ଥାନା ପୁଲିସ ଯୁବକର ପରିବାରକୁ ସୂଚନା ଦେବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର