ଭିଜିଲାନ୍ସ ଜାଲରେ ସିଡିପିଓ, ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ସିଡିପିଓ ମିନା କୁମାରୀ ପାତ୍ର ବିଶ୍ଵନାଥପୁରସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ, ସିଡିପିଓ ସ୍ଥାନୀୟ ଡୁମେରମୁଣ୍ଡା ଗ୍ରାମର ଅମରଜ୍ୟୋତି ଓ ଲାଞ୍ଜିଗଡ଼ ରୋଡ୍‌ର ଯୋଗମାୟ ଏସ୍‌ଏଚ୍‌ଜି ଗ୍ରୁପ୍‌ର ୧୧ ଲକ୍ଷ ୫୯ ହଜାର ଟଙ୍କା ଛତୁଆ ବିଲ୍‌ ବାବଦକୁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସଂପୃକ୍ତ ଗୋଷ୍ଠୀର ସଦସ୍ୟ ମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ଦଳ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା। ସୋମବାର ଅପରାହ୍ଣରେ ସେ ତାଙ୍କ ବିଶ୍ୱନାଥପୁରସ୍ଥିତ କାର୍ଯ୍ୟାଳୟରେ ମହିଳା ଗୋଷ୍ଠୀଙ୍କ ଠାରୁ ୮୦ ହଜାର ଟଙ୍କା ନେଉଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ କାବୁ କରିବା ସହିତ ଟଙ୍କା ଜବତ କରିଥିଲେ। । ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ।

କୋରାପୁଟ ଭିଜିଲାନ୍ସ କେସ୍‌ ନଂ ୨୧/ ୩.୧୦.୨୧ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ସିଡିପିଓ ମିନା କୁମାରୀ ଗିରଫ ପରେ ଲାଞ୍ଜିଗଡ଼ ବ୍ଲକ୍‌ ସିଡିପିଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ମହିଳା ସୁପରଭାଇଜରଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧିତ ଖବର