ଏ ବର୍ଷ ମାସେ ବିଳମ୍ବରେ ଫେରିବ ମୌସୁମୀ, ୬୦ ବର୍ଷରେ ସବୁଠାରୁ ବିଳମ୍ବ, ସାରା ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ : ଏ ବର୍ଷ ବିଳମ୍ବରେ ଭାରତକୁ ଆସିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ ଓ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହେଲା । କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏତେ ବର୍ଷା ହେଲା ଯେ ଲୋକମାନେ ତ୍ରାହି ତ୍ରାହି ଡାକଦେଲେଣି । ବିଳମ୍ବରେ ଆସିଥିବା ମୌସୁମୀ ଫେରିବାର ନାଁ ଧରୁନାହିଁ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୫୯ ବର୍ଷରେ ଏତେ ବିଳମ୍ବରେ ମୌସୁମୀ ଯାଇନଥିଲା ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ ଭାରତ ଛୁଇଁଥାଏ ଓ ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲେଉଟିବା ଆରମ୍ଭ କରେ । ସେପ୍ଟେମ୍ବରେ ସାଧାରଣ ବର୍ଷା ହୋଇ ଅକ୍ଟୋବର ଆରମ୍ଭ ବେଳକୁ ବର୍ଷା ନଥାଏ । କିନ୍ତୁ ଏଥର ସେପ୍ଟେମ୍ବର ମାସରେ ସବୁଠୁ ଅଧିକା ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀ ଏବେ ବି ସକ୍ରିୟ ରହିଛି । ଏହା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅର୍ଥାତ ମାସେ ବିଳମ୍ବରେ ଫେରିବା ଆରମ୍ଭ କରିବ । ଅର୍ଥାତ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବର୍ଷା କମିବ ନାହିଁ । ସାରା ଭାରତରେ ଏବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ଆଇଏମଡି କହିଛି ।

ସମ୍ବନ୍ଧିତ ଖବର