ସାମୁଦ୍ରିକ ବାତ୍ୟା ଫନି ବର୍ମା ଆଡକୁ ମୁହାଁଇଲେ ଭାରତରେ ପରିସ୍ଥିତି ଅସମ୍ଭାଳ ହେବ, କିପରି ଜାଣନ୍ତୁ

ଭୁବନେଶ୍ୱର : ଭାରତର ପୂର୍ବ ଉପକୂଳ ଆଡକୁ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନିକୁ ନେଇ ତାମିଲନାଡୁ, ପୁଡୁଚେରୀ , ଆନ୍ଧ୍ର ଓ ଓଡ଼ିଶା ଲୋକମାନଙ୍କ ମଧ୍ୟରେ ଛନକା ପଶିଛି । ଆସନ୍ତା ୩୦ ତାରିଖ ସଂଧ୍ୟା କିମ୍ବା ୧ ତାରିଖ ପୂର୍ବାହ୍ଣରେ ଏହି ବାତ୍ୟା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ରହିବା ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଓଡ଼ିଶାରେ ୨ ଓ ୩ ତାରିଖରେ ପ୍ରବଳ ବର୍ଷା ହେବ । କିନ୍ତୁ ଏକ ଭିନ୍ନ ପୂର୍ବାନୁମାନ ଲଗାଇଛନ୍ତି ତାମିଲନାଡୁର ଜଣେ ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ ।

ସେ କହିଛନ୍ତି ଯେ ଫନି ତାମିଲନାଡୁରେ ମାଡ କରିବା ସମ୍ଭାବନା କମ ରହିଛି । କାରଣ ଗତ ୫୦ ବର୍ଷ ହେଲା ଏପ୍ରିଲ ମାସରେ କୌଣସି ବାତ୍ୟା ତାମିଲନାଡୁକୁ ଛୁଇଁନାହିଁ । ଏହି ବାତ୍ୟାର ବର୍ମା ଆଡକୁ ବୁଲିଯିବାର ସମ୍ଭାବନା ରହିଛି । କିନ୍ତୁ ଏହା ହେଲେ ଆମର ଲାଭ ଅପେକ୍ଷା କ୍ଷତି ଅଧିକ ହେବ ବୋଲି ସେ କହିଛନ୍ତି । କାରଣ ବାତ୍ୟା ବର୍ମା ଆଡକୁ ବୁଲି ଗଲେ ପୂର୍ବଭାରତର ବାୟୁମଣ୍ଡଳରେ ଥିବା ଆର୍ଦ୍ରତାକୁ ଶୋଷିନେବ । ତାହା ମଧ୍ୟ ମୌସୁମୀକୁ ଦୂର୍ବଳ କରିବ । ଏହା ଫଳରେ ଦେଶରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଦେଖାଦେବ ।

ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ ୧୯୯୮ ମସିହା ୩୦ ମେରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବର୍ମା ଆଡକୁ ପଳାଇଯାଇଥିଲା । ସେ ବର୍ଷ ଦେଶରେ ପ୍ରବଳ ଗ୍ରୀଷ୍ଣପ୍ରବାହ ଦେଖାଦେଇଥିଲା ଓ ଅଂଶୁଘାତରେ ୨୫୦୦ ଲୋକ ମୃତ୍ୟୁବରଣ କରିଥିଲେ । ଏପରି ଏକ ପରିସ୍ଥିତି ଦେଖାଦେଇଥିଲା ୨୦୦୩ ମସିହାରେ । ସେବର୍ଷ ମେ ୩୧ରେ ଏକ ବାତ୍ୟା ଭାରତୀୟ ଉପକୂଳ ଆଡକୁ ଆସିବା ପରେ ବର୍ମା ଆଡକୁ ମୁହାଁଇଥିଲା । ସେବର୍ଷ ଅଂଶୁଘାତରେ ୧୦୦୦ ଲୋକ ମୃତ୍ୟୁବରଣ କରିଥିଲେ । ଏଥର ବି ସେୟା ହେବ ନାହିଁ ତ ?

ସମ୍ବନ୍ଧିତ ଖବର