ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବିମାନ ଦୁର୍ଘଟଣା ଘଟି ୭ ମୃତ; ୬ ଆହତ

କନେକ୍ଟିକଟ୍‌: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଟଫୋର୍ଡ ନିକଟରେ ଥିବା ଗୋଟାଏ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ଏକ ବୋମାନିକ୍ଷେପଣକାରୀ ବି-୧୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୋଡ଼ି ଯିବାରୁ ସାତଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ କେତେ ଘଣ୍ଟା ଧରି ବିମାନବନ୍ଦର ବନ୍ଦ ରହିଥିଲା।

ବୋଇଙ୍ଗ୍‌ ବି-୧୭ ଫ୍ଲାଇଙ୍ଗ୍‌ ଫୋର୍ଟଟ୍ରେସ୍‌ଟି ଉଡ଼ାଣ ଆରମ୍ଭ କରିବାର ଦଶ ମିନିଟ୍‌ ମଧ୍ୟରେ କୌଣସି ସମସ୍ୟାରେ ସମ୍ମୁଖୀନ ହେବାରୁ ବ୍ରାଡ୍‌ଲି ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରି ଆସିଥିଲା। ରନ୍‌େଓ୍ଵରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଗୋଟାଏ ମରାମତି ଗୃହ ଏବଂ ଡି-ଆଇସିଙ୍ଗ୍‌ ଫ୍ଲୁଇଡ୍‌ ଟ୍ୟାଙ୍କ୍‌ ସହ ଧକ୍କା ଖାଇଥିବା କଥା କନେକ୍ଟିକଟ୍‌ ବିମାନବନ୍ଦରର କର୍ତ୍ତୃପକ୍ଷ ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ କେଭିନ୍‌ ଡିଲୋନ୍‌ କହିଛନ୍ତି।

Image Source: India Today

ଦୁର୍ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଛଅ ଜଣ ସାମାନ୍ୟରୁ ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ବିମାନଟିରେ ୧୩ ଜଣ ଲୋକ ଯାତ୍ରା କରୁଥିଲେ। ସକାଳ ପ୍ରାୟ ୧୦ ପୂର୍ବରୁ ବିମାନଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା।

ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟ ସେଫ୍‌ଟି ବୋର୍ଡ ଏହି ଦୁର୍ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର