ଜିନପିଙ୍ଗ୍ ଗଲେ କାଠମାଣ୍ଡୁ, ମୋଦୀ ଫେରିଲେ ଦିଲ୍ଲୀ

ଚେନ୍ନାଇ: ଦୁଇଦିନିଆ ଭାରତ ଗସ୍ତ ଶେଷ କରି ଫେରି ଯାଇଛନ୍ତି ଚୀନ ରାଷ୍ଟ୍ରପତି । ଚେନ୍ନାଇ ବିମାନ ବନ୍ଦରରେ ଚୀନ ବାୟୁସେନାର ସ୍ୱତନ୍ତ୍ର ବିମାନରେ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି ସି ଜିନପିଙ୍ଗ । ଏହି ଅବସରରେ ଜିନପିଙ୍ଗଙ୍କୁ ବିଦାୟ ଦେଇଛନ୍ତି  ଭାରତୀୟ ଅଧିକାରୀ ।  ତାମିଲନାଡୁର ଚେନ୍ନାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଜିନପିଙ୍ଗଙ୍କ ବିମାନ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଛି । ଦୁଇଦିନିଆ ଭାରତ ଗସ୍ତରେ ଆସି ତାମିଲନାଡୁର ମହାବଳୀପୁରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୁଇ ଥର ୬ ଘଣ୍ଟାରୁ  ଅଧିକ ସମୟ ଅନୌପଚାରିକ ସାକ୍ଷାତ-ଆଲୋଚନା କରିଛନ୍ତି ଜିନପିଙ୍ଗ।  ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚେନ୍ନାଇରୁ ଦିଲ୍ଲୀ ଫେରି ଯାଇଛନ୍ତି। ଦୁଇ ଦିନ ତାମିଲନାଡୁରେ ରହିବା ପରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଦିଲ୍ଲୀ ଫେରିଛନ୍ତି।

ଜିନପିଙ୍ଗଙ୍କ ଗସ୍ତକୁ ନେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି, ଆଜି ଦୁଇ ନେତା ୯୦ ମିନିଟ ଧରି ଆଲୋଚନା କରିଛନ୍ତି । ଦୁଇ ଦିନର ଗସ୍ତ ଭିତରେ ମୋଦୀଙ୍କ ସହ ଜିନପିଙ୍ଗ ୬ ଘଣ୍ଟା ୱାନ-ଟୁ-ୱାନ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭାରତର ସାଧାରଣ ନାଗରିକଙ୍କ ସହ ଚୀନ ଜନସାଧାରଣଙ୍କ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଏହି ସାକ୍ଷାତ ଆଲୋଚନା ସମୟରେ କଶ୍ମୀର ପ୍ରସଙ୍ଗ ନେଇ କୌଣସି ଆଲୋଚନା ହୋଇ ନ ଥିଲା । ଆତଙ୍କବାଦ, ସୀମା ସମସ୍ୟା ଓ ବାଣିଜ୍ୟ ଉପରେ ଆଲୋଚନା ହୋଇଥିଲେ ମଧ୍ୟ କାଶ୍ମୀରକୁ ନେଇ ନୀରବତା ଅବଲମ୍ବନ କରିଥିଲେ ଜିନପିଙ୍ଗ ।

ବୈଦେଶିକ ସଚିବ ବିଜୟ ଗୋଖଲେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି କଶ୍ମୀର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇନାହିଁ। କାରଣ ଏ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏହା ଭ‌ାରତର ଆଭ୍ୟନ୍ତରୀଣ ବ୍ୟାପାର ତେଣୁ ଅନ୍ୟ ଦେଶର ଏଥିରେ ହସ୍ତକ୍ଷେପ ଲୋଡ଼ା ନାହିଁ।

ସମ୍ବନ୍ଧିତ ଖବର