ଗତ ନଭେମ୍ବର ୧୯ ତାରିଖ ଦିନ ଯେତେବେଳେ କଟକ ବାଲିଯାତ୍ରାର ପଥୋତ୍ସବରେ କୋଲକାତାର ଏକ ବଙ୍ଗୀୟ ଦମ୍ପତି ଜଣେ ଦଶମାସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ, ଏହାକୁ ସବୁ ମହଲରେ ପ୍ରଶଂସା କରାଗଲା। ପ୍ରଶଂସା କରାଗଲା ବାଲିଯାତ୍ରାର ଏହି ନୂଆ ପରମ୍ପରାକୁ ଏବଂ ଅନାଥ ଶିଶୁଙ୍କୁ ନୂଆ ଜୀବନ ଦେଇଥିବା ଏହ ଦମ୍ପତିଙ୍କୁ। ଏହାପୂର୍ବରୁ ଅର୍ଥାତ୍ ଗତ ଜୁଲାଇ ମାସରେ ଆଉ ଏକ ପ୍ରଶଂସନୀୟ ଘଟଣା ଘଟିଥିଲା ଯେତେବେଳେ ଯାଜପୁରର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ପଶ୍ଚିମବଙ୍ଗର ଦୁଇ ଅବିବାହିତ ଭଉଣୀ ୩ ଅନାଥ ଶିଶୁଙ୍କୁ ଆପଣେଇନେଲେ।
ସରକାରୀ ବ୍ୟବସ୍ଥାରେ ହେଉ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ହେଉ ଅନାଥ ଶିଶୁଙ୍କୁ ପୋଷ୍ୟଗ୍ରହଣ ମାନବତା ଦୃଷ୍ଟିକୋଣରୁ ଏକ ସ୍ବାଗତ୍ଯୋଗ୍ୟ ପଦେକ୍ଷପ। ନିଷ୍ପାପ ତଥା ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ଏକ ନିଶ୍ଚିତ ଜୀବନ ସହିତ ପରିଚିତ କରାଇବା ଗୋଟିଏ ସଭ୍ୟସମାଜ ରାଷ୍ଟ୍ରର ଦାୟିତ୍ବ। ସୁଖର କଥା, ଆମ ରାଜ୍ୟରେ ସରକାରୀ ସ୍ତରରେ ଏଥିପାଇଁ ଗୋଟିଏ ବାସ୍ତବବାଦୀ ପଦେକ୍ଷପ ଗ୍ରହଣ କରାଯାଉଛି। ରାଜ୍ୟରେ କେତେ ଅନାଥ ଶିଶୁ ଏବଂ ଏକମାତ୍ର ସନ୍ତାନ ଅଛନ୍ତି , ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିସନ ଶକ୍ତି ପକ୍ଷରୁ ଉଦ୍ୟମ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ପକ୍ଷରୁ ଏହି ଗଣନା କାର୍ଯ୍ୟ ସମ୍ପାଦନ କରାଯାଉଥିବାରୁ ଏଥିରେ ଏକ ସଠିକ୍ ଚିତ୍ର ମିଳିବ ବୋଲି ଆଶା କରାଯାଉଛି। କାରଣ, ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣକୁ ନେଇ ଯେଉଁଭଳି ଭାବେ ସରକାରୀ କଟକଣା ରହିଛି, ସେଥିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ନିର୍ଦ୍ଦିଷ୍ଟ ପରିସଂଖ୍ୟାନର ମଧ୍ୟ ଆବଶ୍ୟକତା ରହିଛି। ବିଭିନ୍ନ ସମୟରେ ବେସରକାରୀ ଭାବେ କିମ୍ବା ଆପୋଷ ବୁଝାମଣାରେ ବି ଶିଶୁ ଗ୍ରହଣ କରାଯାଉଛି। ପୁଣି କେତେବେଳେ ସତସତିକା ପୋଷ୍ୟଗ୍ରହଣ କରାଯାଉଥିବାବେଳେ ଆଉ କେତେବେଳେ ଶିଶୁଙ୍କୁ ବିକ୍ରି କରିବା ଭଳି ଘଟଣା ଦେଖିବାକୁ ମିଳୁଛି। ଅନେକ ସମୟରେ ଏହା ପଛରେ ଜନ୍ମିତ ବାପାମା’ଙ୍କ ଦାରିଦ୍ର୍ୟକୁ କାରଣ ବୋଲି କୁହାଯାଉଛି।
ନିକଟରେ ‘ଫ୍ୟାମିଲିଜ୍ ଅଫ୍ ଜୟ’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଦତ୍ତ ଏକ ତଥ୍ୟ ଅନୁସାରେ ୨୦୧୯ ମସିହା ସେପ୍ଟେମ୍ବର ସୁଦ୍ଧା ଦେଶରେ ୨୨୯୦ ଜଣ ଶିଶୁ ପୋଷ୍ୟସନ୍ତାନ ଭାବେ ଯିବା ପାଇଁ ଅପେକ୍ଷାରେ ରହିଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଅପରପକ୍ଷେ, ୨୬,୦୦୦ ନିଃସନ୍ତାନ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ସରକାରୀ ଭାବେ କୁହାଯାଉଛି। ଏହି ପରିସଂଖ୍ୟାନକୁ ଦୃଷ୍ଟିକୁ ଆଣିଲେ, ନିଷ୍ପାପ ଶିଶୁ ଯେମିତି କୋଳ ଖୋଜୁଛନ୍ତି ସେମିତି ବହୁ ଦମ୍ପତି ମଧ୍ୟ ନିଜ ଜୀବନ ଅଗଣାକୁ ଶିଶୁଙ୍କ ପ୍ରତିଟି ଶବ୍ଦରେ କୋଳାହଳମୟ କରିବାକୁ ଚାହାନ୍ତି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ ଆଡ୍ପସନ୍ ରିସୋର୍ସ ଅଥରିଟିର ତଥ୍ୟ ଅନୁସାରେ, ୨୦୧୦ ମସିହାରେ ଦେଶ ଭିତରେ ୫୬୯୩ ଜଣ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରାଯାଇଥିବାବେଳେ ଦେଶ ବାହାରେ ୬୨୮ ଜଣ ଶିଶୁଙ୍କୁ ଗ୍ରହଣ କରାଯାଇଛି। ୨୦୧୧ ମସିହା ଜାନୁଆରିରୁ ୨୦୧୨ ମସିହା ମାର୍ଚ୍ଚ ମଧ୍ୟରେ ଦେଶ ଓ ଦେଶ ବାହାରେ ଯଥାକ୍ରମେ ୫୯୬୪ ଓ ୬୨୯ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ସେହିଭଳି, ୨୦୧୨-୧୩ରେ ଯଥାକ୍ରମେ ୪୬୯୪ ଓ ୩୦୮ ଜଣ; ୨୦୧୩-୨୦୧୪ ମସିହାରେ ୩୯୨୪ ଓ ୪୩୦; ୨୦୧୪-୧୫ରେ ୩୯୮୮ ଓ ୩୭୪; ୨୦୧୫-୧୬ରେ ୩୦୧୧ ଓ ୬୬୬; ୨୦୧୬-୧୭ରେ ୩୨୧୦ ଓ ୫୭୮; ୨୦୧୭-୧୮ରେ ୩୨୭୬ ଓ ୬୫୩ ଜଣ ଏବଂ ୨୦୧୮-୧୯ରେ ଦେଶ ଭିତରେ ୩୩୭୪ ଜଣ ଶିଶୁ ଏବଂ ଦେଶ ବାହାରେ ୬୫୩ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି।
୨୦୧୮ ମସିହାରେ ରାଜ୍ୟର ତତ୍କାଳୀନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଦେଇଥିବା ଉତ୍ତର ଅନୁଯାୟୀ, ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ୮୬ ଜଣ ଶିଶୁଙ୍କୁ ବିଦେଶୀ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେହିଭଳି ରାଜ୍ୟର ଆଡପ୍ସନ ରିସୋର୍ସ ଏଜେନ୍ସି (ସାରା) ରିପୋର୍ଟ ଅନୁସାରେ, ୨୦୧୩ ମସିହାରେ ୧୭୦ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବାବେଳେ ୨୦୧୪ ମସିହା ଓ ୨୦୧୫ ମସିହାରେ ଏହି ସଂଖ୍ୟା ଯଥାକ୍ରମେ ୧୯୮ ଓ ୧୯୮। ପରବର୍ଷ ମାନଙ୍କରେ ରହିଥିବା ପରିସଂଖ୍ୟାନ ହସ୍ତଗତ ହୋଇନାହିଁ।
ତେବେ, ପୋଷ୍ୟ ଗ୍ରହଣ ଲକ୍ଷ୍ୟସ୍ଥଳରେ ଓଡ଼ିଶା ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହି ଆସୁଛି ବେଶ୍ କିଛି ବର୍ଷଧରି। ତେବେ, ଯେ ପର୍ଯ୍ୟନ୍ତ ଅନାଥ ଶିଶୁଙ୍କ ସଂଖ୍ୟା ହ୍ରାସ କରିବାରେ ଆମେ ସମର୍ଥ ହୋଇନାହୁଁ, ସେ ପର୍ଯ୍ୟନ୍ତ ଆମେ ଏହି ଉଦ୍ୟମରେ ଆଖିଦୃଶିଆ ସଫଳତା ହାସଲ କରିଛୁ ବୋଲି କହିପାରିବା ନାହିଁ। ବାକି ରହିଲା, ପୋଷ୍ୟଗ୍ରହଣ ପରେ ଶିଶୁମାନଙ୍କ ଅବସ୍ଥାକୁ ନିରୀକ୍ଷଣ କରିବା। ସେ ପାଇଁ ମଧ୍ୟ ବାସ୍ତବ ଉଦ୍ୟମ ହେବା ଉଚିତ, ଯଦିଓ ଏପାଇଁ ଆଇନରେ କିଛି ପ୍ରାବଧାନ ରହିଛି। ଆମକୁ ପରିସଂଖ୍ୟାନରେ ନୁହେଁ, ଶିଶୁର ପ୍ରକୃତ ହସରେ ହିଁ ବାସ୍ତବତା ରହିଛି- ଏହାକୁ ଦୃଷ୍ଟି ଦେବାକୁ ହେବ।