ଫଳ ବିକୁଛନ୍ତି ଆଲବମ୍‌ ନାୟିକା, କରୋନା ସଜେଇ ଦେଲା ରାସ୍ତାକଡ଼ ବେପାରୀ

ତାଳିରେ ମନ ପୂରିଯାଏ, ପେଟ ପୂରେନି

ଭୁବନେଶ୍ୱର, (ସତ୍ୟନାରାୟଣ ରାଉତରାୟ): ପରଦା ଉପରେ ଚକ୍‌ଚକ୍‌ ଦିଶୁଥିବା କିଛି ମୁହଁ ପଛରେ ବି ଲୁଚିଥାଏ ପୂଳାପୂଳା ଦୁଃଖ। ଯାତ୍ରା ମଞ୍ଚରେ ‌ରଙ୍ଗବୋଳା ମୁହଁରୁ ଉତୁରୁଥିବା ରୋମାଣ୍ଟିକ୍‌ ସଂଳାପ ଭିତରେ ବି ଛୁପିଥାଏ ଅସରା ଅସରା କୋହ। ଅବଶ୍ୟ ଚିକିମିକି ଆଲୁଅର ଭିଡ଼ ଭିତରେ ତାହା ଅସ୍ପଷ୍ଟ ହୋଇଯାଏ। ମାତ୍ର ସମୟର କରାଳ ଗତି ବେଳେବେଳେ ତା’ ଅଣ୍ଟା ଭାଙ୍ଗିଦିଏ। ସେ ଛିଡ଼ା ହେଇଥିବା ମାଟି ଉପରେ ବି ଅଣ୍ଟା ସଳଖିବାକୁ ଦମ୍ଭ ପାଏନି। ମଞ୍ଚରେ ହଜାର ହଜାର ଦର୍ଶକଙ୍କ ମନ ମୋହୁଥିବା ଅଭିନେତ୍ରୀଟିଏ ଯେ ଶେଷରେ ନିଜ ପରିବାର ପାଇଁ ରାସ୍ତା କଡ଼ରେ ଫଳ ଦୋକାନ ଦେଇପାରେ ତା’ର ନିଚ୍ଛକ ଉଦାହରଣ ହେଉଛନ୍ତି ଅଭିନେତ୍ରୀ ପ୍ରତିଭା ମହାରଣା। କଳାର ପ୍ରତିଭାରେ ଭରପୂର ପ୍ରତିଭାଙ୍କୁ ଯାତ୍ରା ଦର୍ଶକମାନେ ଜାଣନ୍ତି ରିଙ୍କି ନାଁ’ରେ। ଘର ତାଙ୍କର ଖୋର୍ଧା ରାଜସୁନାଖଳା ହଳଦୀପଡ଼ିଆ ଗ୍ରାମରେ। କିନ୍ତୁ ରୁହନ୍ତି ସ୍ଥାନୀୟ କଳିଙ୍ଗ ନଗରସ୍ଥିତ କେ-୪ରେ। ଯାତ୍ରା ୪ ମାସ ଧରି ବନ୍ଦ ହେଇଯିବାରୁ ଯେବେ ରୋଜଗାର ବନ୍ଦ ହେଇଗଲା, ରିଙ୍କିଙ୍କ ବୁଦ୍ଧି ହଜିଗଲା। ଶେଷରେ ମାଲିକଙ୍କଠାରୁ କିଛି ଟଙ୍କା ଆଣି ଟାଟା ଏରିଆନା ଛକରେ ଫଳ ଦୋକାନଟିଏ କରିଛନ୍ତି। ମାତ୍ର ମଞ୍ଚରେ ମନୋରଂଜନ କରିପାରୁଥିବା ରିଙ୍କି ରାସ୍ତାକଡ଼ ମଞ୍ଚରେ ସତସତିକା ଅଭିନୟରେ ହାରି ଯାଇଛନ୍ତି। ଫଳ ବେପାର ସିନା କଲେ, କିନ୍ତୁ ବ୍ୟବସାୟ ହେଲା ନାହିଁ।

୧୦ ବର୍ଷ ତଳେ ଯେବେ ଆଲବମ୍‌ ଦେଖିବାକୁ ଓଡ଼ିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକ୍‌ଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ… ଭଳି ହିଟ୍‌ ଆଲବମ୍‌ରେ ସୁମନଙ୍କ ସହ ଅଭିନୟ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ରିଙ୍କି। ଏହାପରେ ସେ ଅଭିନେତା ସବ୍ୟସାଚୀଙ୍କ ସମେତ କିଛି ବଡ଼ କଳାକାରଙ୍କ ନାୟିକା ଭାବେ ଆଲବମ୍‌ରେ ଅଭିନୟ କଲେ। ମାତ୍ର ଛୋଟ ପରଦାରେ ତିଷ୍ଠି ପାରିଲେ ନାହିଁ। ଯେବେ ତାଙ୍କ ବାପାଙ୍କ ହାତର ଆଙ୍ଗୁଠି କଟିଗଲା ଏବଂ ସେ କାମ କରିବାକୁ ଅକ୍ଷମ ହେଲେ ରିଙ୍କିଙ୍କ ଚିନ୍ତା ବଢ଼ିଗଲା। ବଡ଼ ଭଉଣୀ ଅଭିନୟ କରି ପରିବାରର ଗୁଜରାଣ ମେଣ୍ଟାଉଥିଲେ। ମାତ୍ର ବଡ଼ ଭଉଣୀର ବାହାଘର ପରେ ସବୁ ଭାର ପଡ଼ିଲା ରିଙ୍କିଙ୍କ ଉପରେ। ଏଣେ ମା’ଙ୍କର ପକ୍ଷାଘାତ ହୋଇଯିବା ପରେ ସେ ଆହୁରି ଭାଙ୍ଗିପଡ଼ିଲେ। ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଘର ଏରୁଣ୍ଡି ଡେଇଁବାକୁ ବାଧ୍ୟ ହେଲେ। ଏଣେ ଆଲବମ୍‌ର ଯୁଗ ସରିଯାଇଥିବାରୁ ସେ ବାଧ୍ୟ ହୋଇ ଯାତ୍ରାରେ ପାର୍ଶ୍ବ ନାୟିକା ଭାବେ ଯୋଗଦେଲେ। ଯାତ୍ରା ରଙ୍ଗମହଲରେ ଯୋଗଦେବା ପରେ ‘ମନ ଦେଇଥିଲି ମନୁ ଭାଇକୁ, ମିଛୁଆ ରାଧୁଆ ଗପ ସରିଲା, କିଣିନେଲା ମନ କଳାନାଗର, ହେ ଈଶ୍ବର କାନ୍ଦିବା ଆସ, ଯାତ୍ରା ଇନ୍ଦ୍ରଭୁବନରେ ‘ଭଲ ପାଇ କିଏ ଭଲରେ ଅଛି, ବୁଧବାର ଦିନ ବାପା ମରିବେ, ସାର୍ଟ ହଜିଲା ସନା ଦାସର, ଭାଇ ଭଉଣୀର ନୂଆ କାହାଣୀ‌ରେ ଅଭିନୟ କରି ମନ ଜିଣିଲେ। ଯାତ୍ରା ସ୍ବପ୍ନମହଲରେ ଏଥର ସେ ‘ଆପଣମାନେ ଖୁସି ତ?’ରେ ଅଭିନୟ କରି ଦର୍ଶକଙ୍କଠୁ ଅଜସ୍ର ତାଳି ପାଇଲେ। ତେବେ ତାଳିରେ ସିନା ମନ ପୂରିଯାଏ, ପେଟ ପୂରେନି’।

ବଡ଼ବଡ଼ କଳାକାରଙ୍କୁ ଯାତ୍ରାରେ ଅଗ୍ରୀମ ମିଳିଯାଏ, କିନ୍ତୁ ରିଙ୍କିଙ୍କ ଭଳି ପାର୍ଶ୍ବ ଅଭିନେତ୍ରୀଙ୍କୁ ଦରମା ମିଳେ ଯାତ୍ରା ଋତୁ ଆରମ୍ଭରେ। ରିଙ୍କିଙ୍କ ଏପରି ଦୁର୍ଦ୍ଦଶା ବାବଦରେ ଜାଣିବା ପରେ ଅଭିନେତା ସବ୍ୟସାଚୀ ତାଙ୍କ ପରିବାର ପାଇଁ ୨ ମାସର ରାସନ ଓ ପକ୍ଷାଘାତରେ ପଡ଼ିଥିବା ମା’ଙ୍କ ନିମନ୍ତେ କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି। ତଥାପି ରିଙ୍କି ଭାଙ୍ଗିପଡ଼ିଛନ୍ତି। କହିଛନ୍ତି, ରାସନ କାର୍ଡଟିଏ ବି ଆମ ପରିବାରକୁ ମିଳିନାହିଁ। ଏବେ ସାହାଯ୍ୟ ପାଇଁ ସ୍ଥାନୀୟ ନେତାଙ୍କ ଦ୍ବାରସ୍ଥ ହେଲେ ହେଁ ସେ କହୁଛନ୍ତି, କରୋନା ଯାଉ। ହେଲେ ଆମେ ଏ କରୋନା କାଳରେ କେମିତି ବଞ୍ଚିବୁ? ଏଭଳି ଦୁର୍ଦ୍ଦିନରେ ଅଭିନେତ୍ରୀ ତାଙ୍କ ମା’ ଓ ବାପାଙ୍କ ପାଇଁ ସହାୟତା ଲୋଡ଼ିଛନ୍ତି। ଏ କରୋନା କାଳରେ କୌଣସି ବଦାନ୍ୟ ବ୍ୟକ୍ତି ରିଙ୍କିଙ୍କୁ ତାଙ୍କ ଫୋନ୍‌ ନମ୍ବର ୬୩୭୧୭୫୮୮୫୭ରେ ଯୋଗାଯୋଗ କରି ସହାୟତାର ହାତ ବଢ଼େଇ ପାରିବେ। ହୁଏତ ସେଇ ବଦାନ୍ୟତାର ଋଣରେ ପୁଣି ମଞ୍ଚରେ ନାୟିକା ସାଜି ଭବିଷ୍ୟତରେ ରିଙ୍କି ପୁଣି ଆପଣଙ୍କ ଭରପୂର ମନୋରଂଜନ କରିପାରିବେ।

ସମ୍ବନ୍ଧିତ ଖବର