ଏହି ଚାରି ପୁଣ୍ୟମାସକୁ ସ˚କ୍ଷେପରେ ‘ଆ-କା-ମା-ବୈ’ କୁହାଯାଏ

ଆମ ଧାର୍ମିକ ଆଚାରରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ପୁଣ୍ୟମାସ। ଏହି ଚାରି ପୁଣ୍ୟମାସକୁ ସ˚କ୍ଷେପରେ ‘ଆ-କା-ମା-ବୈ’ ଭାବରେ ସୂଚିତ କରାଯାଏ। ଆଷାଢ଼ ମାସରେ ହୁଏ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା। କାର୍ତ୍ତିକ ମାସର ବାଲୁକା ପୂଜା ବାରମାସୀ ଗୀତରେ ଏ ସ˚ପର୍କରେ ସରଳ ଓ ସୁନ୍ଦର ଭାବରେ କୁହାଯାଇଛି- ‘‘ଆଷାଢେ଼ ଗୁଣ୍ତିଚା ଯାତରା ହୋଇ। ରଥେ ବିଜୟେ ଜଗତ ଗୋସାଇଁ। ମୋ କାହ୍ନୁରେ।’’ ସେହିପରି, ସନାତନ ଆର୍ଯ୍ୟ ପରମ୍ପରାରେ ସ୍ନାନ, ଦାନ, ପୁଣ୍ୟ ଓ ହରିନାମ ସ୍ମରଣ ଆଦି ପାଇଁ, ଅନ୍ୟ ତିନିଟି ମାସ- ଅର୍ଥାତ୍‌ କାର୍ତ୍ତିକ, ମାଘ ଓ ବୈଶାଖ ପ୍ରଶସ୍ତ। ଏହି ତିନି ମାସର ଅଧିପତି ଯଥାକ୍ରମେ- ଦାମୋଦର, ମାଧବ ଓ ମଧୁସୂଦନ। ପୁଣି ମାଘ ମାସର ଶବ୍ଦ-ବ୍ୟୁତ୍ପତ୍ତି ହେଉଛି- ‘ମା-ଅଘ’। ‘ମା’ ନିଷେଧାତ୍ମକ ଏବ˚ ‘ଅଘ’ର ଅର୍ଥ ପାପ। ଏଣୁ ଏ ମାସ ଆମକୁ ପାପକର୍ମରୁ ନିବୃତ୍ତ ହେବାକୁ କହେ।

କିନ୍ତୁ ‘ଆ-କା-ମା-ବୈ’ ଚାରିମାସର ପ୍ରସିଦ୍ଧି ଶାସ୍ତ୍ର ଓ ପାରମ୍ପରିକ ରୀତିନୀତିରେ ଥିଲେ ମଧ୍ୟ, କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଅନେକେ ‘ଆ-କା-ମା-ଭୈ’ କହିଥାଆନ୍ତି। ଏହିଦିନ ପ୍ରତ୍ୟୁଷରେ ସୋଲ ବା କଦଳୀ ପଟୁକାରେ ତିଆରି ଡଙ୍ଗାରେ ଦୀପ ଜାଳି, ସେଥିରେ ଗୁଆ, ପାନ, ଅକ୍ଷତ (ଗୋଟା ଅରୁଆ ଚାଉଳ) ଓ ରାଶି ମିଶ୍ରିତ ପଞ୍ଚଶସ୍ୟ ରଖି, ତାହାକୁ ନଦୀ, ପୁଷ୍କରିଣୀ ବା ସମୁଦ୍ର ଆଦିରେ ଭସାଯାଏ। ଡଙ୍ଗା ଭସାଇବାବେଳେ ବୋଲାଯାଏ, ‘‘ଆ-କା-ମା-ବୈ / ପାନ-ଗୁଆ ଥୋଇ / ପାନ-ଗୁଆ ତୋର / ମାସକ ଧରମ ମୋର।’’ କିନ୍ତୁ ଅନେକେ, ଡଙ୍ଗାଭସା ବେଳେ ‘ଆ-କା-ମା-ବୈ’ ପରିବର୍ତ୍ତେ ‘ଆ-କା-ମା-ଭୈ’ ବୋଲିଥାଆନ୍ତି।

ଏହି ‘ଆ-କା-ମା-ଭୈ’ ବୋଲାଯିବା ସପକ୍ଷରେ ଗୋଟିଏ ମତ ହେଉଛି- ‘ଆ’ର ଅର୍ଥ ଆକାଶ ଏବ˚ ‘କା’ର ଅର୍ଥ ଜଳ। ‘ମା-ଭୈ’ର ଅର୍ଥ ଭୟ ନାହିଁ। ଅର୍ଥାତ୍‌ ପାଣି ଆଉ ପବନକୁ ଭୟ ନାହିଁ। ଆଉ ଗୋଟିଏ ମତରେ ଏହା ମଧ୍ୟ କୁହାଯାଇଛି- ଆମ ସାଧବପୁଅ ସାମୁଦ୍ରିକ ନୌବାଣିଜ୍ୟରେ ଦରିଆପାରି ଦେଶକୁ କାର୍ତ୍ତିକ ପୂର୍ଣ୍ଣିମାରେ ଯାଇ, ଆଦ୍ୟ ଆଷାଢ଼ରେ ଫେରି ଆସୁଥିଲେ। ଏଣୁ ‘ଆ-କା-ମା-ଭୈ’ର ଅର୍ଥ- ଆଷାଢ଼ ଓ କାର୍ତ୍ତିକରେ ଭୟ ନାହିଁ। ସେହି ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟର ସ୍ମୃତିରେ, କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା ବେଳେ ‘ଆ-କା-ମା-ଭୈ’, ବୋଲାଯାଇଥାଏ।

ତେବେ, ଏ ତିନିଟି ମଧ୍ୟରୁ ଯେଉଁଟି ବି ଗ୍ରହଣୀୟ ହେଉ ନା କାହିଁକି, ‘ଆ-କା-ମା-ବୈ’ ଓ ‘ଆ-କା-ମା-ଭୈ’ ଦୁଇଟି ଯାକ ଆମ ପରମ୍ପରା ଓ ରୀତିନୀତିର ଅଙ୍ଗ ହୋଇଯାଇଛି।

ସମ୍ବନ୍ଧିତ ଖବର