ବେଜିଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍‌ସ୍‌ ପାଇଁ କୂଟନୈତିକ ବର୍ଜନ କଥା ବିଚାର କରୁଛୁ: ଜୋ ବାଇଡେନ୍‌

ୱାସିଂଟନ୍‌: ଆସନ୍ତା ଫେବ୍ରୁଆରିରେ ବେଜିଙ୍ଗ୍‌ରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ୍‌ ପାଇଁ କୂଟନୈତିକ ବର୍ଜନ କଥା ତାଙ୍କ ପ୍ରଶାସନ ବିଚାର କରୁଥିବା କଥା ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଓଭାଲ୍‌ ଅଫିସ୍‌ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କ ସହ ବୈଠକ ବେଳେ ଉପରୋକ୍ତ ପ୍ରସଙ୍ଗ ପଚରାଯିବାରୁ ସାମ୍ବାଦିକମାନଙ୍କୁ ବାଇଡେନ୍‌ ଉତ୍ତର ଦେଲେ ଯେ, ଆମେ ସେମିତି କିଛି ବିଚାର କରୁଛୁ।

Image Courtesy of Free Press Journal

ଅଲିମ୍ପିକ୍‌ କ୍ରୀଡ଼ାର ଉଦ୍‌ଘାଟନ ଓ ସମାବର୍ତ୍ତନ ଉତ୍ସବକୁ ହ୍ବାଇଟ୍‌ ହାଉସ୍‌ ପ୍ରତିନିଧି ଦଳ ପଠାଇଥାଏ। କିନ୍ତୁ, କୂଟନୈତିକ ବର୍ଜନ ହେଲେ ପ୍ରତିନିଧି ଦଳ ପଠାଯିବ ନାହିଁ।

ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ ସାଂସଦମାନେ ଏହି କୂଟନୈତିକ ବର୍ଜନ ଡାକରା ସପକ୍ଷରେ ସୁପାରିସ କରିଛନ୍ତି। ଚୀନ୍‌ର ମାନବ ଅଧିକାର ଦୁରୁପଯୋଗ ବିପକ୍ଷରେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ଗୃହର ବାଚସ୍ପତି ନାନ୍ସି ପିଲୋସି ଏହି ବର୍ଜନ ଡାକରା ଦେଇଛନ୍ତି।

ସିନ୍‌ଜିଆଙ୍ଗ୍‌ ପ୍ରଦେଶରେ ଉୟିଘୁର ଜନତାଙ୍କୁ ଚୀନ୍‌ ଅଟକ ରଖିବା ଏବଂ ହଙ୍ଗ୍‌କଙ୍ଗ୍‌ରେ ଗଣତନ୍ତ୍ର ସମର୍ଥକଙ୍କ ଉପରେ ହେଉଥିବା ଦମନ ଅଭିଯାନ ବିରୋଧରେ ମାନବ ଅଧିକାରୀ କର୍ମୀମାନେ ଅସ‌ନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର