ଗୋସାଣୀ: ଭସାଣି

ଦେବୀ ବିମଳା ଶ୍ରୀକ୍ଷେତ୍ରାଧିଶ୍ୱରୀ। ସେ କୈବଲ୍ୟଲୋଲୁପିନୀ ବା କୈବଲ୍ୟଭୋଜିନୀ ଦେବୀ। ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଭୋଗ ନଥାଏ। ଶ୍ରୀମନ୍ଦିର ରୋଷରେ ପ୍ରସ୍ତୁତ ନୈବେଦ୍ୟ ସ୍ୱତନ୍ତ୍ର ବିଧିରେ ଶ୍ରୀଜଗନ୍ନାଥଙ୍କୁ ନିବେଦିତ ହୋଇ ମହାପ୍ରସାଦ ହୁଏ; ଏବଂ ସେହି ମହାପ୍ରସାଦ ହିଁ ତାଙ୍କୁ ଅର୍ପିତ ହୋଇଥାଏ।

କିନ୍ତୁ ଶାରଦୀୟ ଦୁର୍ଗାପୂଜାରେ ତାଙ୍କୁ ସ୍ୱତନ୍ତ୍ର ଆମିଷ (ମତ୍ସ୍ୟ) ଭୋଗ ଅର୍ପିତ ହେବାର ବିଧି ଅଛି। ଷୋଡ଼ଶ ଦିବସବ୍ୟାପୀ ଏହି ପୂଜାର ଅନ୍ତିମ ତିନିଦିନ, ଅର୍ଥାତ୍ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ତାଙ୍କୁ ଏହି ସ୍ୱତନ୍ତ୍ର ଆମିଷ ଭୋଗ ଅର୍ପିତ ହୋଇଥାଏ। ଏଥିପାଇଁ ବିମଳାଦେବୀଙ୍କ ମନ୍ଦିର ସମ୍ମୁଖରେ ଏକ ଅସ୍ଥାୟୀ ରୋଷଘର ନିର୍ମାଣ କରାଯାଇ, ଗଭୀର ରାତ୍ରିରେ, ଗୋପନରେ ଏହି ସଙ୍ଖୁଡ଼ିଭୋଗ ପ୍ରସ୍ତୁତ ହୋଇଥାଏ। ଏହି ତିନିଦିନ ମଧ୍ୟ, ନିଶାର୍ଦ୍ଧରେ ପଶୁବଳି ପ୍ରଦାନ କରାଯାଇ ଦେବୀଙ୍କୁ ରକ୍ତତଣ୍ଡୁଳ ନୈବେଦ୍ୟ ଅର୍ପଣ କରାଯାଏ। ଶ୍ରୀମନ୍ଦିର ପରିସରର ଅନ୍ୟ ସବୁ ମନ୍ଦିରର ପହୁଡ଼ ପଡ଼ିସାରିବା ପରେ, ଏହି ସ୍ୱତନ୍ତ୍ର ନୀତି ସଂପନ୍ନ ହୁଏ। କଥିତ ଅଛି ଯେ ଦେବୀ ବିମଳା ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ପ୍ରିୟପତ୍ନୀ। ଶ୍ରୀଜଗନ୍ନାଥଙ୍କ ନିକଟରେ ଆମିଷ ଭୋଗର ପ୍ରଚଳନ ନଥିଲେ ମଧ୍ୟ, ନିଜର ଏହି ପ୍ରିୟପତ୍ନୀଙ୍କର ପ୍ରୀତିପାଇଁ, ବର୍ଷରେ ଏହି ତିନିଦିନ ଆମିଷ ଭକ୍ଷଣ ପାଇଁ ଶ୍ରୀଜଗନ୍ନାଥ ଦେବୀ ବିମଳାଙ୍କୁ ଅନୁମତି ଦେଇଥାନ୍ତି।

ଶ୍ରୀମନ୍ଦିରର ଶାରଦୀୟ ଦୁର୍ଗାପୂଜା ଓଡ଼ିଶାର ଅନ୍ୟ ଦୁର୍ଗାପୂଜାଠାରୁ ସ୍ୱତନ୍ତ୍ର। କାରଣ, ଏଥିରେ ଦେବୀ ଦୁର୍ଗାଙ୍କ ସହିତ ବାଳ ପୁରୁଷୋତ୍ତମ ବା ଶ୍ରୀମାଧବ ଏକତ୍ର ପୂଜିତ ହୋଇଥାଆନ୍ତି। ସେହିପରି, ଶ୍ରୀକ୍ଷେତ୍ରର ଭସାଣି ଉତ୍ସବ ମଧ୍ୟ ସ୍ୱତନ୍ତ୍ର। ଅନ୍ୟତ୍ର ଭସାଣି ଉତ୍ସବ ମୁଖ୍ୟତଃ ବିଜୟା ଦଶମୀ ଦିନ ଅନୁଷ୍ଠିତ ହେଉଥିବା ବେଳେ, ଶ୍ରୀକ୍ଷେତ୍ରରେ ଭସାଣି ଉତ୍ସବ ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ଏହା ପୁରୀରେ ‘ଗୋସାଣୀ ଯାତ’ ଭାବରେ ପ୍ରସିଦ୍ଧ।

‘ଗୋସାମଣୀ’ର ସଂକ୍ଷିପ୍ତ ରୂପ ହେଉଛି ‘ଗୋସାଣୀ’। ସାରଳା ଦାସଙ୍କ ‘ଚଣ୍ଡୀ ପୁରାଣ’ ଅନୁସାରେ, ଏହା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ନାମ। ଶ୍ରୀକ୍ଷେତ୍ରରେ ‘ଗୋସାଣୀ’ ହେଉଛନ୍ତି ଦେବୀ ଦୁର୍ଗାଙ୍କର କ୍ରୋଧଶକ୍ତି ସଂଭୂତା ଦେବୀ। ଦେବୀ ବିମଳା ଏହି ଗୋସାଣୀ ଯାତ ବା ଉତ୍ସବର ମୁଖ୍ୟ ଦେବୀ। ଶାରଦୀୟ ଦୁର୍ଗାପୂଜାରେ ତାଙ୍କର ପ୍ରତିନିଧି ରୂପେ ପୂଜିତା ହୁଅନ୍ତି ମା’ କାକୁଡ଼ିଖାଇ। ଏହାଙ୍କର ବିସର୍ଜନ କିନ୍ତୁ ଏକାଦଶୀ ପରିବର୍ତ୍ତେ ଦଶମୀ ଦିନ ନିଶାର୍ଦ୍ଧରେ ଅନୁଷ୍ଠିତ ହୋଇଥାଏ। ପୁଣି ଏହାଙ୍କ ପ୍ରତିମାଙ୍କୁ ବିସର୍ଜନ ପାଇଁ ନିଆଯିବା ବେଳେ, ପଶ୍ଚାତ୍‌ମୁଖୀ କରି ନିଆଯାଏ। ଏହି ଦେବୀ ରକ୍ତମୁଖା ଥିବାରୁ, କେହି ତାଙ୍କ ସାମ୍ନାରେ ନପଡ଼ନ୍ତୁ ସେଥିପାଇଁ ଏପରି ବ୍ୟବସ୍ଥା ରହିଛି ବୋଲି କଥିତ ହୁଏ।

ସମ୍ବନ୍ଧିତ ଖବର