ଧ୍ୟାନ ମାଧ୍ୟମରେ ସାଧକ ନିଜର ପିଣ୍ଡବ୍ରହ୍ମାଣ୍ଡକୁ ଚଷି ଚାଲନ୍ତି ବା ହଳ କରି ଚାଲନ୍ତି। ତାଙ୍କର ଲକ୍ଷ୍ୟ- ଏହାଦ୍ୱାରା ନିଜର ଜୀବନୀ ଶକ୍ତିକୁ ଜୀବନ୍ତ କରି ରଖିବା ପାଇଁ ସାରତତ୍ତ୍ୱ ଉତ୍ପାଦନ କରିବା। ଏକାଗ୍ରତାକୁ ଲଙ୍ଗଳ ଭଳି ବ୍ୟବହାର କରି ସଂପୂର୍ଣ୍ଣ ଶରୀରକୁ ହଳ କରାଯାଏ। ପିଣ୍ଡବ୍ରହ୍ମାଣ୍ଡର କୋଣ ଅନୁକୋଣରେ ସୃଷ୍ଟିହୁଏ ଏକାଗ୍ରତାର ଚିହ୍ନ। ଧ୍ୟାନ ସମୟରେ ସଂପୂର୍ଣ୍ଣ ଶରୀରରେ ଅନୁଭବ ହେଉଥିବା ଏକାଗ୍ରତାର ଚିହ୍ନ ହେଉଛି ‘ସୀରଧ୍ୱଜ’। ଏହାର ଆକ୍ଷରିକ ଅର୍ଥ- ଲଙ୍ଗଳ ଚିହ୍ନ। ଏକାଗ୍ରତା ଦ୍ୱାରା ସାରା ପିଣ୍ଡବ୍ରହ୍ମାଣ୍ଡକୁ ଚଷିବା, ଖୋଳିବା ବା ଅନ୍ୱେଷଣ କରିବା ଭବିଷ୍ୟତରେ ଅନେକ ପ୍ରକାର ସିଦ୍ଧି ଓ ଅନୁଭବ ଜନ୍ମ ହେବାର କାରଣ ହୁଏ। ତେଣୁ ସୀରଧ୍ୱଜଙ୍କ ଅନ୍ୟନାମ ଜନକ ବା ଯାହା ଜନ୍ମ କରେ। ସୀରଧ୍ୱଜ ବା ଜନକ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଏକାଗ୍ରତାର ଲଙ୍ଗଳ ଶରୀର ଭୂମିକୁ ହଳ କରିଚାଲେ। ସୀରଧ୍ୱଜ ଖୋଜି ଚାଲନ୍ତି ସବୁଠାରୁ ଗଭୀର ଓ ମହତ୍ତ୍ୱପୂର୍ଣ୍ଣ ଲଙ୍ଗଳଗାରକୁ। ଏହି ସର୍ବଶ୍ରେଷ୍ଠ ଲଙ୍ଗଳଗାର ହେଉଛି ସୀତା।

Advertisment

‘ସି’ ଧାତୁର ଅର୍ଥ ଖନନ କରିବା। ଏଥିରୁ ନିର୍ମିତ ସୀତା ଶବ୍ଦ ଲଙ୍ଗଳ ଚିହ୍ନିତ ଗଭୀର ରେଖାକୁ ବୁଝାଏ। ସୀରଧ୍ୱଜ ସ୍ଥିତିରେ ସାଧକ ଶେଷରେ ମେରୁଦଣ୍ଡ ମଧ୍ୟସ୍ଥ ସୁଷୁମ୍ନାକାଣ୍ଡକୁ ସୀତା ଭାବେ ଆବିଷ୍କାର କରନ୍ତି। ଜାଣି ପାରନ୍ତି, ଏହା ହେଉଛି ଚେତନାର ସର୍ବଶ୍ରେଷ୍ଠ ଲଙ୍ଗଳ ଗାର- ଯେଉଁଠି ଧ୍ୟାନର ସବୁଠାରୁ ଶ୍ରେଷ୍ଠ କୃଷି କରିହେବ। ସୀରଧ୍ୱଜ ସ୍ଥିତି ସୁଷୁମ୍ନାରୂପୀ ସୀତାଙ୍କୁ ଅତିଯତ୍ନର ସହ ପାଳେ ବା ଏହାର ଚେତନାକୁ ବଞ୍ଚାଇ ରଖେ। ସେ ଚାହେଁ, ସୀତାଙ୍କୁ ଏପରି ଶକ୍ତି ସହ ମିଳିତ କରାଇବ, ଯିଏ ଶିବଧନୁରେ ଗୁଣ ଚଢ଼ାଇ ପାରିବ।

ଶିବର ଅର୍ଥ ସମସ୍ତ ଅମଙ୍ଗଳ ବିନାଶକ ଏବଂ ଧନୁ ହେଉଛି ଦୂରକୁ ନିକ୍ଷେପ କରିବା ଶକ୍ତି। ମେରୁଦଣ୍ଡରେ ସ୍ଥିତ ସୀତା ରୂପୀ ଚେତନାକୁ ସମସ୍ତ ବିଘ୍ନଠାରୁ ଦୂରେଇ ରଖିବା ହେଉଛି ସୀତା ସ୍ୱୟମ୍ବରର ସାରତତ୍ତ୍ୱ। ଆଜ୍ଞାଚକ୍ରରେ ପୁଞ୍ଜୀଭୂତ ରାମରୂପୀ ଚେତନା ଏହି ସ୍ୱୟମ୍ବରରେ ସଫଳ ହୁଏ; ଶିବଧନୁ ଭାଙ୍ଗେ, କାରଣ ଆଜ୍ଞାଚକ୍ର ଓ ସୁଷୁମ୍ନାର ମିଳନ ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନଥାଏ। ଯେକୌଣସି ମାଧ୍ୟମର ବ୍ୟବହାର କେବଳ ବାଧକ ସାଜନ୍ତି। ରାମ ବା ଆଜ୍ଞାଚକ୍ର ସହ ଏକୀଭୂତ ହେଲା ପରେ ବି ସୀତା ବା ସୁଷୁମ୍ନା ସାଧନା ସୁରକ୍ଷିତ ନଥାଏ। ସାଧକଙ୍କ ଭିତରେ ଏକାଗ୍ର ସାଧନାରୁ ଜନ୍ମିତ ରାବଣରୂପୀ ଅହଂକାର ଏହାକୁ ଅକ୍ତିଆର ବା ହରଣ କରିପାରେ। ସୁଷୁମ୍ନାକାଣ୍ଡ ରୂପୀ ସୀତାଙ୍କ ଅଧିକାର ପାଇଁ ସାଧକଙ୍କ ଭିତରେ ହୁଏ ରାମ ରାବଣ ଯୁଦ୍ଧ।