‘ଆଶ୍ରମ ଓ ସେବାଶ୍ରମ ହଷ୍ଟେଲରେ ଦୁର୍ନୀତି ଚାଲିଛି’
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଆଶ୍ରମ ଓ ସେବାଶ୍ରମ ହଷ୍ଟେଲଗୁଡ଼ିକରେ ବ୍ୟାପକ ଦୁର୍ନୀତି ଚାଲିଛି। ଏଠାରେ ନିଯୁକ୍ତି ପାଇଥିବା ମାଟ୍ରନଙ୍କ ପ୍ରଦର୍ଶନ ରିପୋର୍ଟ ପ୍ରଧାନ ଶିକ୍ଷକଙ୍କ ହାତରେ ରହୁଥିବାରୁ ସେମାନଙ୍କୁ ଧମକାଇ ଦୁର୍ନୀତି କରାଯାଉଥିବା ଅଭିଯୋଗ କରିଛି ନିଖିଳ ଓଡ଼ିଶା ଲେଡି ମାଟ୍ରନ୍ସ ମହାସଂଘ। ଆଜି ମହାସଂଘର ଉପଦେଷ୍ଟା ରତ୍ନାକର ରାଉତ, ସନ୍ତୋଷ ପାତ୍ର ଓ ଭବିଷ୍ୟ ବିଶ୍ବାଳ ପ୍ରମୁଖ ସ୍ଥାନୀୟ କର୍ମଚାରୀ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିବା ସହ ମାଟ୍ରନ୍ମାନଙ୍କର କେତେକ ଦାବି ଉପସ୍ଥାପନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉପଦେଷ୍ଟାଙ୍କ ଅଭିଯୋଗ ମୁତାବକ, ବିଭିନ୍ନ ହଷ୍ଟେଲମାନଙ୍କରେ ପୁରୁଷ ଶିକ୍ଷକମାନଙ୍କ ଦ୍ବାରା ଛାତ୍ରୀ ନିର୍ଯାତିତ ହେବା ନେଇ ଅଭିଯୋଗ ଆସିବା ପରେ ଲେଡି ମାଟ୍ରନ୍ମାନଙ୍କୁ ନିଯୁକ୍ତି ଦିଆଯାଇଛି। ମାଟ୍ରନ୍ମାନଙ୍କୁ ମେସ୍ ପରିଚାଳନା ଦାୟିତ୍ବ ଦିଆଯାଇ ନାହିଁ। ଜିନିଷ କିଣୁଛନ୍ତି ପ୍ରଧାନ ଶିକ୍ଷକ, ଗୁଣବତ୍ତା ସନ୍ତୋଷ ଜନକ ନ ହେଲେ ତଡ଼ା ଖାଉଛନ୍ତି ମାଟ୍ରନ୍। ପିଲାଙ୍କ ପାଖରେ ଶୋଇବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି କମିସନର। ହେଲେ ଗୋଟିଏ ମାଟ୍ରନ୍ ଏକାଧିକ ରୁମ୍ରେ ଶତାଧିକ ପିଲାଙ୍କ ପାଖରେ ଏକ ସମୟରେ କେମିତି ଶୋଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବଡ଼ କଥା ହେଉଛି ଏହି ସବୁ ଦୁର୍ନୀତି ବିରୋଧରେ ସ୍ବର ଉଠାଇଲେ ପ୍ରଦର୍ଶନ ରିପୋର୍ଟରେ ‘ସନ୍ତୋଷଜନକ ନୁହେ’ ବୋଲି ଲେଖି ଚାକିରିରୁ ବିଦା କରିଦିଆଯାଉଛି। ଗତ ଜୁନ୍ ୩୦ ତାରିଖରେ ଏଭଳି ଏକ ଘଟଣା ଖୋର୍ଧା ଜିଲ୍ଲାର ଘଟିଛି। ରାଜ୍ୟରେ ଥିବା ୨୨୦୦ରୁ ଊର୍ଦ୍ଧ୍ବ ହଷ୍ଟେଲ୍ରେ କାର୍ଯ୍ୟରତ ପାଖାପାଖି ୩୫୦୦ ମାଟ୍ରନ୍ଙ୍କ ମଧ୍ୟରୁ ଏଭଳି ଆକ୍ରୋଶର ବଶବର୍ତ୍ତୀ ହୋଇ ୧୦ ଜଣ ବଳି ପଡ଼ି ସାରିଲେଣି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏଣୁ ନିର୍ଦ୍ଦେଶାବଳୀ ଅନୁଯାୟୀ, ମାଟ୍ରନ୍ମାନଙ୍କୁ ମେସ୍ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିବା, ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କାର୍ଯ୍ୟ ଦେବା କିମ୍ବା ୨୪ ଘଣ୍ଟା ମୁତାବକ ଦରମା ଦେବା, ପାଇନାନ୍ସ୍ ବିଭାଗ ଆଦେଶ ମୁତାବକ ସିଏଲ୍ (କାଜୁଆଲ ଲିଭ୍) ଦେବା, ଚାକିରି ସୁରକ୍ଷା ଦେଇ ଛଟେଇ ନ କରିବା, କାର୍ଯ୍ୟରେ ତାଇ ମୃତ୍ୟୁବରଣ କଲେ ଅନୁକମ୍ପା ରାଶି କିମ୍ବା ପରିଜନଙ୍କୁ ଚାକିରି ଦେବା ପ୍ରଭୃତି ଦାବି କରିଛି ମହାସଂଘ।