ବୋହିନେଲେ ୨୬ଶହ କୁଇଣ୍ଟାଲ୍‌, ପୂର୍ବବର୍ଷ ଅପେକ୍ଷା କମିଲା ବେପାର

କରୋନାକୁ ଡରି ଅନଲାଇନ୍‌ରେ ମଗାଇଲେ

ଭୁବନେଶ୍ବର,: କ୍ୟାଲେଣ୍ଡର ଅନୁସାରେ ଗତକାଲି ଥିଲା ଛାଡ଼ଖାଇ। ମାତ୍ର ବାର ଅନୁସାରେ ଆଜି ବୁଧବାର ଆମିଷ ବାରିରେ ଜମିଥିଲା ଅସଲ ଛାଡ଼ଖାଇ। ବିନା ଆମିଷରେ ମାସେ ବିତିବା ପରେ ଛାଡ଼ଖାଇ ସକାଳକୁ ଅନେକ ଚାତକ ଭଳି ଚାହିଁ ରହିଥିଲେ। ସକାଳ ହେବା ମାତ୍ରେ ଆମିଷ ହାଟରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ଏହି ଭିଡ଼ ଭିତରୁ ଛେଳି ଓ କୁକୁଡ଼ାଙ୍କ ଆକୁଳ ଆର୍ତନାଦ ରାସ୍ତାକଡ଼ରେ ଯାଉଥିବା ଯାତ୍ରୀଙ୍କ ହୃଦୟ ବିଦାରି ଦେଉଥିଲା। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ୩୦୦ରୁ ଊର୍ଧ୍ବ ମଟନ୍‌ ଦୋକାନ ଥିବା ବେଳେ ମା˚ସର ବିକ୍ରିବଟା ୧୫୦ କୁଇଣ୍ଟାଲ୍‌ ଟପି ଯାଇଥିଲା। ୧୫୦୦ରୁ ଊର୍ଧ୍ବ ଦୋକାନରେ ୧ ହଜାର କୁଇଣ୍ଟାଲ୍‌ ପାଖାପାଖି ଚିକେନ୍‌ ବିକ୍ରି ହୋଇଥିଲା। ଚିକେନ୍‌ଠୁ ବେଶି ଚାହିଦାରେ ଥିଲା ମାଛ। ଭୁବନେଶ୍ବର ଓ ଏହାର ଆଖପାଖରେ ଦେଢ଼ ହଜାର କୁଇଣ୍ଟାଲ୍‌ ପାଖାପାଖି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବିକ୍ରି ହୋଇଛି। କେବଳ ୪ ନ˚ରେ ଥିବା ୪୦ଟି ଗୋଦାମରୁ ୧୦୦ କୁଇଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି ହୋଇଥିବା ବେଳେ ଚିଲିକା ଫ୍ରେସ୍‌ରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ାର ଚାହିଦା ଥିଲା। ତେବେ ପୂର୍ବ ବର୍ଷ ଅପେକ୍ଷା ବେପାର ହ୍ରାସ ପାଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବାରୁ ଏଥର ମଟନ ବ୍ୟବସାୟ ବେଶି ଜମି ପାରିନାହିଁ। ପୁଣି କରୋନାକୁ ଦୃଷ୍ଟିରେ ରଖି ଲୋକେ ହାଟରେ ଭିଡ଼ ଜମାଇବା ଅପେକ୍ଷା ଅନେକ ଅନଲାଇନ୍‌ରେ ‌ଆମିଷ ମଗାଇଥିବା ଦେଖିବାକୁ ମିଳିଛି।

କେତେକ ସ୍ଥାନରେ କୋଲକାତାରୁ ସ୍ବତନ୍ତ୍ର ଭାବେ ଖାସି ମଗା ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଛେଳି ଚାହିଦା ପୂରଣ କରିପାରିନଥିଲା ବୋଲି କହିଥିଲେ ୪ନ˚ର ମଟନ୍‌ ବ୍ୟବସାୟୀ ମଟନ୍‌ ବ୍ୟବସାୟୀ ସଂଘ ସମ୍ପାଦକ ଏସ୍‌.କେ ସର୍ଜନ। ସକାଳୁ ରାତି ପର୍ଯ୍ୟନ୍ତ ମା˚ସ ବେପାରୀଙ୍କୁ ଫୁର‌୍‌ସତ ନଥିଲା। ୪ନ˚ ରେ କିଛି ବଛାବଛା ଦୋକାନ ଖାସି ପାଇଁ ଜଣାଶୁଣା ଥିବାରୁ ଏଠାରେ ଟିକେ ବେଶି ଭିଡ଼ ଦେଖିବାକୁ ମିଳିଥିଲା। ମଟନ୍‌ର ଦର ୬୫୦ରୁ ୭୦୦ ଟଙ୍କା ମଧୢରେ ରହିଥିଲା। କୋଲକାତା ବ୍ୟତୀତ ଉଦଳା, ସୋରର ବାରିକପୁର, ଗଣିଆ, ଯଶିପୁର, ବାଘମାରିରୁ ମଧୢ ଛେଳି ମଗାଯାଇଥିଲା। ମୁଖ୍ୟତଃ ୮ନ˚, ବଡ଼ଗଡ଼, ନୀଳାଦ୍ରିବିହାର, ଖଣ୍ତଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି ସମେତ ସବୁ ସ୍ଥାନରେ ବେପାରୀମାନେ ଭଲ ବ୍ୟବସାୟ କରିଥିଲେ। ସେହିଭଳି ପିପିଲିରୁ କୁକୁଡ଼ା କାଲିଠୁ ଆସି ସାରିଥିବା ବେଳେ କୋଲକାତାରୁ ଆସିଥିବା ଦେଶୀ କୁକୁଡ଼ା ପାଇଁ ଭିଡ଼ ଜମିଥିଲା ୪ନ˚ ହାଟରେ। ଚିକେନ୍‌ର ମୂଲ୍ୟ ୪ନ˚ ହାଟରେ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ବନରାଜ ୨୫୦ ଏବଂ ଦେଶୀ ୪୫୦ ଟଙ୍କା କେଜି ବିକ୍ରି ହୋଇଥିଲା।
ଇଲିସିର ଦର ସାଇଜ୍‌ ଅନୁଯାୟୀ ୬୦୦ରୁ ୨୨୦୦ ଟଙ୍କା ମଧୢରେ ରହିଥିଲେ ହେଁ ବିକ୍ରିବଟା ଏତେ ହୋଇନଥିଲା। ସେହିଭଳି ପାମ୍ପ୍ଲେଟ୍‌ ଦର ୭୦୦ରୁ ୧୬୦୦, ରୋହି ଓ ଭାକୁର ଦର ୧୬୦ରୁ ୨୫୦ ଟଙ୍କା ରହିଥିଲା। ଟାଇଗର୍‌ ଚିଙ୍ଗୁଡ଼ିର ଦର ୫୫୦ ଟଙ୍କା ରହିଥିଲା। ଏହା ବ୍ୟତୀତ ବାଗ୍‌ଦା ଚିଙ୍ଗୁଡ଼ି, କଣ୍ଟାଳି ଏବ˚ ଟାଇଗର‌୍‌ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହୋଇଥିଲା। ରୋହି ଓ ଭାକୁରର ବିକ୍ରିବଟା ଅଧିକ ହୋଇଥିଲା। ମିରିକାଳି, ପୋହଳା, ଗିମାଣି, ଥୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର‌୍‌ମାଇ, ପାମ୍ପ୍‌ଲେଟ୍‌ ଭଳି ମାଛର ବିକ୍ରିବଟା ହୋଇଥିବା ୪ନ˚ ମାଛ ବ୍ୟବସାୟୀ ସ˚ଘର ସଭାପତି ଶେଖ୍‌ ହୋସେନ୍‌ ସୂଚନା ଦେଇଛନ୍ତି। ଆନ୍ଧ୍ରା ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ସୋରଡ଼ା ଡ୍ୟାମ୍‌ରୁ ମାଛ ଆସିଥିଲା। ତେବେ ପୂର୍ବବର୍ଷ ଭଳି ଏବର୍ଷ ବିକ୍ରିବଟା ଜମିପାରିନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର