ଏମ୍‌ସ ଧର୍ମଶାଳା ଲୋକାର୍ପିତ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଭୁବନେଶ୍ବର ଏମ୍‌ସ ଧର୍ମଶାଳା ଆଜି ଲୋକାର୍ପିତ ହୋଇଯାଇଛି। ୧୫୯ କକ୍ଷ ଓ ୪୯୨ ଶଯ୍ୟା ବିଶିଷ୍ଟ ଏହି ଧର୍ମଶାଳାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏଣିକି ନାମମାତ୍ର ମୂଲ୍ୟ ଦେଇ ରୋଗୀ ଓ ସମ୍ପର୍କୀୟମାନେ ରହିପାରିବେ। ତେଣୁ ଏବେ ଆଉ ଲୋକେ ଖରା, ବର୍ଷା, ଶୀତ, କାକରରେ ଖୋଲା ଆକାଶ ତଳେ କଲବଲ ହେବେ ନାହିଁ। ଏମ୍‌ସକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ୪ ରୁ୫ ହଜାର ରୋଗୀ ଆସୁଛନ୍ତି। ଶଯ୍ୟା ସଂଖ୍ୟା ୧ ହଜାର। ରହିଛି। ସ୍ବଳ୍ପ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ମିଳୁଥିବାରୁ ଅଧିକାଂଶ ଗରିବ ରୋଗୀ ଏଠାକୁ ଆସନ୍ତି। ରୋଗୀ ସଂଖ୍ୟା ଦୃଷ୍ଟିରୁ ଅନେକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼େ।

ଦୂରଦୁରାନ୍ତରୁ ଆସିଥିବାରୁ ଓ ପଇସା ଅଭାବରୁ ସେମାନେ ବାଧ୍ୟ ହୋଇ ଏମ୍‌ସ ପରିସରରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୁଅନ୍ତି। ଏମାନଙ୍କ ମଧ୍ୟରେ କର୍କଟ, ହୃଦ୍‌ରୋଗୀ ଓ ସ୍ନାୟବିକ ରୋଗରେ ପୀଡ଼ିତ ବ୍ୟକ୍ତି ଥାଆନ୍ତି। ବାହାରେ ଅପେକ୍ଷା କରିବା ଯୋଗୁଁ ଉଭୟ ରୋଗୀ ଓ ସମ୍ପର୍କୀୟମାନେ ବଡ଼ କଲବଲ ହୋଇଥାଆନ୍ତି। ତେଣୁ ନାଲ୍‌କୋ ସହାୟତାରେ ଏହି ଧର୍ମଶାଳା ନିର୍ମାଣ ହୋଇଛି। ଗତବର୍ଷ ଜୁଲାଇରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ ୫୮ଜଣଙ୍କ ପାଇଁ ରହିବାର ବ୍ୟବସ୍ଥା ଥିଲା। ସେତେବେଳେ ୫୦ ରୁ ୧୦୦ ଟଙ୍କା ଦେଇ ରୋଗୀ ଓ ସମ୍ପର୍କୀୟ ରହୁଥିଲେ। ଏଠାରେ ପୁରୁଷ ଓ ମହିଳାଙ୍କ ରହିବା ପାଇଁ ଭିନ୍ନ ବ୍ୟବସ୍ଥା କରାଯାଇଛି। ଖାଇବା ପାଇଁ ଡାଇନିଂ ସୁବିଧା ରହିଛି। ୟୁବିଏସ୍‌ଏସ୍‌ ସାମାଜିକ ଅନୁଷ୍ଠାନ ଏହାର ପରିଚାଳନା କରୁଛି।

ସମ୍ବନ୍ଧିତ ଖବର