୭ ମାସ ଭିତରେ ଦିଆଯିବ ବକେୟା ସମସ୍ତ ସାହିତ୍ୟ ଏକାଡେମି ପୁରସ୍କାର: ହୃଷୀକେଶ

ତାଙ୍କ ଲେଖନୀରୁ ଝରେ ସୃଜନର ନିର୍ଝର ବାରିଦ। ଓଡ଼ିଆ ସାହିତ୍ୟର ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇ ସାହିତ୍ୟ ଜଗତର ସେ ଜଣେ ଉଜ୍ଜ୍ବଳତମ ତାରକା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ଦିନେ ପ୍ରଥମ କବିତା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପୁରସ୍କୃତ ହୋଇଥିବା ହୃଷୀକେଶ ମଲ୍ଲିକ ଆଜି ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଭାବେ ନିଯୁକ୍ତ। ଆଜି ଯାଏ ସେ ୧୨ଟି କବିତା ବହି, ୨ଟି ଗଳ୍ପଗ୍ରନ୍ଥ ଓ ୧୦ରୁ ଅଧିକ ସମାଲୋଚନା ପୁସ୍ତକ ଲେଖି ସାରିଛନ୍ତି। ଆଜି ସେ ଏକାଡେମି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କ ସହ ସସ୍ମିତା ସାହୁଙ୍କ ସାକ୍ଷାତକାର…

ଦୀର୍ଘଦିନ ଧରି ଏକାଡେମିର ସଭାପତି ପଦ ଖାଲି ରହିଥିଲା। ଏ ସଂପର୍କରେ କ’ଣ କହିବେ?
ଦୀର୍ଘ ଦିନ ଧରି ସଭାପତି ପଦ ଖାଲି ରହିବା ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କର ଦାୟିତ୍ବହୀନତାକୁ ଦର୍ଶାଉଛି। ମୋ ବିଚାରରେ ଏଥିପାଇଁ ସରକାର ନୁହନ୍ତି; ବିଭାଗୀୟ ପଦସ୍ଥ ଅଧିକାରୀମାନେ ଦାୟୀ। ଯଦି ଏବେ କରୋନା କାଳରେ ଖୁବ୍ କମ୍ ସମୟରେ ପଦପଦବୀ ପୂରଣ ହୋଇପାରିଲା, ପୂର୍ବରୁ ହୋଇପାରି ନଥା’ନ୍ତା କାହିଁକି?

ନିୟମିତ ବ୍ୟବଧାନରେ ପୁରସ୍କାର ଦିଆଯାଉନଥିବାରୁ ଅସନ୍ତୋଷ ଓ ବିବାଦ ଉପୁଜେ। ଏହାର ସ୍ଥାୟୀ ସମାଧାନ ନେଇ ଆପଣ କ’ଣ ପଦକ୍ଷେପ ନେବେ?
ପୁରସ୍କାର ଠିକ୍ ସମୟରେ ଦେବା ଏକ ଛୋଟ କାମ। ସଭାପତି ଓ ସଚିବ ଯଦି ସଂକଳ୍ପବଦ୍ଧ ଭାବେ ଉଦ୍ୟମ କରିବେ, ଗତ ୫ ବର୍ଷର ବାକି ପୁରସ୍କାର ଗୋଟିଏ ବର୍ଷରେ ଦିଆଯାଇପାରିବ। ୨୦୨୧ ଶେଷ ସୁଦ୍ଧା ସମସ୍ତ ବକେୟା ପୁରସ୍କାର ଦେବା ପାଇଁ ମୁଁ ସ୍ଥିର କରିଛି।

ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ଆପଣଙ୍କ କାର୍ଯ୍ୟକାଳ ଭିତରେ କ’ଣ କରିବେ ବୋଲି ଚିନ୍ତା କରିଛନ୍ତି?
ମୋ ବିଚାରରେ ଏକାଡେମିର କାର୍ଯ୍ୟ କଲା ବେଳେ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ସମ୍ବାଦିକମାନଙ୍କୁ ବିଶ୍ବାସକୁ ନେବା ଆବଶ୍ୟକ। ଆମର ଖବରକାଗଜଗୁଡ଼ିକ ବିଶେଷ ଭାବେ ଭାଷା, ସାହିତ୍ୟ ପାଇଁ କାମ କରନ୍ତି। ଏଣୁ ସେମାଙ୍କର ପରାମର୍ଶକ୍ରମେ କାମ କଲେ ଅର୍ଥାତ ସମାଲୋଚକଙ୍କ ମାର୍ଗଦର୍ଶିକାରେ କାମ କଲେ, ଓଡ଼ିଆ ଭାଷା, ସାହିତ୍ୟର ବିଶେଷ ପ୍ରଚାରପ୍ରସାର ସମ୍ଭବ ହୋଇପାରିବ।

ଏଥର ଯେଉଁଭଳି ଭାବେ ଚୟନ ପ୍ରକ୍ରିୟାରେ ନିଯୁକ୍ତି ଦିଆଗଲା ସେଥିରେ ଆପଣ କେତେ ସନ୍ତୁଷ୍ଟ?
ସିଧା ନିଯୁକ୍ତି ନ ହୋଇ ଚୟନ ପ୍ରକ୍ରିୟା ହେବା ଯୋଗୁଁ ବହୁ ଲୋକ ଦରଖାସ୍ତ ଦେବାର ସୁଯୋଗ ପାଇଲେ। ଏବେ ସର୍ବସାଧାରଣରେ ବିଜ୍ଞପ୍ତି ପ୍ରକାଶ ପାଇଲା, ଆଶାୟୀମାନେ ଦରଖାସ୍ତ ଦେଲେ ଓ ସରକାର ଚୟନ କମିଟି ଗଠନ କଲେ; ବିଭିନ୍ନ କ୍ଷେତ୍ରର ବିଜ୍ଞ ଲୋକମାନେ ବସି ଚୟନ କଲେ ଓ ଯାଗ୍ୟ ଲୋକଙ୍କ ମନୋନୀତ କଲେ। ଏହାଠାରୁ ସ୍ବଚ୍ଛ ଚୟନ ପ୍ରକ୍ରିୟା ମୋ ମତରେ କିଛି ନ ହୋଇପାରେ।

ଏକାଡେମି ଏକ ସ୍ବୟଂଶାସିତ ସଂସ୍ଥା। ସରକାରଙ୍କ ବିନା ହସ୍ତକ୍ଷେପରେ ଆପଣ କେତେ ଦୂର ନିରପେକ୍ଷ ଭାବେ କାମ କରିପାରିବେ ବୋଲି ଭାବୁଛନ୍ତି?
ସରକାର କେବେ ବି ଏକାଡେମି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ। ମୁଁ ଭାବୁଛି କାହାର ବିନା ହସ୍ତକ୍ଷେପରେ ମୁଁ ଏକାଡେମିର ବିକାଶରେ ନିରପେକ୍ଷ କାମ କରିପାରିବି।

ସମ୍ବନ୍ଧିତ ଖବର