ରାସ୍ତା ଉପରେ ଠେଙ୍ଗା ପାହାର, ଜୀବନ ବିକଳ‌ରେ ଦୌଡ଼ିଲେ ଦୁଇ ଯୁବକ

ଭୁବନେଶ୍ବର: ସମୟ ସଂଧ୍ୟା ପ୍ରାୟ ୬ଟା ହେବ। ଖାରବେଳନଗରସ୍ଥିତ ହୋଟେଲ ଚାର୍ଲି ସମ୍ମୁଖରେ ବୁଲେଟ୍‌ ରଖି ଦୁଇ ଯୁବକ ଓହ୍ଲାଇ ପଡ଼ିଲେ। ପାଖରେ ଥିବା ମନ୍ଦିର ଆଡ଼କୁ ଚାହିଁ ବଡ଼ ପାଟିରେ ଗାଳିଗୁଲଜ ଆରମ୍ଭ କରିଦେଲେ। କିଛି ସମୟ ପରେ ମନ୍ଦିର ଆଡ଼ୁ ୩ ଯୁବକ ହାତରେ ଠେଙ୍ଗା ଧରି ଦଉଡ଼ି ଆସିଲେ। ମାର୍ ମାର୍ କହି ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଲେ। ଠେଙ୍ଗା ମାଡ଼ରେ ଚିତ୍କାର କରି ଯୁବକଦ୍ବୟ ପ୍ରାଣ ବିକଳ‌ରେ ଦଉଡ଼ି ପଳାଇଲେ। ପରେ ଯୁବକମାନେ ବୁଲେଟ୍‌କୁ ଠେଙ୍ଗା‌‌‌ରେ ପିଟି ଭାଙ୍ଗି ଦେଇଥିଲେ। ରାସ୍ତା ଉପରେ ଏ ଆତଙ୍କ ଦେଖି ସମସ୍ତେ ଅଟକି ଯାଇଥିଲେ। କିଛି ଛୋଟ ‌ ଛୋଟ ଦୋକାନୀ ଭୟରେ ଦୋକାନ ବନ୍ଦ କରି ଦେଇଥିଲେ। ଇତି ମଧ୍ୟରେ ଠେଙ୍ଗା ପାହାର ଖାଇ ଦଉଡ଼ୁଥିବା ଯୁବକ ଖାରବେଳନଗର ଥାନାରେ ପହଞ୍ଚିଥିଲେ। ପିସିଆର୍‌ ସଂପୃକ୍ତ ଯୁବକଦ୍ବୟଙ୍କୁ ବସାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆକ୍ରମଣକାରୀ ଫେରାର୍‌ ହୋଇସାରିଥିଲେ।

ସୂଚନାନୁସାରେ, ବୁଲେଟ୍‌ରେ ଆସିଥିବା‌ ଯୁବକଦ୍ବୟଙ୍କ ଘର କଟକ ସିଡିଏ ଅଞ୍ଚଳରେ। ତାଙ୍କର କିଛି ସଂପର୍କୀୟାଙ୍କୁ ସଂପୃକ୍ତ ଆକ୍ରମଣକାରୀ ଯୁବକମାନେ ବିଭିନ୍ନ ସମୟରେ ‌ଫୋନ୍‌ କରି ହଇରାଣ କରୁଥିଲେ। ଏହାକୁ ନେଇ ଫୋନ୍‌ରେ ଦୁଇ ପକ୍ଷ ମଧ୍ୟରେ ବାକ୍‌-ଯୁଦ୍ଧ ହେବା ପରେ ପରସ୍ପରକୁ ଭେଟାଭେଟି ହେବା ପାଇଁ କହିଥିଲେ। ଯୁବକଦ୍ବୟ ଏଠାରେ ପହଞ୍ଚିବା ପରେ ପୂର୍ବରୁ ସଜାଗ ଥିବା ଅପରଗୋଷ୍ଠୀ ଠେଙ୍ଗାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏ ସଂପର୍କରେ ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସୂଚନାନୁଯାୟୀ, ଆକ୍ରମଣକାରୀ ଯୁବକମାନେ ଗୁଜରାଟୀ। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର