ବାଣୀବିହାର ଆରଓବି ଚଉଡ଼ା ପ୍ରସଙ୍ଗ: ଉତ୍ତର ଦେଉନାହାନ୍ତି ପୂର୍ତ୍ତ ମୁଖ୍ୟଯନ୍ତ୍ରୀ

ସାନି ଚିଠି ଲେଖିଲେ ଅତିରିକ୍ତ ସଚିବ

ଭୁବନେଶ୍ବର: ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଛା ଯାଉଥିବା ତୃତୀୟ ରେଳଧାରଣା ପାଇଁ ବାଣୀବିହାର ରେଲୱେ ଓଭରବ୍ରିଜ୍ (ଆରଓବି) ପ୍ରଶସ୍ତୀକରଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଖୋର୍ଦ୍ଧାପଟୁ ଆସୁଥିବା ସମସ୍ତ ଭାରୀଯାନ ପିତାପଲ୍ଲୀ ଠାରୁ ଚନ୍ଦକା, ମେଣ୍ଢାଶାଳ, ବାରଙ୍ଗ ଦେଇ ବାଲିକୁଦା ଛକରେ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିବା ପାଇଁ ଯୋଜନା ହୋଇଛି। ଏହି ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଗତ ମେ’ ମାସ‌ରେ ଚିଠି ଲେଖା ଯାଇଥିଲେ ମଧ୍ୟ ବିଭାଗ ନିରବ ବସିଛି। ଏଣୁ ଆଜି ଆଉ ଥରେ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହେମନ୍ତ ଦତ୍ତ ମୁଖ୍ୟଯନ୍ତ୍ରୀଙ୍କୁ ତାଗିଦ୍‌ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଏହି ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବରେ ବିଚାର କରିବା ସହ ତୁରନ୍ତ ଏ ବାବଦରେ ଜବାବ ଦାଖଲ କରିବା ପାଇଁ ଚିଠି ଲେଖିଛନ୍ତି। ବାସ୍ତବରେ ଏହି ରାସ୍ତା ମରାମତି ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ପୂର୍ତ୍ତ ବିଭାଗକୁ ଚିନ୍ତାରେ ପକାଇଛି। ଏହା ମରାମତି ହୋଇ ଗାଡ଼ିଗୁଡ଼ିକର ଦିଗ ପରିବର୍ତ୍ତନ କରିବା ପରେ ବାଣୀବିହାର ଆରଓବି କାମ ହେବା ଏକ ପ୍ରକାର ଅସମ୍ଭବ ଅନୁମେୟ ହୋଇଛି। ସେଥିପାଇଁ ବିଭାଗୀୟ ଯନ୍ତ୍ରୀ ଏ ନେଇ ଉତ୍ତର ଦେଇପାରୁନଥିବା କୁହାଯାଉଛି।

କମିସନରେଟ୍‌ ପୁଲିସ ପକ୍ଷରୁ ସର୍ବେକ୍ଷଣ ପରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଚନ୍ଦକାରେ ଗୋଟିଏ ଛୋଟ ପୋଲ ରହିଛି ଯେଉଁଥିରେ ଭାରୀଯାନ ଲଗାତାର ଚାଲିବା ବିପଜ୍ଜନକ ହେବ। ଏଣୁ ଏହି ପୋଲକୁ ମଜଭୁତ କରିବାର ଅଛି। ସେହିଭଳି ଛତାବର, ମେଣ୍ଢାଶାଳ ଓ କଣ୍ଟାବାଡ଼ରେ ବଜାର ରହିଛି। ଏଠାରେ ରାସ୍ତା ସଙ୍କୁଚିତ ହୋଇଯାଇଛି। ଜବରଦଖଲ ହଟିବା ସହ ରାସ୍ତା ଚଉଡ଼ା କରିବା ଆବଶ୍ୟକ ହେଉଛି। ବାଲିକୁଦାରେ ରେଳ ଓଭରବ୍ରିଜ୍‌ ନଥିବାରୁ ଏବେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସବୁ ଗାଡ଼ି ସେହି ରାସ୍ତା ଦେଇଗଲେ ଟ୍ରାଫିକ୍‌ ଅସମ୍ଭାଳ ହେବ। ସେହିଭଳି ବସ୍‌ଗୁଡ଼ିକ ବରମୁଣ୍ଡାରୁ ବାହାରି ବାଣୀବିହାର ଆରଓବି ପୂର୍ବରୁ ବାମକୁ କଟି ମଞ୍ଚେଶ୍ବର ଦେଇ ରସୁଲଗଡ଼ ଫ୍ଲାଏ ଓଭର ପାଖରେ ବାହାରିବେ। ଏଠାରୁ କଟକ ଓ ପୁରୀକୁ ବୁଲିବା ବେଳେ ରାସ୍ତା ଅବସ୍ଥା ସାଂଘାତିକ ଥିବାରୁ ଅଘଟଣ ଘଟିବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ। ଏହି ଜାଗାର ଉଭୟପାର୍ଶ୍ବ ନାଳ ଖୋଲା ଥିବାରୁ ଅଘଟଣ ଘଟିବା ଆଶଙ୍କା ରହିଛି। ଏଣୁ ଏହି ଆରଓବି ଚଉଡ଼ା ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସୂଚନାଯୋଗ୍ୟ, ନିର୍ମାଣ ହେବାକୁ ଥିବା ୧୮ ମିଟର ଓସାର ବିଶିଷ୍ଟ ଆରଓବି ୪୬ ମିଟର ଚଉଡ଼ା ହେବାକୁ ସ୍ଥିର ହୋଇଛି। ଏହା ଉପରେ ଯାଇଥିବା ପାନୀୟ ଜଳ ପାଇପ୍‌ ଲାଇନ୍‌କୁ ମଧ୍ୟ ଏହି ପୋଲ ଅନୁସାରେ ଲମ୍ବା କରାଯିବ। ଉଭୟ କାମ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୦ ମସିହାରେ ଏହି ଯୋଜନା ହୋଇଥିଲେ ମଧ୍ୟ ବିବାଦ ଯୋଗୁଁ ହୋଇପାରୁନଥିଲା। ଏବେ ପ୍ରକଳ୍ପ ପାଇଁ ଟେଣ୍ଡର ସରିବା ପରେ ଏହି ନୂଆ ସମସ୍ୟା ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର