ଗୁଗୁଲ୍‌ରେ କଷ୍ଟମର୍ କେୟାର ନମ୍ବର ଖୋଜୁଥିଲେ ସାବଧାନ! ୨୦ ଦିନରେ ୨୫ ଲକ୍ଷ ଠକେଇ

ଭୁବନେଶ୍ୱର : ଗୁଗୁଲ୍‌ ସର୍ଚ୍ଚ ଇଂଜିନ୍‌ରେ କୌଣସି ବ୍ୟାଙ୍କ, କମର୍ସିଆଲ ୱେବ୍‌ସାଇଟ୍‌ ବା ପ୍ରତିଷ୍ଠିତ କମ୍ପାନିର କଷ୍ଟମର୍‌ କେୟାର୍‌ ନମ୍ବର ଖୋଜୁଥିଲେ, ସାବଧାନ! ସତ୍ୟାସତ୍ୟ ଯାଞ୍ଚ ନ କରି ଉକ୍ତ ନମ୍ବରରେ ଫୋନ୍‌ କଲେ ଆପଣ ବଡ଼ଧରଣର ଠକେଇର ଶିକାର ହୋଇପାରନ୍ତି। ସାଇବର୍‌ ଠକମାନେ ଗୁଗୁଲ୍‌ ପ୍ଲାଟ୍‌ଫର୍ମ ବ୍ୟବହାର କରି ଲୋକଙ୍କୁ ଠକିବାର ଏକ ନୂଆ ତରିକା ଆପଣାଇଛନ୍ତି। କଷ୍ଟମର୍ କେୟାର୍ ନାଁ’ରେ ଗୁଗୁଲ୍‌ରେ ନକଲି ନମ୍ବର ଜାରି କରୁଛନ୍ତି। କୌଣସି ସମସ୍ୟାରେ ପଡ଼ି ଯଦି ଜଣେ ସେହି ନମ୍ବରରେ ଯୋଗାଯୋଗ କରେ, ଠକ ତାଙ୍କଠାରୁ ସବୁ ଗୋପନୀୟ ତଥ୍ୟ ହାସଲ କରି ତାଙ୍କ ଆକାଉଣ୍ଟ ଖାଲି କରିଦେଉଛି। ଏଭଳି ସାଇବର ଠକେଇ ଯଦିଓ ନୂଆ ନୁହେଁ, କିନ୍ତୁ ମାତ୍ରାଧିକ ଲୋକେ ଏବେ ଏହି ଠକେଇର ଶିକାର ହେଉଛନ୍ତି। ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ‌‌ରେ ଏହି ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନାନୁଯାୟୀ, କେବଳ ଚଳିତ ମାସରେ ଅର୍ଥାତ୍ ୨୦ ଦିନ ମଧ୍ୟରେ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇସାରିଲାଣି। ସବୁ ଠକେଇରେ ସମାନତା ହେଉଛି, ଲୋକେ ଗୁଗୁଲ୍‌ରେ କୌଣସି ବ୍ୟାଙ୍କ୍‌ର ବା କମର୍ସିଆଲ୍ ୱେବସାଇଟ୍‌ରେ ଟଙ୍କା ନେଣଦେଣ ପାଇଁ ସମସ୍ୟା ହେବାରୁ ଗୁଗୁଲ୍‌ରେ ଉକ୍ତ ସଂସ୍ଥାର କଷ୍ଟମର କେୟାର ନମ୍ବର୍ ପ୍ରଥମେ ଖୋଜାଯାଇଛି। ତା’ପରେ ସାଇବର ଠକ ଦ୍ବାରା ପ୍ରଦତ୍ତ ନମ୍ବରକୁ କଲ୍‌ କରି ଠକେଇର ଶିକାର ହେଉଛନ୍ତି। ତେବେ ଏ ସଂକ୍ରାନ୍ତରେ ଭୁବନେଶ୍ବର ସାଇବର୍‌ ହେଲ୍ପ-ଡେସ୍କରେ ନଭେମ୍ବର ମାସରେ ୧୦ଟି ଅଭିଯୋଗ ଆସିଥିବା ବେଳେ ଭୁବନେଶ୍ବରର ବିଭିନ୍ନ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏପରିକି କଟକ କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର ବିଭାଗକୁ ଲୋକେ ସିଧାସଳଖ ଫୋନ୍ କରି ଅଭିଯୋଗ କରିଥିବା ସେ ସ୍ପଷ୍ଟ କରିଛନ୍ତି।

ବର୍ତ୍ତିବେ କେମିତି?
ଟଙ୍କା ନେଣଦେଣ ସମୟରେ ବ୍ୟାଙ୍କଜନିତ କୌଣସି ସମସ୍ୟା ଉପୁଜୁ ଅବା ପ୍ରତିଷ୍ଠିତ କମ୍ପାନି କମର୍ସିଆଲ୍ ୱେବସାଇଟ୍‌ରେ ଜିନିଷ କିଣାବିକା ହେଉ, ସବୁ କ୍ଷେତ୍ରରେ ସଂସ୍ଥାର କଷ୍ଟମର କେୟାର ନମ୍ବର୍ ଖୋଜିବା ସମୟରେ ଉକ୍ତ କମ୍ପାନିର ନିଜସ୍ବ ୱେବସାଇଟ୍ ଯାଇ ନମ୍ବର ଖୋଜନ୍ତୁ। ଏହା ପରେ ଯୋଗାଯୋଗ କରନ୍ତୁ। ଯଦି ଭୁଲ୍‌ବଶତଃ ସାଇବର ଠକର ଜାଲରେ ପଡ଼ନ୍ତି, ନିଜ ବ୍ୟାଙ୍କ୍ ଆକାଉଣ୍ଟ୍‌ର ସବିଶେଷ ତଥ୍ୟ ଦିଅନ୍ତୁ ନାହିଁ କି କୌଣସି ଟ୍ରାଞ୍ଜାକ୍‌ସନ୍ ଆଇଡି ସେୟାର୍ କରନ୍ତୁ ନାହିଁ। ସେହିଭଳି ଠକେଇର ଶିକାର ହେଲେ ସଙ୍ଗେସଙ୍ଗେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ କରନ୍ତୁ।

ନକଲି ଏସ୍‌ବିଆଇ ଗ୍ରାହକ ସେବାକୁ କଲ୍‌ କରି ଉଡ଼ିଗଲା ୨.୩ ଲକ୍ଷ
ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ୍‌ର ଅକ୍ଷୟ କୁମାର ପାତ୍ର ଗୁଗୁଲ୍‌ରେ ଏସ୍‌ବିଆଇ କ୍ରେଡିଟ୍ କାର୍ଡ ନମ୍ବର ଖୋଜି ଯୋଗାଯୋଗ କରିବା ପରେ ସାଇବର ଠକ ତାଙ୍କ ପାଖରୁ ପ୍ରାୟ ୨ଲକ୍ଷ ୩୦ହଜାର ଟଙ୍କା ଚଳୁ କରିଦେଇଛି। ଏନେଇ ସେ ଆଜି ପ୍ରଥମେ ଭୁବନେଶ୍ବର ସାଇବର ହେଲ୍ପ ଡେସ୍କ୍ ଓ ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ଅକ୍ଷୟଙ୍କ ଏତଲା ମୁତାବକ, ଆଜି ସକାଳେ ତାଙ୍କ ନମ୍ବରକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା। ମେସେଜ୍‌ରେ ଉଲ୍ଲେଖ ଥିଲା, ଆପଣଙ୍କ କ୍ରେଡିଟ୍ କାର୍ଡରେ ପ୍ରାୟ ଦେଢ଼ ହଜାର ଟଙ୍କା ବକେୟା ଅଛି। ତେଣୁ ବ୍ୟାଙ୍କରେ ଟଙ୍କା ପୈଠ କରନ୍ତୁ। ଅକ୍ଷୟଙ୍କର କ୍ରେଡିଟ୍ କାର୍ଡରେ କୌଣସି ଦେୟ ବାକି ନଥିଲେ ବି ଏଭଳି ମେସେଜ୍ ପାଇବା ପରେ ସେ ଏସ୍‌ବିଆଇ କାର୍ଡର କଷ୍ଟମର୍‌ କେୟାର୍ ନମ୍ବରକୁ ଯୋଗାଯୋଗ କରିବାକୁ ଚାହିଥିଲେ। ସେଥିପାଇଁ ଗୁଗୁଲ୍‌ରେ ଏସବିଆଇ କ୍ରେଡିଟ୍ କାର୍ଡ କଷ୍ଟମର୍‌ କେୟାର ନମ୍ବର ଖୋଜିବା ପରେ ସାଇବର ଠକ ଦ୍ବାରା ଦିଆଯାଇଥିବା ୦୮୩୮୦୦୮୮୪୬ ନମ୍ବର‌ରେ ଯୋଗାଯୋଗ କରିଥିଲେ। ଫୋନ୍‌ ଉଠାଇଥିବା ଜଣେ ମହିଳା ଠକ ଅକ୍ଷୟଙ୍କ ନମ୍ବରକୁ ଏକ ସ୍ପାମ୍ ଲିଙ୍କ୍ ପଠାଇଥିଲା। ଉକ୍ତ ଲିଙ୍କ୍‌ରେ ଯାଇ ନମ୍ବର ଓ କ୍ରେଡିଟ୍ କାର୍ଡ ପଂଜୀକରଣ କରିବାକୁ ପରାମର୍ଶ ଦେଇଥିଲା। ଠକର କହିବା ଅନୁସାରେ, ଅକ୍ଷୟ ନିଜ ମୋବାଇଲ୍‌ରେ ପୂରା ପ୍ରକ୍ରିୟା ଅନୁସରଣ କରିବା ପରେ ତାଙ୍କ ଆକାଉଣ୍ଟରୁ ୯୯୯୯୯ ଟଙ୍କା କଟି ଯାଇଥିଲା। ଏହାର କିଛି ସମୟ ପରେ ୫ଟି ପର୍ଯ୍ୟାୟରେ ୩ ଲକ୍ଷ ୩୦ ହଜାର ଟଙ୍କା କଟି ଯାଇଥିଲା। ଅକ୍ଷୟ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ଭୁବନେଶ୍ବର ସାଇବର ହେଲ୍ପଡେସ୍କ୍‌ରେ ଅଭିଯୋଗ କରିଥିଲେ। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଲକ୍ଷେ ଟଙ୍କାର ଟ୍ରାଞ୍ଜାକ୍‌ସନକୁ ବ୍ଲକ୍ କରିଥିବା କହିଥିବା ବେଳେ ଅନ୍ୟ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଅକ୍ଷୟଙ୍କ କ୍ରେଡିଟ୍‌ କାର୍ଡରୁ ସାଇବର ଠକ କରିଥିବା ୪ଟି ଟ୍ରାଞ୍ଜାକ୍ସନ୍‌ ମଧ୍ୟରୁ ୨ଟି ହରିୟାଣା ଓ ୨ଟି ଗୁଡ୍‌ଗାଓଁ‌‌‌କୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର