ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ

ପିଠା ବାସ୍ନାରେ ମହକିଲା ଏକାମ୍ର ହାଟ

ଭୁବନେଶ୍ୱର: ସଂଭାବନା ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ-୨୦୨୨ର ଉଦ୍‌ଯାପନୀ ଉତ୍ସବ ଆଜି ଏକାମ୍ର ହାଟରେ ଅନୁଷ୍ଠିତ ହୋଇଯାଇଛି। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂଧ୍ୟାରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ତଥା ଓଡ଼ିଆ ମହୋତ୍ସବର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏବଂ ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ମଞ୍ଚାସୀନ ଥିଲେ। ଉଦ୍‌ଯାପନୀ ଦିବସର ପ୍ରଥମ ସନ୍ଧ୍ୟାରେ ସୁସ୍ୱାଦୁ ପିଠା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଓଡ଼ିଆ ପିଠାର ବାସ୍ନାରେ ସମଗ୍ର ହାଟ ମହକିଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା। ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପିଠା ପ୍ରତିଯୋଗିତାରେ ଓଡ଼ିଆଣୀ ପ୍ରତିଯୋଗିତାର ବିଚାରକ ଭାବେ ଆର୍ଯ୍ୟା ପାଣିଗ୍ରାହୀ ଓ ନନ୍ଦିନୀ ପାଢ଼ୀ ଉପସ୍ଥିତ ଥିଲେ। ସେହିଭଳି ଶିଶୁ କିଶୋର ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସୁଗମ ସଂଗୀତ ପ୍ରତିଯୋଗିତା। ଏହାର ବିଚାରକ ଥିଲେ ସଂଗୀତ ଶିଳ୍ପୀ ନିମାକାନ୍ତ ରାଉତରାୟ, ହରପ୍ରିୟା ସ୍ୱାଇଁ ଓ ଅନୁଜା ତାରିଣୀ ମିଶ୍ର। ଏହି ଅବସରରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ସ୍ମୃତି ମହାନ୍ତି, ସଦସ୍ୟା ଛନ୍ଦା ମିଶ୍ର, ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ଅଭିରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଓଡ଼ିଆଣୀଙ୍କ ମଧ୍ୟରେ ପାନଭଙ୍ଗା ଓ ପାରମ୍ପରିକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର