ଜାନୁଆରିରୁ ଭୁଆସୁଣିରେ ପଡ଼ିବନି ଅଳିଆ, ନିର୍ମାଣ ହେବ ପାଇରୋଲେସିସ୍ ପ୍ଲାଣ୍ଟ

୨୫ଟି ସ୍ଥାନରେ ହେବ କମ୍ପୋଷ୍ଟ ପ୍ଳାଣ୍ଟ, ପ୍ଲାଷ୍ଟିକ୍ ବର୍ଜ୍ୟ ବିଶୋଧନ ପାଇଁ ବି ହେବ ପ୍ଲାଣ୍ଟ

ଭୁବନେଶ୍ବର : ବିଏମ୍‌ସି-ଦାରୁଠେଙ୍ଗ ଗ୍ରାମବାସୀଙ୍କ ବିବାଦର ଅନ୍ତ ହେବାକୁ ଯାଉଛି। ବିଏମ୍‌ସି ଭୁଆସୁଣିରେ ରାଜଧାନୀର ଅଳିଆ ପକାଇବାକୁ ବିରୋଧ କରି ଲାଗି ରହିଥିବା ଦୀର୍ଘ ବର୍ଷର ବିବାଦର ଅନ୍ତ ହେବାକୁ ଯାଉଛି। ଆସନ୍ତା ଜାନୁଆରିରୁ ବିଏମ୍‌ସି ଭୁଆସୁଣିରେ ଆଉ ଆବର୍ଜନା ନପକାଇବାକୁ ନିଷ୍ପତ୍ତି ନେଇଛି। ରାଜଧାନୀରେ ଦୈନିକ ବାହାରୁଥିବା ପ୍ରାୟ ୬୦୦ଟନ୍‌ର ଆବର୍ଜନାକୁ ୱାର୍ଡସ୍ତରରେ ହିଁ ବିଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ବି ଆବର୍ଜନା ବିଶୋଧନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ୫ବର୍ଷ ହେଲା ଭୁଆସୁଣିରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ହୋଇପାରୁନି। ଏ ସମ୍ପର୍କିତ ମାମଲା ଏବେ ଏନ୍‌ଜିଟି ଓ ହାଇକୋର୍ଟରେ ବି ବିଚାରାଧୀନ ଅଛି। ମାମଲା ବିଚାରାଧୀନ ଥିବାରୁ ଆମେ କିଛି ବି ପଦ‌େକ୍ଷପ ‌େନଇପାରୁନୁ। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ ସ୍ବଚ୍ଛ ସ‌ର୍ଭେକ୍ଷଣ ସର୍ଭେରେ ଆମେ ସ୍ବଚ୍ଛ ସହର ହୋଇ ବି ବହୁ ପଛରେ ପଡ଼ି ଯାଉଛୁ। ତେଣୁ ପରିମଳ ବ୍ୟବସ୍ଥା‌ ସଜାଡ଼ିବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ୱାର୍ଡସ୍ତରରେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର କରାଯିବ। ଏଥିରେ ପୂରା ଭୁବନେଶ୍ବରରେ ପ୍ରାୟ ୨୫ଟି କମ୍ପୋଷ୍ଟ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ପ୍ଲାଣ୍ଟଗୁଡ଼ିକ ୫ଟିପିଡି ଏବଂ ତିନି ଟିପିଡି କ୍ଷମତା ବିଶିଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ୫ଟିପିଡି ପ୍ଲାଣ୍ଟ ନିର୍ମାଣ କରିବାକୁ ପ୍ରାୟ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୨୫ଟି ପ୍ଲାଣ୍ଟ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଦରକାର। ରାଜ୍ୟ ସରକାର ଏହି ଅର୍ଥ ଦେବାକୁ ସହମତି ଜଣାଇଥିବାରୁ ଏହାର ନିର୍ମାଣ ନେଇ କୌଣସି ସମସ୍ୟା ନାହିଁ।

କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ୱାର୍ଡସ୍ତରରେ ଜାଗା ଚିହ୍ନଟ ହୋଇଛି। ୨/୩ଟି ୱାର୍ଡକୁ ନେଇ ଗୋଟିଏ ଲେଖାଏଁ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ଲାଣ୍ଟରେ ଜୈବ ଆବର୍ଜନାଗୁଡ଼ିକୁ କମ୍ପୋଷ୍ଟ (ଖତ)ରେ ପରିଣତ କରାଯିବ। ଏହି ଖତକୁ ବିକ୍ରି କରାଯିବ।

ସେହିପରି ପ୍ଲାଷ୍ଟିକ ଆବର୍ଜନାଗୁଡ଼ିକୁ ଅଲଗା କରି ଏହାକୁ ବିଶୋଧନ କରାଯିବ। ଏଥିପାଇଁ ୟୁଏନ୍‌ଡିପି ସହ ଚୁକ୍ତି ସ୍ବାକ୍ଷର ହୋଇଥିବାବେଳେ ସୈନିକ ସ୍କୁଲସ୍ଥିତ ଟିଟିଏସ୍‌ଠାରେ ଏହାର ସେଡ୍ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାପରେ ଏଠାରେ ପ୍ଲାଷ୍ଟିକ ଆବର୍ଜନା ବି‌େଶାଧନ ହେବ।

ଏହି ଦୁଇଟି ପ୍ଲାଣ୍ଟ ହେଲେ ମୋଟ୍ ଆବର୍ଜନା ୬୫% ତୁରନ୍ତ ବିଶୋଧନ ହୋଇଯିବ। କିନ୍ତୁ ଏଥିପାଇଁ ଆବର୍ଜନା ପୃଥକୀକରଣ ହେବା ଦରକାର। ଆବର୍ଜନା ପୃଥକୀକରଣ ପାଇଁ ଲୋକଙ୍କୁ ସଚେତନ କରାଯିବ। ଲୋକ ଘରେ ହିଁ ଆବର୍ଜନା ପୃଥକୀକରଣ କରିବେ। ଏହାଦ୍ବାରା ଆବର୍ଜନା ବିଶୋଧନ କରିବା ସୁବିଧା ହେବ। ଲୋକଙ୍କୁ ଘରୁ ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରି ଗାଡ଼ି ବ୍ୟବହାର କରିବାକୁ ଯୋଜନା ହେଉଛି। ଫଳରେ କମ୍‌ ସମୟରେ ଆବର୍ଜନା ସଂଗ୍ରହ କରି ଏହାକୁ ପୃଥକୀକରଣ କରାଯାଇପାରିବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ୬୫% ଆବର୍ଜନା ବିଶୋଧନ ହେବା ପରେ ବାକି ୩୫% ଆବର୍ଜନା ପାଇଁ ରାଜଧାନୀରେ ଗୋଟିଏ ପାଇରୋଲେସିସ୍‌ ପ୍ଲାଣ୍ଟ ନିର୍ମାଣ ହେବ। ଏହି ପ୍ଲାଣ୍ଟ୍‌ କେଉଁଠି ବସିବ, କେତେ କ୍ଷମତା ବିଶିଷ୍ଟ ହେବ, ସେନେଇ ନିଷ୍ପତ୍ତି ହୋଇନି। ଏହି ପ୍ଲାଣ୍ଟ ବସାଇବାକୁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ଭବତଃ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ଏହା ବସିପାରେ। ଏହି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେଲେ ଆବର୍ଜନାରୁ ଫର୍ଣ୍ଣେସ୍ ତେଲ ବାହାରିବ। ଏହି ତେଲ ବିଭିନ୍ନ ଚିମିନି ଚଳାଇବାରେ ବ୍ୟବହାର ହେବ। ବିଭିନ୍ନ ପ୍ଲାଣ୍ଟରେ ଚିମିନି ଚଳାଇବାକୁ ଫର୍ଣ୍ଣେସ୍ ତେଲ ବ୍ୟବହାର ହେଉଥିବାରୁ ଆମର ବାହାରିବାକୁ ଥିବା ତେଲ ବିକ୍ରିରେ କୌଣସି ସମସ୍ୟା ରହିବନି।

ଏହିପରି ଭା‌େବ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ବଦଳରେ ଆମେ ତିନି ପ୍ରକାରର ପ୍ଲାଣ୍ଟ ବସାଇବାକୁ ନିଷ୍ପତ୍ତି ନେଇଛୁ। ଆସନ୍ତା ୬ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛୁ। ଜାନୁଆରିରୁ ଭୁଆସୁଣିକୁ ଅଳିଆ ନନେବାକୁ ଯୋଜନା ଚାଲିଛି। ଭୁଆସୁଣିକୁ ଅଳିଆ ନଗଲେ ବିଏମ୍‌ସିର ବି ବର୍ତ୍ତମାନ ଅପେକ୍ଷା କମ୍‌ ଅର୍ଥ ଖର୍ଚ୍ଚ ହେବ।

ଭୁଆସୁଣି ପାଲଟିବ ପର୍ଯ୍ୟଟନସ୍ଥଳୀ

ଭୁଆସୁଣିରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବା ବେଳେ ଏହାକୁ ଖୁବ୍ ଶୀଘ୍ର ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ବିଏମ୍‌ସି ଯୋଜନା କରିଛି। ବିଏମ୍‌ସି ଅଧିକାରୀ କହିଛନ୍ତି ଯେ ଏଠାରେ ବାଇଓମାଇନିଂ କରି ଆବର୍ଜନାଗୁଡ଼ିକୁ ପୋତି ଦିଆଯିବ। ଏହି ୬୨ ଏକର ଜମି ଉପରେ ଏକ ବଡ଼ ପାର୍କ ନିର୍ମାଣ କରାଯିବ। ଏହି ପାର୍କରେ ବିଭିନ୍ନ ପ୍ରକାରର ଗଛ ଲାଗିବ। ଏହାକୁ ଏକ ପର୍ଯ୍ୟଟନସ୍ଥଳୀ କରିବାକୁ ଯୋଜନା ହୋଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲେ ଗ୍ରାମବାସୀ
ରାଜ୍ୟ ସରକାର ଭୁଆସୁଣି ଡମ୍ପିଂୟାର୍ଡରେ ଅଳିଆ ନ ପକାଇବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ଦାରୁଠେଙ୍ଗ ଗ୍ରାମର ଶତାଧିକ ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ବର ମଧ୍ୟ ବିଧା‌ୟକ ଅନନ୍ତ ନାରାୟଣ ଜେନା, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଦାରୁଠେଙ୍ଗର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ରାଉତରାୟ ପ୍ରମୁଖଙ୍କ ନେତୃତ୍ବରେ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦାରୁଠେଙ୍ଗରେ ଅଳିଆ ପଡ଼ିବା ଯଥାସମ୍ଭବ ଶୀଘ୍ର ବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର