ଦୁଇ ମାସରେ ୯ ଦାଗୀ ଗିରଫ, ୫ଜଣଙ୍କୁ ଏନ୍‌କାଉଣ୍ଟର

୫ବନ୍ଧୁକ, ୯ ଚାରିଚକିଆ, ୨୨୪ ଗ୍ରାମ୍‌ ସୁନା, ୫୦ ହଜାର ଟଙ୍କା ଜବତ

ଭୁବନେଶ୍ବର: ଜୁନ୍‌ ୮ ତାରିଖରେ ନୂଆପଲ୍ଲୀରୁ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରିବା ସହ କାର୍‌ ଲୁଟ୍‌ ଘଟଣାରୁ ଆରମ୍ଭ ହୋଇଥିବା ଅପରାଧର ତଦନ୍ତ କରୁ କରୁ କମିସନରେଟ୍‌ ପୁଲିସ ଦୁଇମାସ ମଧ୍ୟରେ ୯ ଅପରାଧୀଙ୍କୁ ଧରିଛି। ସେମାନଙ୍କ ମଧ୍ୟରୁ ୫ଜଣ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବା ବେଳେ ୯ଟି କାର୍‌, ୮ ଟି ବାଇକ୍‌, ୨୨୪ ଗ୍ରାମ୍‌ ସୁନା, ୫୦ ହଜାର ଟଙ୍କା ସହ ୧୦ ମୋବାଇଲ ଜବତ କରାଯାଇଛି। ତା’ ଛଡ଼ା ୫ଟି ଦେଶୀ ବନ୍ଧୁକ ୬ ରାଉଣ୍ଡ ଗୁଳି, ଭୁଜାଲି ପ୍ରଭୃତି ମାରଣାସ୍ତ୍ର ଜବତ କରାଯାଇଛି। ସମସ୍ତ ଅପରାଧୀ ଗୋଟିଏ ଗ୍ୟାଙ୍ଗ୍‌ର ହୋଇଥିବା ବେଳେ ମାଷ୍ଟର ମାଇଣ୍ଡ ରବି ରାଓ ବୋଲି ଜଣାପଡ଼ିଛି।

ରବି ରାଓ ସମେତ ଗିରଫ ହୋଇଥିବା ବିବେକ ନାୟକ, ଅରୁଣ ମଲ୍ଲିକ, ସିପୁନ କବି, ହରେକୃଷ୍ଣ ସ୍ବାଇଁ, ଅର୍ଜୁନ ଦାସ, ଦେବାଶିଷ ଦାସ, ଜଗବନ୍ଧୁ ସ୍ବାଇଁ ଓରଫ ପାରା, ଅଜୁ ସାହୁ ସମ‌ସ୍ତେ ଅଭ୍ୟାସଗତ ଅପରାଧୀ। ଏମାନଙ୍କର ନାମରେ ଖଣ୍ଡଗରି, ସହିଦନଗର, ନୂଆପଲ୍ଲୀ, ଧଉଳି, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ନନ୍ଦନକାନନ ଥାନା ସମେତ କଟକ ମଧୁପାଟଣା, ଆଠଗଡ଼, ନାଲ୍‌କୋ ଓ କାମାକ୍ଷାନଗରରେ ପୁଲିସ କହିଛି। ତେ‌ବେ ଏମାନଙ୍କର ଅନ୍ୟତମ ସହଯୋଗୀ ତଥା ଅଭ୍ୟାସଗତ ଅପରାଧୀ ଚକ୍ରଧର ବାରିକ ଓରଫ ଚକରା, ତିୱାରୀ, ତବୁ ଖାଁ ପ୍ରଭୃତି ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ଏହି ଅପରାଧୀଙ୍କୁ ଧରିବା ପରେ ମଞ୍ଚେଶ୍ବର ଅଞ୍ଚଳରୁ ଦମ୍ପତିଙ୍କୁ ହୋଇଥିବା ଲୁଟ୍‌, ମହିମା ମୋଟର୍ସରେ ଗ୍ରାହକ ଓ ମାଲିକଙ୍କୁ ଲୁଟ୍‌, ତୃପ୍ତି ହୋଟେଲ ମାଲିକଙ୍କୁ ଲୁଟ୍‌, ଖଣ୍ଡଗିରି କାର୍‌ ଲୁଟ୍‌, ଏୟାରପୋର୍ଟ ଡଷ୍ଟର କାର୍‌ ଲୁଟ୍‌, ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନା ଅଧୀନରେ ଲୁଟ୍‌, ସମେତ ଗତ ଜୁନ୍‌ ୧୪ ତାରିଖରେ ନିଆଳିର ଏକ ବ୍ୟାଙ୍କ୍‌ର ଜମା ପାଇଁ ଯାଉଥିବା ୩୫ଲକ୍ଷ ଲୁଟ୍‌ ମାମଲାର ପର୍ଦାଫାସ୍‌ ହୋଇଛି। ଏହି ରବି ରାଓର ଗ୍ୟାଙ୍ଗ୍‌ ହିଁ ବ୍ୟାଙ୍କ୍‌ ପଇସା ଡକାୟତି କରିବାରେ ମୁଖ୍ୟ ଅଭିଯୁକ୍ତ ରହିଛି। ଏମାନେ ଲୁଟ୍‌ ପଇସାରେ ଦାମୀ ବାଇକ୍‌ କିଣିଥିବା ବେଳେ କେତେକ ଘର ତିଆରି କରିବାରେ ବ୍ୟବହାର କରିଛନ୍ତି। ଦାମୀ ବାଇକ୍‌ ସବୁକୁ ଜବତ କରାଯାଇଛି। ଗୋଟିଏ ବାଇକ୍‌ର ମୂଲ୍ୟ ଲକ୍ଷାଧିକ ହେବ ବୋଲି ପୁଲିସ କହିଛି। ଭୁବନେଶ୍ବର ସମେତ ଜିଲ୍ଲା ବାହାରୁ ମଧ୍ୟ ଦୁଇଟି ଗାଡ଼ି ଜବତ କରିବାରେ ପୁଲିସ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କଠାରୁ ଚୋରା କାର୍‌ କିଣି ପଦ୍ମଲୋଚନ ନାୟକ, କଳ୍ପତରୁ ଜେନା, ମୁନା ବାରିକ ଓ ସନ୍ତୋଷ କୁମାର ସାହୁଙ୍କୁ ପୂର୍ବରୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଗିରଫ ଅଭିଯୁକ୍ତଙ୍କ ନାମରେ ଭୁବନେଶ୍ବରରେ ୧୭ ମାମଲା ଥିବା ବେଳେ କଟକର ମଧୁପାଟଣା, ଆଠଗଡ଼, ନାଲ୍‌କୋ ଓ କାମାକ୍ଷା ନଗରରେ ମାମଲା ରହିଛି। ପୂର୍ବରୁ ଏମାନେ ଭାଗ ଭାଗ ହୋଇ ଗାଡ଼ି ଲୁଟ୍‌ ସହ ବିଭିନ୍ନ ଡକାୟତି ଓ ଛିନ୍‌ତାଇ କରୁଥିଲେ। ପରେ ଏକାଠି ହୋଇ ଗ୍ୟାଙ୍ଗ୍‌ ଚଳାଉଥିଲେ। ଗ୍ୟାଙ୍ଗ୍‌ର କେହି ସଦସ୍ୟ ପୁଲିସର ସନ୍ଦେହ ପରିସରକୁ ଆସୁଥିଲେ ସେ ଆତ୍ମଗୋପନ କରୁଥିଲା।

ସମ୍ବନ୍ଧିତ ଖବର