ନକଲି ସାର୍ଟିଫିକେଟ୍‌ ଦେଇ ଲକ୍ଷାଧିକ ଟଙ୍କା ଠକେଇ

୫ ଦଲାଲଙ୍କୁ ଉଠାଇନେଲା କୋଲକାତା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ନକଲି ସାର୍ଟିଫିକେଟ୍‌ ଦେଇ ପାଖାପାଖି ୪୦ଜଣ ଛାତ୍ରଛାତ୍ରୀଙ୍କଠଶରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗ୍‌ର ୫ଜଣ ସଦସ୍ୟଙ୍କୁ କୋଲକାତା କ୍ରାଇମ୍‌ବ୍ରାଞ୍ଚ ଆଜି ରାଜଧାନୀର ବିଭିନ୍ନ ସ୍ଥାନରୁ ଗିରଫ କରିଛି। କମିସନରେଟ୍‌ ପୁଲିସ ସହାୟତା‌‌ରେ କ୍ରାଇମ୍‌ବ୍ରାଞ୍ଚ ଚଦ୍ରଶେଖରପୁର, ଖଣ୍ଡଗିରି, ନୟାପଲ୍ଲୀର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିଥିବା ଜଣାଯାଇଛି। ନୂଆପଲ୍ଲୀ ଥାନା ସହଯୋଗରେ ବେହେରାସାହି ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତଜଣଙ୍କ ହେଲା, ମନ୍ମଥ କୁମାର ପ୍ରଧାନ(୪୦)। ତେବେ ରିପୋର୍ଟ ଲେଖା ହେବା ବେଳକୁ ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ।

ପୁଲିସ ସୂଚନା ମୁତାବକ, ୱେଷ୍ଟବେଙ୍ଗଲ ଷ୍ଟେଟ୍‌ ୟୁନିର୍ଭସିଟିରେ ପିଲାମାନଙ୍କୁ ନାମ ଲେଖାଇବା ଆଳରେ ମନ୍ମଥ ରାଜଧାନୀର ବହୁ ଛାତ୍ରଛାତ୍ରୀଙ୍କୁ ଠକିଛି। ୟୁନିଭର୍ସିଟିରେ ନାମ ଲେଖା ପାଇଁ ମନ୍ମଥ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲା। ଅନ୍‌ଲାଇନ୍‌ରେ ଆଡ୍‌ମିସନ୍‌ କରାଇ ସାର୍ଟିଫିକେଟ୍‌ ଦେବାକୁ କହିଥିଲା। ଏଥିପାଇଁ ପ୍ରତି ଛାତ୍ରଛାତ୍ରୀଙ୍କଠାରୁ ଏକ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲା। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ମନ୍ମଥଙ୍କ ସହ ଯୋଗାଯୋଗ କରି ଅନ୍‌ଲାଇନ୍‌ରେ ଆଡ୍‌ମିସନ୍‌ କରିଥିଲେ। ଅପରପକ୍ଷେ ସତ ଧରା ପଡ଼ିଯିବାର ଭୟ ଥିବାରୁ ମନ୍ମଥ ଚତୁରତାର ସହ କଥାବାର୍ତ୍ତା କରି କାହାରିକୁ ୟୁନିର୍ଭସିଟିକୁ ଯିବାକୁ ଦେଇନଥିଲା। କିଛି ଦିନ ପରେ ସେ ଛାତ୍ରଛାତ୍ରୀଙ୍କୁ ଜାଲ୍‌ ଡିଗ୍ରି ସାର୍ଟିଫିକେଟ୍‌ ଧରାଇ ଦେଇଥିଲା। ଆଶ୍ଚର୍ଯ୍ୟର କଥା, ଛାତ୍ରଛାତ୍ରୀମାନେ କୌଣସି ପରୀକ୍ଷା ଦେଇନଥିଲେ ସୁଧା ସେମାନଙ୍କୁ ଭଲ ପର୍ସେଣ୍ଟେଜ୍‌ ମାର୍କ ମିଳିଥିଲା। ତେବେ କିଛି ଦିନ ପରେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଯେତେବେଳେ ବିଭିନ୍ନ ସଂସ୍ଥାରେ ଚାକିରି ପାଇଁ ଆବେଦନ କଲେ, ସତ ପଦାକୁ ଆସିଥିଲା। ସଂସ୍ଥାଗୁଡ଼ିକ ଭେରିଫିକେସନ୍‌ ପାଇଁ ସାର୍ଟିଫିକେଟ୍‌ଗୁଡ଼ିକୁ ସଂପୃକ୍ତ ୟୁନିଭର୍ସିଟିକୁ ପଠାଇବାରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ସେଭଳି କୌଣିସି ଛାତ୍ରଛାତ୍ରୀ ୟୁନିଭର୍ସିଟିରୁ ଡିଗ୍ରି ହାସଲ କରିବା ତ ଦୂରର କଥା, ନାମ ଲେଖାଇନାହାନ୍ତି। ସାର୍ଟିଫିକେଟ୍‌ ନକଲ ଥିବା ଜଣାପଡ଼ିବା ପରେ ଛାତ୍ରଛାତ୍ରୀମାନେ ମନ୍ମଥଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ସେ ପିଲାଙ୍କୁ ଭୁଆଁ ବୁଲାଇଥିଲା। ଅପରପକ୍ଷେ ୟୁନିଭର୍ସିଟି କର୍ତୃପକ୍ଷ ଏ ସଂପର୍କରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋଲକାତା କ୍ରାଇମବ୍ରାଞ୍ଚ ଆଜି କମିସନ୍‌ରେଟ୍‌ ପୁଲିସ ସହାୟତାରେ ମନ୍ମଥ ସମେତ ତା’ର ୪ ସହଯୋଗୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନରୁ ଗିରଫ କରିଛି।

ସମ୍ବନ୍ଧିତ ଖବର