ବିଜେବି କଲେଜ ସ୍ନାତକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩(ସ୍ନାତକ) କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ଣରେ ପରୀକ୍ଷା ଫଳ ପ୍ରକାଶ କରାଯିବା ପରେ ପରୀକ୍ଷାର୍ଥୀମାନେ ମହାବିଦ୍ୟାଳୟ ୱେବସାଇଟ୍‌ www.bjbcollege.in ରେ ସେମାନଙ୍କ ଫଳ ଜାଣିପାରିଥିଲେ। ଏଥିସହ କଲେଜ ନୋଟିସ୍‌ ବୋର୍ଡରେ ମଧ୍ୟ ଫଳ ଉପଲବ୍ଧ ହୋଇଛି। ଅଗଷ୍ଟ ୨୦ ତଥା ଶନିବାର ପୂର୍ବାହ୍ଣ ୧୧ଟାଠାରୁ ଛାତ୍ରଛାତ୍ରୀ ନିଜ ବିଭାଗରୁ ଗ୍ରେଡ୍‌ ସିଟ୍‌ ଓ ପ୍ରୋଭିଜନାଲ ସାର୍ଟିଫିକେଟ୍‌ ପାଇପାରିବେ। ଯେଉଁମାନେ ସେମିନାର ଲାଇବ୍ରେରି, ଲାଇବ୍ରେରି, ହଷ୍ଟେଲ ଫି’ ପଇଠ କରି ନ ଥିବେ‌ ସେମାନଙ୍କୁ ସାର୍ଟିଫିକେଟ୍‌ ଓ ଗ୍ରେଡ୍‌ ସିଟ୍‌ ପ୍ରଦାନ କରାଯିବ ନାହିଁ। ଯେଉଁ କୃତୀ ଛାତ୍ରଛାତ୍ରୀଙ୍କ ଗ୍ରେଡ୍‌ ସିଟ୍‌ ଓ ପ୍ରୋଭିଜନାଲ ସାର୍ଟିଫିକେଟ୍‌ରେ କୌଣସି ପ୍ରକାଶ ତ୍ରୁଟି ରହିଥିବ ସେମାନେ ଆସନ୍ତା ୨୨ ତାରିଖଠାରୁ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଆବେଦନ କରି ସଂଶୋଧନ କରିପାରିବେ। ମାର୍କ ରି-ଆଡିସନ୍‌ ଲାଗି ଛାତ୍ରଛାତ୍ରୀ ଆବଶ୍ୟକୀୟ ଫି’ ଦାଖଲ କରି ସେପ୍ଟେମ୍ବର ୬ ସୁଦ୍ଧା ଆବେଦନ କରିପାରିବେ।

ବିଜ୍ଞାନ ବିଭାଗ ପାସ୍‌ହାର ସର୍ବାଧିକ ହୋଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ବିଭିନ୍ନ ବିଭାଗର ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ନୃତତ୍ତ୍ବ ବିଜ୍ଞାନ ବିଭାଗରେ ବୈଭବୀ ଦାଶ ୯.୯୩ କୋର ସିଜିପିଏ ରଖିଥିବା ବେଳେ ଅର୍ଥନୀତି ବିଭାଗରେ ସ୍ବେତା ପଣ୍ଡା ୯.୩୬ କୋର ସିଜିପିଏ, ଶିକ୍ଷା ବିଭାଗରେ ପୁଷ୍ପଲତା କଷ୍ଟ ୯.୪୩ କୋର ସିଜିପିଏ, ଇଂରାଜୀରେ ସେଫାଳି ପଟ୍ଟନାୟକ, ପ୍ରୟାସଲକ୍ଷ୍ମୀ ନାଥ, ଅଙ୍କିତା ମହାପାତ୍ର ୮.୮୬ କୋର ସିଜିପିଏ ମାର୍କ ରଖିଛନ୍ତି। ଭୂଗୋଳରେ ଦେବବ୍ରତ ସିଂ ୯.୫୭ କୋର ସିଜିପିଏ, ହିନ୍ଦୀରେ ପୂଜା କାଣ୍ଡି ୯.୧୪, ମ୍ୟୁଜିକ୍‌ରେ ରୋଜାଲିନ୍‌ ବା‌ରିକ ୯.୬୪, ଇତିହାସରେ ଧ୍ରୁବଜ୍ୟୋତି ଜେନା ୯.୩୬, ଗଣିତରେ ଜ୍ଞାନେନ୍ଦ୍ର ସ୍ବାଇଁ ୮.୧୬, ଓଡ଼ିଆରେ ରୋଜାଲିନ୍‌ ମୁଦୁଲି ୯.୪୩, ଦର୍ଶନଶାସ୍ତ୍ରରେ ଅୟସ ରଞ୍ଜନ ବେହେରା ୮.୯୩, ରାଜନୀତି ବିଜ୍ଞାନରେ ଆର୍ଯ୍ୟକୁମାରୀ ତପସ୍ବିନୀ ଓ ଦିବ୍ୟଦର୍ଶନ ବେହେରା ୯.୨୧ କୋର ସିଜିପିଏ ହାସଲ କରିଥିବା ଜଣାପଡ଼ିଛି। ୯୦ ପ୍ରତିଶତ ଛାତ୍ରଛାତ୍ରୀ ଡିଷ୍ଟିଂସନ୍‌ ସହ ପ୍ରଥମ ଶ୍ରେଣୀ ସମ୍ମାନରେ ଉତ୍ତୀର୍ଣ୍ଣ ହୋଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର