କମିସନରେଟ୍‌ ପୁଲିସ ପକ୍ଷରୁ ରକ୍ତଦାନ ଶିବିର

୫୨ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଦ୍ୱୈତ ନଗରୀରେ ଥିବା ବିଭିନ୍ନ ରକ୍ତ ଭଣ୍ଡାରରେ କିପରି ରକ୍ତ ଅଭାବ ଘଟିବ ନାହିଁ, ସେଥିପାଇଁ କମିସନରେଟ୍‌ ପୁଲିସ ସହଯୋଗର ହାତ ବଢ଼ାଇଛି। ଇଣ୍ଡିଆନ ରେଡକ୍ରସ ସୋସାଇଟି ଆଞ୍ଚଳିକ ଶାଖା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଭୁବନେଶ୍ୱରରେ ଥିବା ସମସ୍ତ ରୋଟାରି କ୍ଲବ ସହଯୋଗରେ ରକ୍ତଦାନ ଶିବିରମାନ କମିସନରେଟ ପୁଲିସ ପକ୍ଷରୁ କରାଯାଉଛି।

ଏହି ପରିପ୍ରେକ୍ଷୀରେ କମିସନରେଟ ପୁଲିସ ପକ୍ଷରୁ ବ୍ଲାକ ପନ୍ଥର ସ୍କିଲ୍‌ ଟ୍ରେନର ଇନ୍‌ଷ୍ଟିଚ୍ୟୁଟ୍‌ ଠାରେ ଆୟୋଜିତ ଦଶମ ରକ୍ତଦାନ ଶିବିରରୁ ୫୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ରୋଟାରି ଗଭର୍ଣ୍ଣର ଅଜୟ ଅଗ୍ରଓ୍ଵାଲ, ପୁଣ୍ୟଶ୍ଲୋକ ମହାନ୍ତିଙ୍କ ତତ୍ତ୍ୱବଧାନେରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ ଶିବିର ଉଦ୍‌ଘାଟନ କରିଥିଲେ । ଡିସିପି ଅନୁପମା ଜେମସ, ସଂଯୋଜକ ଋଷି ପଟ୍ଟନାୟକ, ରୋଟାରି ସଭାପତି ରୋଶନାରା ବେଗମ, ଏସିପି (ଆର୍ମଡ) ଏଲ୍‌. ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏପର୍ଯ୍ୟନ୍ତ କମିସନରେଟ୍‌ ପୁଲିସର ସମୁଦାୟ ଦଶଟି ଶିବିରରୁ ୪୭୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ଏଲ୍‌ପି ଟିମ୍‌ ପକ୍ଷରୁ ରକ୍ତଦାନ ଶିବିର ୨୦ରେ

ଚନ୍ଦ୍ରଶେଖରପୁର : ନାରୀ ସୁରକ୍ଷା ଓ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ସାମାଜିକ ସଂଗଠନ ଲେଡ଼ି ପ୍ରୋଟେକ୍ଟ ଟିମ୍‌ (ଏଲ୍‌ପି ଟିମ୍‌) ଓ ‘ଆମ ଓଡ଼ିଶା’ର ମିଳିତ ସହଯୋଗରେ ଚଳିତ ମାସ ୨୦ ତାରିଖ ମଙ୍ଗଳବାର ଦିନ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନି ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବ। ଏହି ଶିବିରରେ ସମସ୍ତ ଯୁବବନ୍ଧୁ ଓ ଉତ୍ସାହୀ ରକ୍ତଦାତାମାନେ ଯୋଗଦେବାକୁ ଏଲ୍‌ପି ଟିମ୍‌ର ସଭାପତି ପ୍ରସନ୍ନ ପାଣି ଅନୁରୋଧ କରିଛନ୍ତି। ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ନିମନ୍ତେ ସମସ୍ତେ ବିଶେଷକରି ଯୁବଗୋଷ୍ଠୀ ଆଗେଇଆସିବାକୁ ସଂଗଠନର ମୁଖ୍ୟ ଉପଦେଷ୍ଟା ସମରେନ୍ଦ୍ର ସାହୁ ଆହ୍ଵାନ ଦେଇଛନ୍ତି। ସମସ୍ତଙ୍କ ଆଗ୍ରହ ଓ ଉତ୍ସାହ ହାଉସିଂବୋର୍ଡ ଦୁର୍ଗାପୂଜା ପଡ଼ିଆରେ ହେବାକୁ ଥିବା ଏହି ଶିବିରକୁ ସଫଳ କରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଶିବିରରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ଯୋଗଯୋଗ ୭୯୭୮୪୫୦୭୫୮, ୮୨୭୦୭୫୨୨୦୯।

ସମ୍ବନ୍ଧିତ ଖବର