୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଭୁବନେଶ୍ବର : କମିସନରେଟ୍‌ ପୁଲିସର ହ୍ବାଇଟ୍‌ ସ୍ପାଇଡର୍‌ ଅଭିଯାନରେ ପୁଣି ୩ ଜଣ ବ୍ରାଉନ୍‌ସୁଗାର ବେପାରୀ ଧରାପଡ଼ିଛନ୍ତି। କଳିଙ୍ଗବିହାର ଇଲେକ୍ଟ୍ରିକ୍ ସବ୍‌ଷ୍ଟେସନ୍‌ ନିକଟରୁ ତମାଣ୍ଡୋ ଥାନା ପୁଲିସ ଏହି ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଖୋର୍ଦ୍ଧା ନନ୍ଦସାହିର ସଂଜୟ କୁମାର ସାହୁ ଓରଫ ମଣ୍ଟୁ, ସୋମନାଥ ମହାପାତ୍ର ଓରଫ ସୋନୁ ଓ ପୁରୀ ଗଡ଼କାଳୁପଡ଼ାର ସୁରେଶ କୁମାର ହାତୀ ଓରଫ ସିଲୁ। ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୧୦୭ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି।

ପୁଲିସ ସୂଚନାନୁସାରେ, ଏହି ୩ ଅଭିଯୁକ୍ତ ପେସାଦାର ବେପାରୀ ଓ ଏମାନେ ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ବେପାର କରନ୍ତି। ଖୋର୍ଦ୍ଧା ଓ ତା’ର ଆଖପାଖ ଅଞ୍ଚଳ ସମେତ ରାଜଧାନୀ ଉପକଣ୍ଠ କଳିଙ୍ଗବିହାର, ପାତ୍ରପଡ଼ା, ଯାଁଳା, ମଦନପୁର ଆଜି ଅଞ୍ଚଳରେ ଏମାନେ କୁଜି ବେପାରୀ ନିୟୋଜିତ କରି ଏହି ଧଳାଜହର କାରବାର ଚଳାଇଥିଲେ। ତେଣୁ ଏହି ତିନିଜଣିଆ ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ପୁଲିସ ଗତ କିଛି ଦିନ ହେଲା ଜାଲ ବିଛାଇଥିଲା। ସୂଚନାଯୋଗ୍ୟ, ହ୍ବାଇଟ୍ ସ୍ପାଇଡର୍ ଅଭିଯାନରେ କମିସନରେଟ୍ ପୁଲିସ ରାଜଧାନୀର ବିଭିନ୍ନ ଥାନାରୁ ବର୍ତ୍ତମାନ ସୁଦ୍ଧା ୨ କେଜି ୮ଶହ ୯୧ଗ୍ରାମ୍ ବ୍ରାଉନ୍‌ସୁଗାରୁ ଜବତ କରିଥିବା ବେଳେ ୫୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି। ଜବତ ଧଳାଜହରର ବଜାର ମୂଲ୍ୟ ୩କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର