୨୦୨୨ରେ ସେନ୍‌ସେକ୍ସ ୮୦ ହଜାର ଟପିବ

ମୁମ୍ବାଇ: ଆଗାମୀ ଦିନରେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭରେ ଉନ୍ନତି ହେବ। ଅଭିବୃଦ୍ଧିକୁ ସୁହାଇବା ଭଳି ନୀତି ସରକାର ଆଣିବେ। ଏହାର ପ୍ରଭାବରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ହେବ। ଅଧିକ ରିଟର୍ଣ୍ଣ ଆଶା କରୁଥିବା ନିବେଶକମାନଙ୍କ ଲାଗି ଅନୁକୂଳ ପରିବେଶ ସୃ‌ଷ୍ଟି ହେବ। ଏହାର ପ୍ରଭ‌ାବରେ ଆସନ୍ତା ବର୍ଷ ଷ୍ଟକ ବଜାରରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିବ। ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଯାହା ଏବେ ୬୦ ହଜାର ପଏଣ୍ଟ୍ ସ୍ତରରେ ରହିଛି, ୨୦୨୨ରେ ତାହା ୮୦ ହଜାର ପଏଣ୍ଟ୍ ଅତିକ୍ରମ କରିବ।

ମର୍ଗାନ ଷ୍ଟାନ୍‌ଲିର ଇକ୍ବିଟି ଷ୍ଟ୍ରାଟେଜିଷ୍ଟ୍‌ ରିଧମ ଦେଶାଇ କହିଛନ୍ତି ଯେ ଭାରତୀୟ ପୁଞ୍ଜି ବଜାର ବିଶ୍ବର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରିବ। ଆସନ୍ତା ବର୍ଷ କିନ୍ତୁ ଇକ୍ବିଟି ବଜାରକୁ ବହୁ ଆହ୍ବାନର ସାମ୍ନା କରିବାକୁ ପଡ଼ିବ। ସୁଧକୁ ନେଇ ଆମେରିକାର ନିଷ୍ପତ୍ତି, ଅଶୋଧିତ ତୈଳ ଦର, କିଛି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ, କୋଭିଡ୍ ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଓ ମୁଦ୍ରାସ୍ଫୀତିରେ ବୃଦ୍ଧି ଭଳି ସ୍ଥିତିକୁ ଏହା ସମ୍ନା କରିବ। କିଛି ଦିନ ପୂର୍ବେ ସର୍ବକାଳୀନ ଉଚ୍ଚ ସ୍ତରରେ ଥିବା ସେନ୍‌ସେକ୍ସରେ ମାସକ ଭିତରେ ୨୫୦୦ ପଏଣ୍ଟ୍‌ ହ୍ରାସ ହୋଇଛି। ବହୁ ନିବେଶକଙ୍କୁ ସେଥିପାଇଁ କ୍ଷତି ସହିବାକୁ ପଡ଼ିଛି। କିନ୍ତୁ ଭଲ ଦିଗଟି ହେଉଛି ରେକର୍ଡ ସଂଖ୍ୟକ ସଂସ୍ଥା ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରୁଛନ୍ତି।

ସାଧାରଣ ଲୋକମାନେ ଷ୍ଟକ ବଜାରରେ ନିବେଶ କରିବା ପ୍ରତି ଆଗ୍ରହ ଦେଖାଇଛନ୍ତି। ନିବେଶକମାନେ ଆସନ୍ତା ବର୍ଷ କେଉଁ ସବୁ ବିଷୟ ଉପରେ ନଜର ରଖିବା ଦରକାର ତାହା ମଧ୍ୟ ମର୍ଗାନ୍ ଷ୍ଟାନ୍‌ଲି ଜଣାଇଛି। ସ୍ବଚ୍ଛ ଶକ୍ତିରେ ନିବେଶ, ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳର ବ୍ୟବହାର, ନୂଆ ଆବାସିକ ପ୍ରକଳ୍ପ ସ୍ଥାପନ, ଗାଡ଼ି ଓ ବିମାନ ଯାତ୍ରା, ଋଣରେ ବୃଦ୍ଧି, ଜୀବନ ବୀମା, ଡିଜିଟାଲ୍ ରୂପାନ୍ତରଣ, ଇଲେକ୍ଟ୍ରିକ୍ ଯାନ ଓ ଇ-କମର୍ସ ବଜାରରେ ହେବାକୁ ଥିବା ଗତିବିଧିକୁ ନଜରରେ ରଖି ନିବେଶ ନିଷ୍ପତ୍ତି ଗ୍ରହଣ କରିବାକୁ ନିବେଶକମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର