ନୂଆ ଏଚ୍‌ଆରଜି ମ୍ୟାପିଂ ପାଇଁ ୨ ଦିନିଆ କର୍ମଶାଳା

ଭୁବନେଶ୍ବର : ରାଜ୍ୟରେ ଏଚ୍‌ଆଇଭିର ନୂଆ ସମ୍ବେଦନଶୀଳ ଗ୍ରୁପ୍ ବା ଏଚ୍‌ଆରଜିଙ୍କୁ ଚିହ୍ନଟ କରିବା ଲାଗି ମ୍ୟାପିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ ପୂର୍ବରୁ ଥିବା ଏଚ୍‌ଆରଜି କ୍ଲଷ୍ଟର ସହିତ ନୂଆ କ୍ଲଷ୍ଟରରେ ମ୍ୟାପିଂ କରାଯିବ। ଫଳରେ ଯେଉଁ ଏଚ୍‌ଆରଜିମାନେ ଚିହ୍ନଟ ହେବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ମିଳିପାରିବ। ଏଥିପାଇଁ ପାନ୍ଥନିବାସରେ ୨ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଏଥିରେ ରାଜ୍ୟରେ କାର୍ଯ୍ୟ କରୁଥିବା ଟିଆଇ/ଏଲଡବ୍ଲୁଏସ୍‌ ଓ ଟିଏସ୍‌ୟୁ ଯୋଗ ଦେଇଥିଲେ।

୨୦୦୮ ମସିହାରେ ରାଜ୍ୟରେ ଶେଷଥର ଲାଗି‌ ସେଣ୍ଟିନାଲ ସର୍ଭେ ହୋଇଥିଲା। ସର୍ଭେ ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଏଚ୍‌ଆଇଭି କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତ୍ତି ନିଆଯାଉଛି। ମାତ୍ର ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା ବା ନାକୋ ପକ୍ଷରୁ ଦେଶବ୍ୟାପୀ ମ୍ୟାପିଂ ଅଫ ପପୁ‌ଲେସନ୍ ସାଇଜ୍ ଏଷ୍ଟିମେସନ୍ ବା ଏମ୍‌ପିଏସ୍‌ଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନାକୋର ନିର୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଏଚ୍‌ଆରଜିମାନଙ୍କ ମ୍ୟାପିଂ କରାଯିବ। ହଟସ୍ପଟ୍ ଇନଫରମେସନ୍ ଫର୍ମାଟ୍ ବା ଏଚ୍‌ଆଇଏଫ୍‌ ଓ ଭିଲେଜ ଇନଫରମେସନ୍ ଫର୍ମାଟ୍ ବା ଭିଆଇଏଫ୍‌ରେ ସେମାନଙ୍କର ସମ୍ମତି ଅନୁଯାୟୀ ତଥ୍ୟ ସଂଗ୍ରହ କରାଯିବ। ସଂଗୃହୀତ ତଥ୍ୟର ମଧ୍ୟ ଗୋପନୀୟତା ବଜାୟ ରଖାଯିବ ବୋଲି କର୍ମଶାଳାରେ କୁହାଯାଇଛି। କର୍ମଶାଳାରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡା. ଉର୍ମିଳା ମିଶ୍ର, ନାକୋ ଏମ୍‌ପିଏସ୍‌ଇର ପ୍ରକଳ୍ପ ଅଧିକାରୀ ଡା. ଅଖିଳେଶ ଶ୍ରୀବାସ୍ତବ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶିକା ଡା. ଅଞ୍ଜନା ପଣ୍ଡା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଭେନ୍ଦୁ ପଟ୍ଟନାୟକ, ରାଜ୍ୟ ନୋଡାଲ ଅଧିକାରୀ(ଏମ୍‌ପିଏସଇ) ଶାନ୍ତନୁ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର