ସିମେଣ୍ଟ୍‌, ଛଡ଼ ଦରବୃଦ୍ଧି ନେଇ ଗୃହ ନିର୍ମାତା ଚିନ୍ତିତ

ଭୁବନେଶ୍ବର: ଘର ତିଆରି କରିବାର ଦୁଇ ପ୍ରମୁଖ କଞ୍ଚାମାଲ ସିମେଣ୍ଟ୍ ଓ ଛଡ଼ ଦାମ୍‌ରେ କିଛି ମାସ ଭିତରେ ହୋଇଥିବା ବୃଦ୍ଧିକୁ ନେଇ ଘର ତିଆରି କରୁଥିବା ଲୋକମାନେ ଓ ସଂସ୍ଥାଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛି। ଏହି ଦୁଇ ସାମଗ୍ରୀର ଦାମ୍ ଏତେ ବଢ଼ିଯାଇଛି ଯେ ଘର ତିଆରି କରିବା ଖର୍ଚ୍ଚରେ ୪୦-୫୦% ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। କେବଳ କଞ୍ଚାମାଲ୍ ଦର ନୁହେଁ, ପରିବହନ ଭଡ଼ାରେ ହୋଇଥିବା ବୃଦ୍ଧି ମଧ୍ୟ ଘର ନିର୍ମାଣ ଖର୍ଚ୍ଚକୁ ବଢ଼ାଇ ଦେଇଛି। ଏହି ପ୍ରସଙ୍ଗକୁ ନେଇ ରିଅଲ ଇଷ୍ଟେଟ୍ ସଂଘ କ୍ରେଡାଇ ଓଡ଼ିଶା ଗଭୀର ଚିନ୍ତା ପ୍ରକଟ କରିଛି।

କ୍ରେଡାଇ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ମହାମାରୀ ଯୋଗୁଁ ରିଅଲ ଇଷ୍ଟେଟ୍ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଶ୍ରମିକମାନେ ନିଜ ଗାଁକୁ ଫେରିଯିବା ଯୋଗୁଁ କାମ ଅଧା ବାଟରେ ଅଟକି ଯାଇଥିଲା। ସେଥିପାଇଁ ରିଅଲ ଇଷ୍ଟେଟ୍‌ କଂପାନିଗୁଡ଼ିକୁ ବ୍ୟାବସାୟିକ କ୍ଷତି ସହିବାକୁ ପଡ଼ିଛି। ଲକ୍‌ଡାଉନ୍ ଭଳି କଟକଣା ହଟିବା ପରେ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହେବା ବେଳକୁ ଛଡ଼, ସି‌ମେଣ୍ଟ, ବାଲି ଦାମ୍ ଓ ପରିବହନ ଭଡ଼ା ଆଦି ସବୁ କିଛିରେ ଅହେତୁକ ବୃଦ୍ଧି ହୋଇଥିଲା। ୨୦୨୦ରେ ଛଡ଼ ବା ଇସ୍ପାତର ଟନ୍ ପିଛା ଦାମ୍ ୪୩୦୦-୪୮୦୦ ଟଙ୍କା ମଧ୍ୟରେ ଥିଲା। ବର୍ତ୍ତମାନ ସେହି ଛଡ଼ ଟନ୍ ପିଛା ୫୮୦୦ରୁ ୬୫୦୦ ଟଙ୍କା ଭଳି ଚଢ଼ା ଦାମ୍‌ରେ ବିକ୍ରି ହେଉଛି।

ସେହିପରି ଗତବର୍ଷ ୫୦ କେଜିଆ ସିମେଣ୍ଟ୍ ବସ୍ତ‌ା ଦାମ୍ ୨୦୦-୨୫୦ ଟଙ୍କା ମଧ୍ୟରେ ଥିଲା। ଏବେ ତାହା ୩୦୦-୩୫୦ ଟଙ୍କା ଭଳି ଦାମ୍‌ରେ ବିକ୍ରି ହେଉଛି। ଘର ତିଆରିରେ ବ୍ୟବହାର ହେଉଥିବା ବୈଦ୍ୟୁତିକ ଦ୍ରବ୍ୟ, ଫ୍ୟାବ୍ରିକେସନ୍, ରଙ୍ଗ, କାଠ ସାମଗ୍ରୀ ଓ ସାନିଟାରି ସାମଗ୍ରୀଗୁଡ଼ିକର ଦାମ୍ ମଧ୍ୟ ବଢ଼ିଛି। ‌ଫଳରେ ଘର ତିଆରି କରିବା ଲାଗି ବର୍ଗଫୁଟ ପିଛା ଯେତିକି ଖର୍ଚ୍ଚ ହେଉଥିଲା ଏବେ ସେଥିରେ ଆଉ ୮୦୦-୧୦୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରତି ଫ୍ଲାଟ୍‌ ପିଛା ନିର୍ମାଣ ଖର୍ଚ୍ଚରେ ୮-୧୦ ଲକ୍ଷ ଟଙ୍କାର ବୃଦ୍ଧି ହୋଇଥିବା କ୍ରେଡାଇ ପକ୍ଷରୁ ଦାବି କରାଯାଇଛି। ରେରା ନିୟମ ଅନୁସାରେ ଏହି ଖର୍ଚ୍ଚ ରିଅଲ ଇଷ୍ଟେଟ୍ ସଂସ୍ଥାଙ୍କୁ ବହନ କରିବାକୁ ପଡ଼ିବ। ଏହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର କିଭଳି ସମାଧାନ ହୋଇପାରିବ ସେ ବିଷୟରେ ଦୃଷ୍ଟି ଦେବାକୁ କ୍ରେଡାଇ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର