ସିଟି ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସର ଚଢ଼ଉ: କୋଟିଏରୁ ଊର୍ଧ୍ୱ ସମ୍ପତ୍ତି ଠାବ

ପୁରୁଣା ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସିଟି ଡିଏଫ୍‌ଓ ଚିତ୍ତରଞ୍ଜନ ମିଶ୍ରଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉବେଳେ ଶ୍ରୀ ମିଶ୍ରଙ୍କ କୋଟିଏରୁ ଊର୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ୭ଟି ବ୍ୟାଙ୍କ ପାସ୍‌ବୁକ୍‌, ୩୩୫ ଗ୍ରାମ ସୁନା ଅଳଙ୍କାର ଓ ୩୧ ହଜାର ଟଙ୍କା ଜବତ ହୋଇଛି।

ଆଜି ଭୋର ୫ଟାରେ ଭିଜିଲାନ୍ସର ବିଭିନ୍ନ ଟିମ୍‌ ଏକା ସମୟରେ ପୁରୁଣା ଭୁବନେଶ୍ୱର ଗ୍ୟାରେଜ୍‌ ଛକସ୍ଥିତ ରାଧାକୃଷ୍ଣ ନଗରରେ ୩୩୦/୨୪୧୮ପ୍ଲଟ୍‌ରେ ଥିବା ଶ୍ରୀ ମିଶ୍ରଙ୍କ ବାସବଭବନ, ସହିଦନଗର ଗ୍ରିନ୍‌ ପାର୍କ ନିକଟରେ ଥିବା କାର୍ଯ୍ୟାଳୟ, କଟକର କାନପୁରରେ ଥିବା ଏକ ମହଲା ଘର ଓ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ପାଟପୁର ସ୍ଥିତ ଶ୍ୱଶୁରଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତିର ସନ୍ଧାନ ମିଳିଥିଲା। ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧,୦୧,୦୩,୯୪୬ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥାବର ସମ୍ପତ୍ତି ମଧ୍ୟରେ ପୁରୁଣା ଭୁବନେଶ୍ୱର ୩ ମହଲା କୋଠାର ମୂଲ୍ୟ ୪୬,୬୩,୦୦୦ ଟଙ୍କା, କାନପୁର ଘରର ମୂଲ୍ୟ ୬,୨୭,୬୨୫ ଟଙ୍କା ଏବଂ ରାଧାକୃଷ୍ଣନଗରରେ ଥିବା ଏକ ବାସୋପଯୋଗୀ ପ୍ଲଟର ମୂଲ୍ୟ ୧,୨୪,୦୦୦ ଟଙ୍କା ହେବ ବୋଲି ହେବ ବୋଲି ଆକଳନ କରାଯାଉଛି।

ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୩୧ ହଜାର ଟଙ୍କା ମିଳିଥିବାବେଳେ ୩୩୫ ଗ୍ରାମ ଓଜନର ସୁନା ଅଳଙ୍କାରର ମୂଲ୍ୟ ୭,୭୨,୦୦୦ ଟଙ୍କା ଏବଂ ଗୃହୋପକରଣ ସାମଗ୍ରୀର ମୂଲ୍ୟ ୧୧,୯୪,୮୪୪ ଟଙ୍କା ବୋଲି ଅକାଳନ କରାଯାଉଛି। ସେହିପରି ଅସ୍ଥାବର ସମ୍ପତ୍ତି ମଧ୍ୟରେ ତାଙ୍କର ଆଇ-୨୦ କାର୍‌ ମୂଲ୍ୟ ୭.୫୦ ଲକ୍ଷ ଟଙ୍କା, ସ୍କୁଟିର ମୂଲ୍ୟ ୩୫,୦୦୦ ଟଙ୍କା ହୋଇଥିବାବେଳେ ଶ୍ରୀ ମିଶ୍ରଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୫,୧୭,୬୯୬ ଟଙ୍କା ଜମା ରହିଛି। ଏହା ବ୍ୟତୀତ ବିଭିନ୍ନ ବୀମା କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡ୍‌ରେ ସେ ୫,୮୮,୭୮୧ ଟଙ୍କା ନିବେଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର