ସ୍ମାର୍ଟ ସିଟିରେ ଆଣ୍ଠେଇଛି ସିଜିଡି ପ୍ରକଳ୍ପ: ଟଙ୍କା ଜମାର ବର୍ଷକ ପରେ ବି ମିଳୁନି ସଂଯୋଗ

ଚନ୍ଦ୍ରଶେଖରପୁର : ସ୍କାର୍ଟ ସିଟି ରାଜଧାନୀରେ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌ ପ୍ରୋଜେକ୍ଟ(ସିଜିଡି) ଅଣ୍ଠେଇ ପଡ଼ିଛି। ହଜାର ହଜାର ସଂଖ୍ୟାରେ ହିତାଧିକାରୀ ଘରକୁ ରନ୍ଧନ ଗ୍ୟାସ୍ ପାଇପ୍ ସଂଯୋଗ ନେବା ପାଇଁ ବର୍ଷେ ହେଲା ଧାର୍ଯ୍ୟ ଫି’ ଜମା କରିସାରିଛନ୍ତି। ମାତ୍ର ଠିକା ନେଇଥିବା ସଂସ୍ଥା ଦିନ ଗଡ଼ାଇ ଚାଲିଛି। ଫଳରେ ହିତାଧିକାରୀମାନେ ପାଇପ୍‌ ଗ୍ୟାସ୍ ସଂଯୋଗ ପାଇଁ ଚାତକ ଭଳି ଚାହିଁ ବସିଛିନ୍ତି। ଫି’ ଜମା କରିଥିବା ବହୁ ହିତାଧିକାରୀମାନେ ଘରେ ଲଗାଯାଇଥିବା ମିଟର ଓ ପାଇପ୍‌କୁ ଦେଖୁଥିବା ବେଳେ ବହୁ ହିତାଧିକାରୀ ପାଇପ୍ ଖଣ୍ଡେ ବି ପାଇନଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଠିକା ସଂସ୍ଥା ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଧିମା କାମ ପାଇଁ ହିତାଧିକାରୀମାନେ ଏଭଳି ସମସ୍ୟାରେ ପଡ଼ିଥିବା ଅଭିଯୋଗ ହେଉଛି।

ସୂଚନାନୁସାରେ ଏବେ ରାଜଧାନୀରେ ଏହି ଗ୍ୟାସ୍ ସଂଯୋଗ ପାଇଁ ପ୍ରାୟ ୨୦ ହଜାରୁ ଅଧିକ ଲୋକ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାରରୁ ଅଧିକ ହିତାଧିକାରୀ ସଂଯୋଗ ବାବଦ ଫି’ ଜମା କରି ସାରିଛନ୍ତି। କମ୍ପାନି ନିୟମ ଅନୁସାରେ କିଛି ଲୋକ ୫ ଶହ ଟଙ୍କା ଜମା କରିଛନ୍ତି। ସେମାନେ ବ୍ୟୟ କରୁଥିବା ଗ୍ୟାସ୍‌ ଦର ସହ ମିଟର ବାବଦରେ ମାସିକ ୩୫ ଟଙ୍କା ଭଡ଼ା ଦେବେ। କିଛି ହିତାଧିକାରୀ ୪ ହଜାର ୫ ଶହ ଟଙ୍କା ଜମା କରିଛନ୍ତି। ସେମାନେ ଗ୍ୟାସ୍ ଖର୍ଚ୍ଚ ଦେବେ, କିନ୍ତୁ ମିଟର ବାବଦରରେ ମାସିକ ଭଡ଼ା ଦେବେ ନାହିଁ। କିନ୍ତୁ ଏହି ୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୨ ହଜାର ୫ ଶହ ହିତାଧିକାରୀଙ୍କ ଘରକୁ ପାଇପ୍‌ ସଂଯୋଗ କରାଯାଇଛି ଓ ସେମାନେ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଅବଶିଷ୍ଟ ୪ ହଜାର ୫ ଶହ ଆଶାୟୀ ସେମିତି ଅପେକ୍ଷା କରି ବସିଛନ୍ତି। କମ୍ପାନି କର୍ତ୍ତୃପକ୍ଷ ଜମା ଟଙ୍କା ଧରି ଦିନ ଗଡ଼ାଇ ଚାଲିଛି। ନୀଳାଦ୍ରିବିହାର ଅଞ୍ଚଳର ରୋହିତ ପଟ୍ଟନାୟକଙ୍କ କହିବା କଥା ସେ ବର୍ଷେ ହେଲା ୪ ହଜାର ୫ ଶହ ଟଙ୍କା ଜମା କରି ସାରିଛନ୍ତି। କିନ୍ତୁ ତାଙ୍କ ଘରକୁ ପାଇପ୍‌ ପଡ଼ି ପାରିନାହିଁ। ବାରମ୍ବାର କମ୍ପାନିକୁ କହିଲେ କେବଳ ପ୍ରତିଶ୍ରୁତି ମିଳୁଛି ଓ ସମୟ ଗଡ଼ିଚାଲିଛି। ସେହିଭଳି ଡମ୍ବରୁଧର ନାୟକ ଅଭିଯୋଗ କରିଛନ୍ତି ଯେ ସେ ଟଙ୍କା ଜମା କରିବା ପରେ ତାଙ୍କ ଘରକୁ ପାଇପ୍‌ ସଂଯୋଗ କରାଗଲା ଓ ମିଟର ଲଗାଗଲା। କିନ୍ତୁ ଏହା ଭିତରେ ୮ ମାସ ବିତି ସାରିଥିଲେ ବି ଗ୍ୟାସ୍ ମିଳିପାରିନାହିଁ। ସେ ମିଟର ଓ ପାଇକ୍‌କୁ ଦେଖିଦେଖି ଦିନ ଗଣୁଛନ୍ତି। ଜମା ଟଙ୍କା ‌ନେବା ପାଇଁ କମ୍ପାନି କର୍ତ୍ତୃପକ୍ଷ ଯେତିକି ତତ୍ପର ହେଲେ, ଏବେ ପାଇପ୍‌ ସଂଯୋଗ ଦେଲା ବେଳକୁ କାଣିଚାଏ ବି ତତ୍ପରତା ନାହିଁ ବୋଲି ନୀଳାଦ୍ରିବିହାର ଅଞ୍ଚଳର ବହୁ ଆଶାୟୀ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ମହାମାରୀ କରୋନା ପାଇଁ ପାଇପ୍‌ ସଂଯୋଗ କାମ ବାଧାପ୍ରାପ୍ତ ହୋଇଛି। ଶ୍ରମିକ ଅଭାବ ସାଙ୍ଗକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟବସ୍ଥା ଓ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଆଦି ବ୍ୟବସ୍ଥା କାମକୁ ଆଗେଇ ନେବାରେ ବାଧା ସୃଷ୍ଟି କରିଥିଲା। ତେବେ ଏଣିକି କାମ ଆଗେଇ ଚାଲିଛି ଓ ଫି’ ଜମା କରିଥିବା ହିତାଧିକାରୀଙ୍କୁ ଖୁବ୍‌ ଶୀଘ୍ର ପାଇପ୍‌ ସଂଯୋଗ ସହ ଗ୍ୟାସ୍ ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ ରାଜଧାନୀରେ ଚନ୍ଦ୍ରଶେଖରପୁର ଅଞ୍ଚଳର ନାଲ୍‌କୋନଗର, ପୁରୁଣା ଏଲ୍‌ଆଇସି କଲୋନି, ନୂତନ ଏଲ୍‌ଆଇସି କଲୋନି, ମୈତ୍ରୀବିହାର, ରେଲ୍‌ୱେ କଲୋନି, ପ୍ରାଚୀ ଏନ୍‌କ୍ଲେଭ୍‌, କାଞ୍ଚନଜଙ୍ଗା ଏବଂ ନନ୍ଦାଦେବୀ ଆପାର୍ଟମେଣ୍ଟ୍‌, ଖଣ୍ଡଗିରି କଳିଙ୍ଗନଗରର କେ-୪ ଏବଂ କେ – ୫, ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟ ଆଦି ଅଞ୍ଚଳରେ ପ୍ରାୟ ୨ ହଜାର ୫ଶହ ହିତାଧିକାରୀଙ୍କ ଘରକୁ ଗ୍ୟାସ ପାଇପ୍‌ ସଂଯୋଗ କରାଯାଇଛି ଓ ସେମାନେ ଗ୍ୟାସ୍ ବ୍ୟବହାର କରୁଛନ୍ତି। ଏହି ଯୋଜନାରୁ ସେମାନେ ବେଶ୍ ଉପକୃତ ହେଉଥିବା କହିଛନ୍ତି। କଳିଙ୍ଗନଗର କେ-୪ ଅଞ୍ଚଳର ମମତା ମିଶ୍ର ଓ ସୌଦାମିନି ବିଶ୍ବାଳଙ୍କ କହିବା କଥା ଏହି ଯୋଜନା ଦ୍ବାରା ଖର୍ଚ୍ଚ କମ୍ ବେଶି ବଡ଼ କଥା ନୁହେଁ। ସିଲିଣ୍ଡର କିଣିବା ଅପେକ୍ଷା ପାଇପ୍ ଯୋଜନାରେ କମ୍ ଖର୍ଚ୍ଚ ହେଉଛି। ତେବେ ବଡ଼ କଥା ହେଉଛି ସୁବିଧାରେ ହାତପାହାନ୍ତାରେ ଗ୍ୟାସ୍ ମିଳିଯାଉଛି। ବୁକିଂ କରିବା, ବିତରକକୁ ଅପେକ୍ଷା କରିବା ଓ ଉପରମହଲାକୁ ଟେକାପକା କରି ସିଲିଣ୍ଡର ବୋହିବା ଭଳି ସମସ୍ୟା ଆଉ ନାହିଁ। ସେହିଭଳି ବିତରକ ସଂସ୍ଥା ମଧ୍ୟ ଆବଶ୍ୟକ ସ୍ଥଳେ ଫୋନ୍‌ କଲ୍‌ ପାଇ ସେବା ଯୋଗାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର