ଆଜି ଜନ୍ମାଷ୍ଟମୀ, ରାତି ଅଧରେ ଜନ୍ମ ନେବେ ଶ୍ରୀକୃଷ୍ଣ

ଭୁବନେଶ୍ବର : ‘ହରେ କୃଷ୍ଣ… ହରେ କୃଷ୍ଣ … କୃଷ୍ଣ କୃଷ୍ଣ… ହରେ ହରେ’ ଧ୍ବନିରେ ଆଜି ମନ୍ଦିର ପରିସର ପ୍ରକମ୍ପିତ ହେବ ନାହିଁ। ଭକ୍ତଙ୍କ କୋଳାହାଳରେ ଭଗବାନ ଆହ୍ଲାଦିତ ହେବେ ନାହିଁ। ମନ୍ଦିର ବାହାରେ ଲମ୍ବା ଧାଡ଼ି ଲାଗିବ ନାହିଁ କି ପ୍ରସାଦ ପାଇଁ ହଟ୍ଟଗୋଳ ହେବ ନାହିଁ। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଜନ୍ମାଷ୍ଟମୀ ପାଳନ ହେବ। ଏନେଇ ଭକ୍ତ ନିରାଶ ଥିବାବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିରଗୁଡ଼ିକରେ ବିଶେଷ କିଛି ଆୟୋଜନ କରାଯାଇନାହିଁ। କେବଳ ପରମ୍ପରା ଓ ବିଧିବିଧାନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମନ୍ଦିର ପରିସରର କର୍ମଚାରୀ ଓ ଭକ୍ତ ପାଛୋଟି ଆଣିବେ। ଆସନ୍ତାକାଲି ମଧ୍ୟ ରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହେବ। ବିଭିନ୍ନ ପ୍ରକାର ଫଳମୂଳ ସହ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀରେ ଭଗବାନଙ୍କୁ ଆପ୍ୟାୟିତ କରାଯିବ। ପରଦିନ ନନ୍ଦୋତ୍ସବରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିବା ପରେ ପ୍ରସାଦ ସେବନର ସୁଯୋଗ ପାଇବେ। ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ସହରର ବିଭିନ୍ନ ମନ୍ଦିର ବିଶେଷକରି ରାମ ମନ୍ଦିର, ଇସ୍କନ ଓ ବାୟାବାବା ମଠରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କେବଳ ରାତି ପାହିବାକୁ ଅପେକ୍ଷା।

ରାମ ମନ୍ଦିରରେ ହେବ ଧନିଆ ପଞ୍ଜୁରୀ ଭୋଗ
ରାମ ମନ୍ଦିରରେ ଅନୁରୂପ ଭାବେ ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ। ଏଣୁ ମନ୍ଦିରରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ହେଉଥିବା ସ୍ବତନ୍ତ୍ର ପ୍ରସାଦ ଓ ଭୋଗ ଥାଳି ହେବ ନାହିଁ। କିନ୍ତୁ ମନ୍ଦିରର ଜନ୍ମାଷ୍ଟମୀ ସ୍ବତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଭକ୍ତମାନଙ୍କୁ ଜନ୍ମଷ୍ଟମୀ ପର ଦିନ ନନ୍ଦୋତ୍ସବରେ ବଣ୍ଟନ କରାଯିବ। ଏନେଇ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସକାଳେ ମନ୍ଦିରରେ ଯେପରି ନିତ୍ୟ ପୂଜା ହୁଏ,‌ ଠିକ୍‌ ସେହିଭଳି ଆସନ୍ତାକାଲି ବି ହେବ। ଭୋର୍‌ ସାଢ଼େ ୫ଟାରୁ ମଙ୍ଗଳଆଳତି, ୭ଟାରେ ଶୃଙ୍ଗାର ଆଳତି ଓ ୧୨ଟାରୁ ଭୋଗ ଆଳତି ହୋଇ ମନ୍ଦିର ବନ୍ଦ ରହିବ। ଅପରାହ୍‌ଣ ସାଢ଼େ ୪ଟାରେ ମନ୍ଦିର ଖୋଲିବ। ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ହେବ। ରାତି ୧୦ଟାରୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି କାର୍ଯ୍ୟକ୍ରମ ଓ ଭଜନ କୀର୍ତ୍ତନ ଆରମ୍ଭ ହୋଇଯିବ। ରାତି୧୨ଟାରେ ଅଭିଷେକ ଓ ପୁଷ୍ପାଞ୍ଜଳି ଭିତରେ ଶ୍ରୀକୃଷ୍ଣଙ୍କୁ ଧରାପୃଷ୍ଠକୁ ସ୍ବାଗତ କରାଯିବ। ଧନିଆକୁ ଗୁଣ୍ଡ କରି ଘିଅ ଚିନି ଦେଇ ପ୍ରସ୍ତୁତ ଏହି ଧନିଆ ପଞ୍ଜୁରୀ ଭୋଗ ସ୍ବତନ୍ତ୍ର ଭାବେ ଭଗବାନଙ୍କୁ ଲାଗୁ ହେବ। ଏହା ପରଦିନ ଭକ୍ତଙ୍କୁ ବଣ୍ଟନ କରାଯିବ ବୋଲି ରାମମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଦିନ ସାରା ଇସ୍କନରେ ଚାଲିବ ଭଜନକୀର୍ତ୍ତନ
ଆଜି ଭକ୍ତଙ୍କୁ ମନ୍ଦିର ପ୍ରବେଶ ନି‌ଷେଧ କରାଯାଇଛି। ଏଣୁ ଇସ୍କନ ପରିସରରେ ଥିବା ଭକ୍ତ ଓ କର୍ମଚାରୀଙ୍କୁ ନେଇ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହେବ ବୋଲି ଭୁବନେଶ୍ବର ଇସ୍କନ୍‌ ମନ୍ଦିରର ରାଜ୍ୟ ପ୍ରଚାର ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି। ସକାଳ ୪.୧୫ରୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯିବ। ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତୀ, ସକାଳ ସାଢ଼େ ୭ରେ ଦର୍ଶନ ଆଳତୀ ଗୁରୁ ପୂଜା, ୮ଟା ବେଳକୁ ଦର୍ଶନ ଆଳତୀ ହେବ। ମନ୍ଦିର ପରିସରର ଭକ୍ତ ଦର୍ଶନ କରିବା ସହ ସୁଗନ୍ଧିତ ଫୁଲରେ ପ୍ରଭୁଙ୍କୁ ସୁଶୋଭିତ କରିବେ। ସାଢ଼େ ୧୧ଟା ପରେ ପହୁଡ଼ ପଡ଼ିବ। ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ। କିନ୍ତୁ ଦିନ ସାରା ଭଜନ କୀର୍ତ୍ତନ ଚାଲୁରହିବ। ସଂଧ୍ୟାରେ ମନ୍ଦିର ଖୋଲିବା ପରେ ସଂଧ୍ୟା ଆଳତୀ ଓ ଭଜନ କୀର୍ତ୍ତନ ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପ୍ରସ୍ତୁତି ଆରମ୍ଭ ହେବ। ମଧ୍ୟ ରାତ୍ରିରେ ଅର୍ଥାତ ରାତି ୧୨ଟାରେ ଅଭିଷେକ ଆରମ୍ଭ ହେବ ଓ ଭଗବାନଙ୍କ ଜନ୍ମ ଉତ୍ସବ ପାଳିତ ହେବ। ଭକ୍ତମାନେ ଏହା ପରେ ଉପାସ ଭାଙ୍ଗିବେ। ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଫଳ ଭୋଗ ଲାଗି ହୁଏ। ଅନ୍ନ ପ୍ରସାଦ ଛଡ଼ା ସ୍ବତନ୍ତ୍ର ହାଲୁଆ, ତରକାରୀ, ଲଡୁ ଓ ମାଖନ ଆଦି ଭୋଗ ଲାଗେ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର