ଚର୍ଚ୍ଚାରେ ସିମ୍ପାଞ୍ଜି ଜୁଲୁ ଓ ଦୁର୍ଗାର ପ୍ରେମ: ଜୁଲୁକୁ ୩୩, ଦୁର୍ଗାକୁ ୬

ବାରଙ୍ଗ: ଗତ କିଛି ଦିନ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ସିମ୍ପାଞ୍ଜିଙ୍କ ପ୍ରେମକୁ ନେଇ ବେଶ୍ ରୋଚକ ଆଲୋଚନା ଚାଲିଛି। ଜୁଲୁ ଓ ଦୁର୍ଗାର ପ୍ରେମ କାହାଣୀକୁ ନେଇ ଗାଇଡ୍‌ଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଯାଏଁ ସବୁଠି ଚର୍ଚ୍ଚା। ଜୁଲୁର ବୟସ ୩୩ ବର୍ଷ ଓ ଦୁର୍ଗାର ବୟସ ମାତ୍ର ୬ ବର୍ଷ ହୋଇଥିବାରୁ ସେମାନଙ୍କ ମିଳନକୁ ନେଇ ସରଗରମ ଆଲୋଚନା ହେଉଛି। ପୁଣି ମୁଖ୍ୟ କଥାଟି ହେଉଛି ଦୁର୍ଗା ହେଉଛି ଜୁଲୁ ଓ ମାଈ ସିମ୍ପାଞ୍ଜି ପମ୍ପେଟା ମିଳନରୁ ଜନ୍ମ ହୋଇଥିବା ଛୁଆ। ପମ୍ପେଟାର ୫ମ ଗର୍ଭରୁ ଦୁର୍ଗା ଜନ୍ମ ନେଇଛି। ୧୯୯୪ ଜୁନ୍‌ ୧୬ ତାରିଖରେ ସିଙ୍ଗାପୁରରୁ ଜୁଲୁ ଓ ପମ୍ପେଟାକୁ ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ଜୁଲୁକୁ ୪ ବର୍ଷ ବୟସ ଓ ପମ୍ପେଟାକୁ ମାତ୍ର ୩ ବର୍ଷ ବୟସ ହୋଇଥିଲା। ଦୁହିଁଙ୍କ ମିଳନରୁ ନନ୍ଦନକାନନରେ ସିମ୍ପାଞ୍ଜି ବଂଶ ବଢ଼ିବଢ଼ି ଏବେ ୧୩ରେ ପହଞ୍ଚିଛି। ୨୦୧୭ ସେପ୍ଟେମ୍ବର ୨୩ରେ ଜୁଲୁ ଓ ପମ୍ପେଟାଙ୍କ ମିଳନରୁ ଜନ୍ମନେଇଥିଲା ଦୁର୍ଗା।

ଏବେ ତାକୁ ୬ ବର୍ଷ ବୟସ। କିନ୍ତୁ ଜୁଲୁ ଓ ଦୁର୍ଗା ପରସ୍ପରର ନିକଟତର ହୋଇଛନ୍ତି। ସିମ୍ପାଞ୍ଜିଙ୍କ ହାରାହାରି ବୟସ ୪୦ ହୋଇଥିବା ବେଳେ ଜୁଲୁକୁ ୩୩ ବର୍ଷ ବୟସ ହେଲାଣି। ତେଣୁ ସେ ଏକପ୍ରକାର ବାର୍ଦ୍ଧକ୍ୟରେ ଉପନୀତ। କିନ୍ତୁ ଏମିତି ଅବସ୍ଥାରେ ମାତ୍ର ୬ ବର୍ଷ ବୟସର ଝିଅ ଦୁର୍ଗା ସହ ତା’ର ମିଳନ ହୋଇଛି। ସୂଚନାଯୋଗ୍ୟ ଯେ ୬୦ ନମ୍ବର ଖୁଆଡ଼ରେ ଜୁଲୁ ହେଉଛି ସିମ୍ପାଞ୍ଜି ପରିବାରର ମୁଖିଆ ଏବଂ ତା’ ଔରସରୁ ଜନ୍ମ ନେଇଥିବା ପୂର୍ଣ୍ଣିମା, ରାକ୍ଷୀ, ଲକ୍ଷ୍ମୀଙ୍କ ସହିତ ଜୁଲୁର ମିଳନ ହୋଇସାରିଛି।

ସମ୍ବନ୍ଧିତ ଖବର