ସିଆର୍‌ପି ତାଲିମ୍‌ ଶିବିର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ୨୦୨୫ ସୁଦ୍ଧା ୨ଲକ୍ଷଙ୍କୁ ପ୍ରଶିକ୍ଷଣ

ତାଲିମ୍‌ ନେଲେ ୨ହଜାର ସ୍ୱେଚ୍ଛାସେବୀ

ଭୁବନେଶ୍ବର : ଶ୍ରୀସତ୍ୟସାଇ ସେବା ସଂଗଠନ(ଓଡ଼ିଶା), ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ, ଆମେରିକାନ ହାର୍ଟ ଆସୋସିଏସନ(ଏଏଚ୍‌ଏ) ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମସ୍‌ ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ହୃଦ୍‌ଘାତ ଜନିତ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଏକ ତାଲିମ ଶିବିର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଜୀବନ ବଞ୍ଚାଉଥିବା ଏହି ତାଲିମ କାର୍ଯ୍ୟକ୍ରମ ଏବଂ ଏହି ଦିଗରେ ପଦକ୍ଷେପ ନେଇଥିବା ସଂଗଠନକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଥିଲେ।

ଏହି ଅବସରରେ ଆୟକର ବିଭାଗର ପ୍ରମୁଖ ନିର୍ଦେଶକ (ତଦନ୍ତ) କୃଷ୍ଣ କିଶୋର ଯଷ୍ଟି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ତର୍ଜାତୀୟ ଉଚଜ ବିଶେଷଜ୍ଞ ଡ. ଭେସୁରି ଏସ୍‌.ଏନ୍‌. ମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଚଜ ପଦ୍ଧତିର ନମୁନାକୁ ଉପସ୍ଥାପନ କରିଥିଲେ। ଏଥିରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌, ଏମସ୍‌ର ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଚିକାଗୋର ଡ. ଭେମୁରି ମୂର୍ତ୍ତି, ଡେନିସ୍ ମ୍ୟାକକାଉଲେ, ଡ. ପବିତ୍ରା, ଶ୍ରୀସତ୍ୟସାଇ ସେବା ସଂଗଠନ ଓଡ଼ିଶାର ସଭାପତି ଡ. ସତ୍ୟସ୍ବରୂପ ପଟ୍ଟନାୟକ, ସଂଗଠନର ପୂର୍ବ ଜୋନ୍ ସଭାପତି ନାରାୟଣ ସର ପ୍ରମୁଖ ଉପସ୍ଥିତ ଥିଲେ। ଆମେରିକା ତଥା ଭାରତରୁ ଆସିଥିବା ବିଶିଷ୍ଟ ଡାକ୍ତର ବିଶେଷଜ୍ଞମାନେ ଏହି ଅବସରରେ ସେମାନଙ୍କର ଉପସ୍ଥାପନା ରଖିଥିଲେ।

ସଂଗଠନର କହିବା ଅନୁସାରେ ହୃଦ୍‌ରୋଗ ସାରା ବିଶ୍ୱରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ। ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ଓ ତନ୍ମଧ୍ୟରୁ ୮୦ ପ୍ରତିଶତ ଏହିଭଳି ଯାହାକୁ ପ୍ରତିରୋଧ କରାଯାଇ ପାରିବ। ଭାରତରେ ପ୍ରତି ବର୍ଷ ଲକ୍ଷରେ ୪୨୦୦ରୁ ଅଧିକ ଲୋକଙ୍କର ହୃଦ୍‌ଘାତ ହୋଇଥାଏ ଏବଂ ଏଥିମଧ୍ୟରୁ ୧୦ ପ୍ରତିଶତଙ୍କ ବଞ୍ଚିବାର ଆଶା ଥାଏ। ଏହି ହୃଦ୍‌ଘାତ ଜନିତ ମୃତ୍ୟୁରୁ ଅଧିକାଂଶ କାର୍ଡିଓପଲମୁନାରି ପୁନର୍ଗଠନ ବା ସିପିଆର୍‌ ଦ୍ବାରା ରୋକାଯାଇ ପାରିବ। ଓଡ଼ିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଉଚଜ ତାଲିମ ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ଆକସ୍ମିକ ମୃତ୍ୟୁରୁ ରକ୍ଷା କରିବାର ସାମର୍ଥ୍ୟ ପ୍ରଦାନ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ୨ହଜାର ସ୍ୱେଚ୍ଛାସେବୀ ତାଲିମ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ପ୍ରାୟ ୧ହଜାର ପୁଲିସ, ୬୦୦ ଯୁବକ ଓ କଲେଜ ଛାତ୍ରୀ ତାଲିମ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର