କେଶ ସମସ୍ୟାରୁ ମୁକ୍ତି ଦେବ କସ୍‌ମେଟିକ୍‌ ଚିକିତ୍ସା

ଭୁବନେଶ୍ବର: ଚନ୍ଦାପଣ ସୌନ୍ଦର୍ଯ୍ୟରେ ଏକ ମୁଖ୍ୟ ବାଧକ ଭାବେ ସବୁବେଳେ ଉଭା ହୁଏ। ଚେହେରା ଯେତେ ସୁନ୍ଦର ହୋଇଥିଲେ ବି ଯଦି ମୁଣ୍ଡ‌ରେ ଗୋଛାଏ ଚୁଟି ନାହିଁ, ମଣିଷକୁ ଅଡ଼ୁଆ ଲାଗେ। ଚନ୍ଦାପଣ ସହ ବ୍ୟକ୍ତିର ବୁଦ୍ଧିମତାର କୌଣସି ସଂପର୍କ ନଥିଲେ ବି ବ୍ୟକ୍ତିଟିଏ ନିଜକୁ ଅନ୍ୟମାନଙ୍କ ଆଗରେ ସବୁ‌‌ବେଳେ ଅସହଜ ମନେ କରେ। କିନ୍ତୁ ସ୍ବାସ୍ଥ୍ୟ ବିଜ୍ଞାନର ଉନ୍ନତି ଏ ଅଡ଼ୁଆକୁ ଦୂର କରିପାରିଛି। ଅତ୍ୟାଧୁନିକ କସ୍‌ମେଟିକ୍‌ ସର୍ଜରି ଦ୍ବାରା ଚନ୍ଦାପଣର ସଫଳ ଚିକିତ୍ସା କରାଯାଇପାରୁଛି। ଖାଲି ସେତିକି ନୁହେଁ, କେଶ ଝଡ଼ୁଥି‌ଲେ, ରୂପି ସମସ୍ୟା ଥିଲେ କିମ୍ବା କେଶ ଶୁଷ୍କ ଓ ଫାଟି ଦୋମୁହାଁ ହେଇଯାଉଥିଲେ, ଚିକିତ୍ସା ବିଜ୍ଞାନ ପାଖରେ ତାହାର ବି ସରଳ ଚିକିତ୍ସା ରହିଛି। ଏଥରକ, ଏଭଳି କିଛି କସ୍‌ମେଟିକ୍‌ ଥେରାପିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଚନ୍ଦାପଣରୁ ମୁକ୍ତି ଦେଉଛି କେଶ ରୋପଣ

ଚନ୍ଦାପଣ କାଳ କାଳ ଧରି ମଣିଷ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ୱିଗ୍‌ର ବ୍ୟବହାର ଏହାର ସାମୟିକ ସମାଧାନ ଥିଲା। କିନ୍ତୁ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁଁ ଏବେ ଚନ୍ଦାପଣରୁ ସଂପୂର୍ଣ୍ଣ ଭାବେ ମୁକ୍ତି ମିଳିପାରୁଛି। ଚିକିତ୍ସାର ଏହି ପଦ୍ଧତିକୁ ‘ହେୟାର ଟ୍ରାନ୍‌ସପ୍ଲାଣ୍ଟ୍‌’ ବା କେଶ ରୋପଣ କୁହାଯାଉଛି। କସ୍‌ମେଟିକ୍‌ ଦୁନିଆରେ ଏବେ ଏହା ଚାହିଦାରେ ରହିଛି। ବହୁ ବର୍ଷ ଧରି ହେୟାର ଟ୍ରାନ୍‌ସପ୍ଲାଣ୍ଟ୍‌କୁ ନେଇ ଗବେଷଣା ଚାଲିଥିବା ବେଳେ ୨୦୦୦ମସିହାରୁ ଏହାର ସଫଳ ଚିକିତ୍ସା ସମ୍ଭବ ‌ହୋଇଛି। ଏହି ଚିକିତ୍ସାରେ ରୋଗୀଙ୍କ ମୁଣ୍ଡର କେଶ ଥିବା ଅଂଶରୁ (ଡୋନର୍‌ ସାଇଟ୍‌)ରୁ ହେୟାର ଫୋଲିକିଲ୍‌ (ଲୋମକୂପ)କୁ ଆଣି ଚନ୍ଦା ଅଂଶ (ରିସିପିଆଣ୍ଟ୍‌ ସାଇଟ୍‌)ରେ ରୋପଣ କରାଯାଏ। ଏହି ପ୍ରକ୍ରିୟା ବ୍ୟୟବହୁଳ ଓ ସମୟସା‌ପେକ୍ଷ। ରୋଗୀଙ୍କ କେଶ ନଥିବା ଅଂଶକୁ ଚିହ୍ନଟ କରି ତାହାକୁ ବିଭିନ୍ନ ଭାଗରେ ବର୍ଗୀକରଣ କରାଯାଏ। ପ୍ରତିଥର ଗୋଟିଏ ବର୍ଗରେ ୨ହଜାରରୁ ଅଢ଼େଇ ହଜାର କେଶ ରୋପଣ କରାଯାଏ। ଏହାବ୍ୟତୀତ ଔଷଧ ବାବଦକୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଲାଗିଥାଏ। ୨୫ବର୍ଷରୁ ଊର୍ଧ୍ବ ବ୍ୟକ୍ତିଙ୍କୁ ଏହି ଚିକିତ୍ସା ପାଇଁ ଅନୁମତି ଦିଆଯାଏ। କେଶ ରୋପଣ ପରେ ସୁସ୍ଥ କେଶ ପାଇଁ ପିଆର୍‌ପି, ଜିଏଫ୍‌ସି ଥେରାପି ପ୍ରୟୋଗ ହୁଏ।

ସୁସ୍ଥ କେଶ ପାଇଁ ପିଆର୍‌ପି, ଜିଏଫ୍‌ସି ଥେରାପି

କେଶ ଝଡ଼ିବା, ରୁପି ସମସ୍ୟା, ଦୋମୁହାଁ ଓ ଶୁଷ୍କ କେଶକୁ ନେଇ ବ୍ୟଥିତ ଯୁବପିଢ଼ି ପାର୍ଲର ଚକ୍କର କାଟି କାଟି ଥକି ଗଲେଣି। ଏବେ କିଛି ବିଜ୍ଞାନ ପ୍ରମାଣିତ ଚିକିତ୍ସା ବା ପ୍ରଣାଳୀ ଉପରେ ସେମାନେ ଆଶା ବାନ୍ଧିଛନ୍ତି। ଏହି ସମୟରେ ପିଆର୍‌ପି (ପ୍ଲାଟେଲେଟ୍‌-ରିଚ୍‌ ପ୍ଲାଜ୍‌ମା) ଓ ଜିଏଫ୍‌ସି (ଗ୍ରୋଥ୍‌ ଫ୍ୟାକ୍ଟର କନ୍‌ସେନ୍‌ଟ୍ରେଟ୍‌) ‌ଥେରାପି ଏବେ ଚାହିଦାରେ ରହିଛି। ଏହି ଦୁଇ ଥେରାପି କେଶକୁ ଖାଦ୍ୟ ଯୋଗାଇବାର ପ୍ରିକ୍ରିୟା। ପିଆର୍‌ପି ‌ଥେରାପିରେ ରୋଗୀ ଶରୀରର ବ୍ଲଡ୍‌ ପ୍ଲାଟେଲେଟ୍‌ସ୍‌କୁ ରୋଗୀ ମୁଣ୍ଡ ଓ ବେକ ମୂଳରେ ଇନ୍‌ସୁଲିନ୍‌ ସିରିଞ୍ଜ ସାହାଯ୍ୟରେ ଇନ୍‌ଜେକ୍ଟ କରାଯାଏ ବା ଡର୍‌ମା ରୋଲର୍‌ରେ ମୁଣ୍ଡ ଭିତରକୁ ଭର୍ତି କରାଯାଏ। ‌

କେଶ ମୂଳକୁ ଏହା ଦ୍ବାରା ପୋଷଣ ମିଳେ ଓ କେଶ ଝଡ଼ିବା ସମସ୍ୟା ଦୂର ହେବା ସହ ‌କେଶ ସୁସ୍ଥ ହୋଇ ବଢ଼େ। ପ୍ରତି ୨୧ରୁ ୩୦ ଦିନରେ ୬ରୁ ୮ମାସ ପର୍ଯ୍ୟନ୍ତ ଏହି ଥେରାପି ନେବା ଦ୍ବାରା କେଶର ସମସ୍ତ ସମସ୍ୟା ଦୂର ‌ହୋଇଥାଏ। ପ୍ରତିଥର ପିଆର୍‌ପି ଥେରାପି ପାଇଁ ୩୫୦୦ଟଙ୍କା ଲାଗିଥାଏ। ଏଥିସହ କେଶର ବୃଦ୍ଧି ପାଇଁ ଡାକ୍ତର ଆଣ୍ଟିଅକ୍ସିଡେଣ୍ଟ୍‌ ଖାଇବାକୁ ଦେଇଥା’ନ୍ତି। ସେହିଭଳି ଜିଏଫ୍‌ସି ଥେରାପିରେ ବ୍ଲଡ୍‌ ପ୍ଲାଟିଲେଟ୍‌ସ ସହ ଗ୍ଲୋଥ୍‌ ଫ୍ୟାକ୍ଟର ମିଶାଇ ରୋଗୀ ମୁଣ୍ଡ ଭିତରକୁ ପ୍ରବେଶ କରାଯାଏ। ଏହା ମଧ୍ୟ ପିଆର୍‌ପି ଥେରାପି ଭଳି ୨୧ଦିନରେ ଥରେ ୮ମାସ ଯାଏ କରିବାକୁ ପଡ଼େ। ପ୍ରତିଥର ଏଥିପାଇଁ ୪୫୦୦ ଟଙ୍କା ଖର୍ଚ୍ଚ ହୁଏ ବୋଲି ଡାକ୍ତର ଶିଳ୍ପୀ ପାଲ୍‌ କହିଛନ୍ତି। ଏହି ଦୁଇ ଥେରାପି ପ୍ରାକୃତିକ ଉପାୟରେ କେଶକୁ ପୋଷଣ ଯୋଗାଏ ଓ କେଶ ବୃଦ୍ଧିରେ ସାହାଯ୍ୟ କରେ। କେଶକୁ ରୁପି ସମସ୍ୟା ମୁକ୍ତ କରିବାକୁ ମଧ୍ୟ ସାମ୍ପୋ ଓ କଣ୍ଡିସନର୍‌ ସାହାଯ୍ୟରେ କେଶମୂଳକୁ ସଫାକରି ଏହି ଦୁଇ ଥେରାପି ପ୍ରୟୋଗ କରାଯାଏ।

ପାର୍ଶ୍ବ ପ୍ରତିକ୍ରିୟାମୁକ୍ତ

ହେୟାର ଟ୍ରାନ୍ସପ୍ଲାଣ୍ଟ୍‌ କରାଇଥିବା ବ୍ୟକ୍ତି ଭବିଷ୍ୟତରେ କର୍କଟ ରୋଗର ସମ୍ମୁଖୀନ ହୁଅନ୍ତି ବୋଲି ଗୁଜବ ରହିଛି। କିନ୍ତୁ ବାସ୍ତବରେ ସେଭଳି କିଛି ହୁଏନାହିଁ ବୋଲି କସ୍‌ମେଟୋଲୋଜିଷ୍ଟ୍‌ ଡାକ୍ତର ଶିଳ୍ପୀ ପାଲ୍‌ କହିଛନ୍ତି। ଏହି ପ୍ରକ୍ରିୟା‌ରେ କୌଣସି ଲେଜର୍‌ ଲାଇଟ୍‌ କିମ୍ବା ‌ରସାୟନର ବ୍ୟବହାର ହୁଏନାହିଁ। ଏହାବ୍ୟତୀତ, ରୋଗୀ ମୁଣ୍ଡରେ ଅନ୍ୟ କାହାର କେଶ କୂପ ରୋପଣ କରାଯାଏ ନାହିଁ। ରୋଗୀର କେଶ କୂପକୁ ବିସ୍ଥାପିତ କରି ଚନ୍ଦା ସ୍ଥାନରେ ରୋପଣ କରାଯାଏ। ଫଳରେ କୌଣସି ପ୍ରକାର ସଂକ୍ରମଣର ସମ୍ଭାବନା ନଥାଏ।

ଛୁଞ୍ଚି ମୁନରେ କେଶରୋପଣ କରାଯାଏ। ଏହି ଛୁଞ୍ଚି ମୁନ ଖପୁରିର ଅଧିକ ଭିତରକୁ ପ୍ରବେଶ କରିନଥାଏ। ଫଳରେ ଏହା ମୁଣ୍ଡକୁ ଆଘାତ କରିବାର ସମ୍ଭାବନା ନଥା‌ଏ। କିଛି ବ୍ୟକ୍ତିଙ୍କୁ ଏହା ନ ସୁହାଇଲେ, ଚିକିତ୍ସା ବିଫଳ ହୋଇଯାଏ। ହେଲେ ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୁଏନାହିଁ। ତେବେ ହେୟାର ଟ୍ରାନ୍ସପ୍ଲାଣ୍ଟ୍‌ ହେବା ପରେ ୫୦% ଯାଏ ଅଦରକାରୀ ଓ ଅସ୍ବାସ୍ଥ୍ୟକର କେଶ ଝଡ଼ିଯାଏ। ପ୍ରାୟ ୨ରୁ ୩ ମାସ ଏହି ଝଡ଼ିବା ପ୍ରକ୍ରିୟା ଚାଲିବା ପରେ ପ୍ରାକୃତିକ ପ୍ରକ୍ରିୟାରେ ଧୀରେଧୀରେ ‌ସୁସ୍ଥ କେଶ ଉଠେ।

ସମ୍ବନ୍ଧିତ ଖବର