ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଲଣ୍ଡନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପହଞ୍ଚିଛନ୍ତି।

ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ ବାଲ୍‌ମୋରାଲ୍‌ କ୍ୟାସେଲ୍‌ରେ (ଦୁର୍ଗ) ୯୬ ବର୍ଷ ବୟସରେ ପରଲୋକ ଗମନ କରିଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଶବ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ହଲ୍‌ରେ ରଖାଯାଇଛି। ସେପ୍ଟେମ୍ବର ୧୯ ତାରିଖ ସକାଳେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Image Courtesy of India TV

ଏଥିପାଇଁ ରାଷ୍ଟ୍ରପତି ମୁର୍ମୁ ୩ଦିନିଆ ବ୍ରିଟେନ୍‌ ଗସ୍ତରେ ଯାଇଛନ୍ତି। ସୋମବାର ଦିନ ସେ ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବେ। ଏହାଛଡ଼ା, ରବିବାର ସନ୍ଧ୍ୟାବେଳେ ବକିଙ୍ଗ୍‌ହାମ୍‌ ପ୍ରାସାଦରେ ରାଜା ତୃତୀୟ ଚାର୍ଲସ୍‌ ବିଶ୍ବ ନେତାଙ୍କ ପାଇଁ ଆୟୋଜନ କରିଥିବା ଅଭ୍ୟର୍ଥନାକୁ ମଧ୍ୟ ତାଙ୍କୁ ଆମନ୍ତ୍ରଣ କରାଯାଇଛି।

ରାଣୀଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ବିଶ୍ବର ୨୦୦ ଦେଶ ଓ ଅଞ୍ଚଳରୁ ୫୦୦ ଅତିଥି ପ୍ରତିନିଧିତ୍ବ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜା, ରାଣୀ ଓ ସୁଲ୍‌ତାନ୍‌ମାନେ।

ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତର ଶୋକବାର୍ତ୍ତା ଜଣାଇବା ଲାଗି ସେପ୍ଟେମ୍ବର ୧୨ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ବ୍ରିଟିସ୍‌ ହାଇକମିସନ୍‌ ଯାଇଥିଲେ। ଏହା ପୂର୍ବ ଦିନ ଭାରତ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରିଥିଲା।

ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ଦେବା ପାଇଁ ରାଷ୍ଟ୍ରପତି ଲଣ୍ଡନ୍‌ ଗସ୍ତରେ ଯିବେ ବୋଲି ଚଳିତ ସପ୍ତାହ ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୁନିଶ୍ଚିତ କରିଥିଲା।

ସମ୍ବନ୍ଧିତ ଖବର